ଭୁବନେଶ୍ୱରରେ ଅପରାଧ ଓ ପୁଲିସ୍ ବ୍ୟବସ୍ଥାକୁ ନେଇ ରିପୋର୍ଟ

– ଶହୀଦ ନଗର ଥାନାରେ ସବୁଠୁ ଅଧିକ ଅପରାଧ ମାମଲା

– ୧୨୫ ପଦବୀ ଖାଲି – ୯ଟି ଥାନାରେ ମହିଳା ଅଫିସର ନାହାନ୍ତି

– ୧୧ଟି ଥାନାର ସିସିଟିଭି ଅଚଳ – ପୁଲିସ୍ ବିରୋଧରେ ୩୪୩ ଅଭିଯୋଗ

ଭୁବନେଶ୍ୱର ୨୪-୧୦ (ଓଡ଼ିଆ ପୁଅ) : ଭୁବନେଶ୍ୱରରେ ବିଭିନ୍ନ ଅପରାଧ ମଧ୍ୟରୁ ଚୋରି ଘଟଣା ସବୁଠାରୁ ଅଧିକା। ଶହୀଦ ନଗର ଥାନା ଅଂଚଳରେ ସବୁଠୁ ଅଧିକ ଅପରାଧ ଘଟଣା ରେକର୍ଡ ହୋଇଛି। ଜଟଣୀ ଥାନାରେ ସବୁଠୁ ଅଧିକ ହତ୍ୟା ମାମଲା। ଭୁବନେଶ୍ୱର ୯ଟି ଥାନାରେ ମହିଳା ଅଫିସର ନାହାନ୍ତି। ୪ଟି ଥାନାରେ ୱାସରୁମ୍ ନାହିଁ ଓ ୭ଟି ଥାନାରେ ମହିଳା କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ୱାସରୁମ୍ ନାହିଁ। ୧୧ ଥାନାରେ ସିସିଟିଭି ନାହିଁ ବା କାମ କରୁନାହିଁ। ମହିଳା କର୍ମଚାରୀଙ୍କୁ ନିର୍ଯାତନା ମାମଲାର ବିଚାର ପାଇଁ ଇଂଟରନାଲ୍ କଂପ୍ଲେଂଟ୍ କମିଟି ୧୮ଟି ଥାନାରେ ନାହିଁ। ଭୁବନେଶ୍ୱରର ସିଭିଲ ସୋସାଇଟି ଫୋରମ୍ ଅନ୍ ହୁ୍ୟମାନ ରାଇଟ୍ସ ଓ ନୂଆଦିଲ୍ଲୀସ୍ଥ କମନ୍ୱେଲ୍ଥ ହୁମାନ ରାଇଟ୍ସ ଇନିସିଏଟିଭ୍ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ରିପୋର୍ଟରୁ ଭୁବନେଶ୍ୱର କମିଶନରେଟ୍ ପୁଲିସ୍ କମିଶନରେଟ୍ ସମ୍ପର୍କରେ ଏମିତି କିଛି ରୋଚକ ତଥ୍ୟ ମିଳିଛି। ଅପ୍ରେଲ ୨୦୧୫ରୁ ମାର୍ଚ ୨୦୧୬ ମଧ୍ୟରେ ଭୁବନେଶ୍ୱରର ୨୧ଟି ଥାନା ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି। ଏହି ସମୟ ମଧ୍ୟରେ ଭୁବନେଶ୍ୱରରେ ୧୭୯୨ଟି ଚୋରି ଘଟଣା ସାମ୍ନାକୁ ଆସିଛି। ଯାହା ଅପରାଧ ଶ୍ରେଣୀରେ ସର୍ବାଧିକ। ଶହୀଦ ନଗର ଥାନାରେ ଏହି ବର୍ଷକ ମଧ୍ୟରେ ୭୯୯ଟି ଅପରାଧ ଘଟଣା ରେର୍କଡ ହୋଇଛି। ଏହା ପରକୁ ୬୯୩ ଅପରାଧ ସହ ଦ୍ୱିତୀୟ ସ୍ଥାନରେ ରହିଛି ଖଣ୍ଡଗିରି ଥାନା। ସବୁଠୁ ଚିନ୍ତା ଜନକ ବିଷୟ ହେଉଛି ବର୍ଷକ ମଧ୍ୟରେ ୧୫୧ଟି ନାବାଳକ ଅପହରଣ ମାମଲା ରିପୋର୍ଟ ହୋଇଛି। ଭୁବନେଶ୍ୱର ଥାନା ଅଂଚଳରେ ପୋଲିସ୍ କର୍ମଚାରୀଙ୍କ ଶୂନ୍ୟ ପଦବୀକୁ ମଧ୍ୟ ଏହି ରିପୋର୍ଟ ସାମ୍ନାକୁ ଆଣିଛି। ଥାନାଗୁଡିକରେ ୧୮ଟି ସବ୍-ଇନ୍ସପେକ୍ଟର, ୬ ହେଡ୍ କନଷ୍ଟେବଲ୍, ୧୦୧ କନଷ୍ଟେବଲ୍ ପଦବୀ ଖାଲି ପଡିଛି। ନଅଟି ଥାନାରେ ଏଏସଆଇ କିମ୍ବା ଏସଆଇ ସ୍ତରୀୟ ମହିଳା ଅଫିସର ନାହାନ୍ତି। ୧୧ଟି ଥାନାରେ ଇ-ମେଲ୍ ଯୋଗେ ଏଫଆଇଆର୍ ଗ୍ରହଣ କରିବା ସୁବିଧା ରହିଛି। ମୋଟ୍ ୬୦୯ କର୍ମଚାରୀଙ୍କ ମଧ୍ୟରୁ ୨୦୧ଙ୍କୁ ସରକାରୀ କ୍ୱାର୍ଟର ମିଳିନାହିଁ। ବର୍ଷକ ମଧ୍ୟରେ ପୁଲିସ୍ ବିରୋଧରେ ମୋଟ୍ ୩୪୩ ଅଭିଯୋଗ ଆସିଛି। ଡିଷ୍ଟ୍ରକ୍ଟ ହୁମାନ ରାଇଟ୍ସ ପ୍ରୋଟେକସନ୍ ସେଲ୍କୁ ମିଳିଥିବା ୨୫୨ଟି ଅଭିଯୋଗ ବିନା ତଦନ୍ତରେ ବନ୍ଦ କରିଦିଆଯାଇଛି। ଲୋକପାଳ ନଥିବାରୁ ଏଠାକୁ ଆସିଥିବା ପୁୁଲିସ୍ ବିରୋଧରେ ୧୪ଟି ଅଭିଯୋଗ ବିଚାର ହୋଇପାରିନାହିଁ। ଏସବୁ ତ୍ରୁଟି ଓ ସମସ୍ୟାକୁ ସମାଧାନ ପାଇଁ ସରକାର ଓ ଗୃହ ମନ୍ତ୍ରାଳୟକୁ ମାନବାଧିକାର କର୍ମୀ ଓ ସଂଗଠନଗୁଡିକ ପ୍ରସ୍ତାବ ଦେଇଛନ୍ତି। ରିପୋର୍ଟ ଉନ୍ମୋଚନ ଉତ୍ସବରେ ପୂର୍ବତନ ପୁଲିସ୍ ଡିଜି ଏସ୍.ଏନ୍. ତିୱାରୀ, କଂଗ୍ରେସ ମୁଖପାତ୍ର ଗଣେଶ୍ୱର ବେହେରା, ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ସିଏଚଆରଆଇର ଦେବିକା ପ୍ରସାଦ, ସିଏସଏଫଏଚଆରର ଆବାହକ ଧୀରେନ୍ଦ୍ର ପଣ୍ଡା, ପ୍ରଶାନ୍ତ ପାଇକରାୟ, ବାଘାମ୍ବର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *