ଭୁବନେଶ୍ୱର ଏମ୍ସରେ ଲୋକାର୍ପିତ ହେଲା କ୍ୟାନସର ଓ ନ୍ୟୁକ୍ଲିୟର ମେଡିସିନର ତିନି କେନ୍ଦ୍ର

– ଓଡିଶା ଓ ପୂର୍ବ ଭାରତର ରୋଗୀ ମାନଙ୍କର ସେବାରେ କ୍ୟାନସର ଓ ନ୍ୟୁକ୍ଲିୟର ମେଡିସିନ କେନ୍ଦ୍ର ଗୁଡିକ ଗୁରୁତ୍ୱପୂର୍ଣ ଭୂମିକା ନେବ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୦୨ ଫେବୃଆରୀ (ଓଡ଼ିଆ ପୁଅ)- ଭୁବନେଶ୍ୱର ଏମ୍ସ ଠାରେ ତିନୋଟି ବିଶେଷ ରୋଗୀ ସେବା ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଡଭାନ୍ସଡ କ୍ୟାନସର ଥେରାପିର ଦୁଇଟି କେନ୍ଦ୍ର ଓ ନ୍ୟୁକ୍ଲିୟର ମେଡିସିନର ଗୋଟିଏ କେନ୍ଦ୍ରକୁ ଶ୍ରୀ ପ୍ରଧାନ ଲୋକାର୍ପିତ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କର କମଳରେ ଶୁଭ ଦିଆ ଯାଇଥିବା ଭୁବନେଶ୍ୱର ଏମ୍ସ ରୋଗୀ ସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ ଭୂମିକା ନେବା ଅତ୍ୟନ୍ତ ଖୁସିର ବିଷୟ। ଶ୍ରୀ ପ୍ରଧାନ କହିଛନ୍ତି ଯେ ଏମ୍ସର ଯୋଗ୍ୟ ଡାକ୍ତରମାନଙ୍କ ନେତୃତ୍ୱରେ କଷ୍ଟଦାୟକ କ୍ୟାନସର ଚିକିତ୍ସାର ଅତ୍ୟାଧୁନିକ ବ୍ୟବସ୍ଥା ଭୁବନେଶ୍ୱର ଏମ୍ସରେ ସ୍ଥାନ ପାଇଛି।

ଓଡିଶା ଓ ପୂର୍ବ ଭାରତର ରୋଗୀ ମାନଙ୍କର ସେବାରେ କ୍ୟାନସର ଓ ନ୍ୟୁକ୍ଲିୟର ମେଡିସିନ କେନ୍ଦ୍ର ଗୁଡିକ ଗୁରୁତ୍ୱପୂର୍ଣ ଭୂମିକା ନେବ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି।

ଏମ୍ସ ମାନର ଉତମ କ୍ୟାନସର ଚିକିତ୍ସା ସୁବିଧା ମିଳିଲେ ରୋଗୀ ମାନଙ୍କୁ ବାହାର ରାଜ୍ୟକୁ ଯିବାକୁ ପଡିବ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଇତି ମଧ୍ୟରେ ଏମ୍ସର ୪୦ଟି ବିଭାଗ କାର୍ଯ୍ୟକ୍ଷମ ହୋଇ ସାରିଥିବା ବେଳେ ଆଉ ଦୁଇଟି ବିଭାଗ ଖୋଲିବାକୁ ଯାଉଛି। ଅଧିକରୁ ଅଧିକ ଭଲ ଡାକ୍ତର ଏମ୍ସକୁ ଆସିଲେ ରୋଗୀ ସେବାରେ ସୁବନ୍ଦୋବସ୍ତ ହୋଇ ପାରିବ ବୋଲି କହିବା ସହ ଏମ୍ସରେ ବର୍ତମାନ କାର୍ଯ୍ୟରତ ଯୁବ ଡାକ୍ତର ମାନଙ୍କ ସହିତ ସାକ୍ଷାତ ହେବାର ସୁଯୋଗ ମିଳିବାରୁ ସେ ଆନନ୍ଦିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Leave a Reply

Your email address will not be published. Required fields are marked *