ଓଡ଼ିଶା

ଭିତିଭୂମି କ୍ଷେତ୍ର ପାଇଁ ଆବଂଟନରେ ୫.୯୭ ଲକ୍ଷ କୋଟି ଟଙ୍କା ବୃଦ୍ଧି

– ପରିବହନ କ୍ଷେତ୍ର ପାଇଁ ସର୍ବାଧିକ ଆବଂଟନ
– ବିମାନ ବନ୍ଦରର କ୍ଷମତା ସମ୍ପ୍ରସାରଣ ପାଇଁ ନଭ ନିର୍ମାଣ କାର୍ଯ୍ୟକ୍ରମର ଘୋଷଣା
– ୧୦ଟି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯିବ
– ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଲାଗି ଦୁଇ ଗୁଣା ଆବଂଟନ
– ସାଇବର ଭୌତିକ ବ୍ୟବସ୍ଥା ଅଭିଯାନର ଶୁଭାରମ୍ଭ ହେବ
– ଦୂରସଂଚାର ମୌଳିକ ଭିତିଭୂମି ନିର୍ମାଣ ଏବଂ ବୃଦ୍ଧି ଲାଗି ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ
– ଅନଲାଇନ ଅନୁଧ୍ୟାନ ବ୍ୟବସ୍ଥା ‘ପ୍ରଗତି’ ଜରିଆରେ ୯.୪୬ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ତ୍ୱରାନ୍ୱିତ କରାଗଲା

ନୂଆଦିଲ୍ଲୀ ୧-୨ (ଓଡ଼ିଆ ପୁଅ) ଅର୍ଥବ୍ୟବସ୍ଥାରେ ବୃଦ୍ଧିର ପ୍ରମୁଖ ବାହକକୁ ଚିହ୍ନଟ କରି ସରକାର ୨୦୧୮-୧୯ ସାଧାରଣ ବଜେଟରେ ମୌଳିକ ଭିତିଭୂମି କ୍ଷେତ୍ରର ବିକାଶ ପାଇଁ ବ୍ୟୟବରାଦ ପରିମାଣ ଯଥେଷ୍ଟ ବଢ଼ାଇଛନ୍ତି। ଏହି କ୍ଷେତ୍ର ଲାଗି ବଜେଟ ଏବଂ ଅତିରିକ୍ତ ବଜେଟ ବ୍ୟୟ ୨୦୧୭-୧୮ ବର୍ଷରେ ୪.୯୪ ଲକ୍ଷ କୋଟି ଟଙ୍କା ଥିବା ବେଳେ ଏଥିରେ ୧, ୩୪, ୫୭୨ କୋଟି ଟଙ୍କା ବୃଦ୍ଧି କରାଯାଇ ୨୦୧୮-୧୯ ବର୍ଷ ପାଇଁ ୫.୯୭ ଲକ୍ଷ କୋଟି ଟଙ୍କା କରାଯାଇଛି। ବର୍ତମାନ ସୁଦ୍ଧା ଏହି କ୍ଷେତ୍ରରେ ସର୍ବାଧିକ ଅର୍ଥରାଶି ଆବଂଟନ କରାଯାଇଛି। ଅନ୍ୟପକ୍ଷରେ ପ୍ରାକୃତିକ ବିପତିର ମୁକାବିଲା ଲାଗି ମୌଳିକ ଭିତିଭୂମିକୁ ପ୍ରୋତ୍ସାହନ ଦିଆଯାଇ ୬୦ କୋଟି ଟଙ୍କାର ଆବଂଟନ କରାଯାଇଛି। ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୨୦୧୮-୧୯ ବର୍ଷର ସାଧାରଣ ବଜେଟ ଉପସ୍ଥାପନ କରି ଏହି ଘୋଷଣା କରିଛନ୍ତି।

ସହରାଂଚଳ ଭିତିଭୂମି କ୍ଷେତ୍ରରେ ସରକାର ସାମଗ୍ରୀକ ମୌଳିକ ଭିତିଭୂମି ଏବଂ ଦକ୍ଷତା ବିକାଶ ମାଧ୍ୟମରେ ୧୦ଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀର ବିକାଶ କରିବା ଲାଗି ପ୍ରସ୍ତାବ ଦେଇଛନ୍ତି। ଏହାବ୍ୟତୀତ ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣର ୧୦୦ଟି ଆଦର୍ଶ ସ୍ମାରକଗୁଡ଼ିକର ମଧ୍ୟ ଉନ୍ନତିକରଣ କରାଯିବ। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସରକାରଙ୍କ ସ୍ମାର୍ଟ ସିଟି ମିଶନ ଏବଂ ଅମୃତ ଯୋଜନାରେ କରାଯାଇଥିବା କାର୍ଯ୍ୟଗୁଡ଼ିକର ପ୍ରଶଂସା କରି ସୂଚନା ଦେଇଥିଲେ ଯେ ସ୍ମାର୍ଟ ସିଟି ମିଶନ ଅନ୍ତର୍ଗତ ୨.୦୪ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ସହିତ ୯୯ଟି ସହରକୁ ବଛାଯାଇଛି। ୨୩୫୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଇସାରିଛି ଏବଂ ୨୦, ୮୫୨ କୋଟି ଟଙ୍କାର ପ୍ରକଳ୍ପ ପ୍ରଗତି ପଥରେ ରହିଛି।

ଐତିହ୍ୟ ସହରକୁ ପୁଣିଥରେ ବିକଶିତ କରିବା ଲାଗି ଜାତୀୟ ଐତିହ୍ୟ ସହର ବିକାଶ ଏବଂ ବୃଦ୍ଧି ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି।

ଅମୃତ ଯୋଜନା ଅଧୀନରେ ୫୦୦ ସହର ପାଇଁ ୭୭, ୬୪୦ କୋଟି ଟଙ୍କାର ରାଜ୍ୟସ୍ତରୀୟ ଯୋଜନାକୁ ଅନୁମୋଦନ କରାଯାଇଛି। ୧୯, ୪୨୮ କୋଟି ଟଙ୍କା ମୂଲ୍ୟର ୪୯୪ଟି ଜଳଯୋଗାଣ ପ୍ରକଳ୍ପର ଠିକା ଏବଂ ୧୨, ୪୨୯ କୋଟି ଟଙ୍କା ବ୍ୟୟରେ ୨୭୨ଟି ପ୍ରକଳ୍ପ ପାଇଁ ସ୍ୱେରେଜ କାର୍ଯ୍ୟ ଲାଗି ଠିକା ଦିଆଯାଇଛି। ୪୮୨ଟି ସହର କ୍ରେଡିଟ ରେଟିଂ ଆରମ୍ଭ କରିଦେଇଛନ୍ତି ଏବଂ ୧୪୪ଟି ସହରକୁ ନିବେଶ ଗ୍ରେଡ ରେଟିଂ ହାସଲ ହୋଇସାରିଛି।

ଅର୍ଥ ମନ୍ତ୍ରୀ ଘୋଷଣା କରିଥିଲେ ଯେ ତାଙ୍କ ମନ୍ତ୍ରଣାଳୟ ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିବେଶ ବ୍ୟତୀତ ଆର୍ଥିକ ଭିତିଭୂମି ପ୍ରକଳ୍ପରେ ସହାୟତା କରିବା ଲାଗି ଇଣ୍ଡିଆ ଇନଫ୍ରାଷ୍ଟ୍ରକଚର ଫାଇନାନ୍ସ କର୍ପୋରେସନ ଲିମିଟେଡକୁ ସହାୟତା ପ୍ରଦାନ କରିବ।

ସଡ଼କ ନିର୍ମାଣ କ୍ଷେତ୍ରରେ ନିକଟରେ ଅନୁମୋଦନ ଲାଭ କରିଥିବା ଭାରତମାଳା ପ୍ରକଳ୍ପର ଉଦ୍ଦେଶ୍ୟ ପ୍ରଥମ ପର୍ଯ୍ୟାୟରେ ୫, ୩୫, ୦୦୦ କୋଟି ଟଙ୍କାର ବ୍ୟୟରେ ପାଖାପାଖି ୩୫ ହଜାର କିଲୋମିଟର ରାଜପଥର ବିକଶିତ କରିବା। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବିଶେଷ ଯୌଥ ସଂସ୍ଥା ଏବଂ ଟୋଲ, ପରିଚାଳନା ଏବଂ ସ୍ଥାନାନ୍ତରଣ (ଟିଓଟି) ଏବଂ ମୌଳିକ ନିବେଶ ପାଣ୍ଠି ଭଳି ଅଭିନବ ଭିତିଭୂମିର ଉପଯୋଗକୁ ନିଜ ସଡ଼କ ପରିସମ୍ପତିରେ ସାମିଲ କରିବା ପ୍ରତି ବିଚାର କରିବ।

ସୀମାନ୍ତବର୍ତ୍ତୀ କ୍ଷେତ୍ରରେ ଯୋଗାଯୋଗ ବୃଦ୍ଧି କ୍ରମରେ, ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ ଯେ ସରକାର ସେଲା ପାସ ନିକଟରେ ସୁଡ଼ଙ୍ଗ ନିର୍ମାଣ କରିବେ। ସେ ଏହା ମଧ୍ୟ ଘୋଷଣା କରିଥିଲେ ଯେ ପର୍ଯ୍ୟଟନ ଏବଂ ଜରୁରୀକାଳୀନ ସ୍ୱାସ୍ଥ୍ୟସେବାକୁ ପ୍ରୋତ୍ସାହନ ଦେବା ଲାଗି ସି-ପ୍ଲେନ ଗତିବିଧିରେ ନିବେଶକୁ ପ୍ରୋତ୍ସାହନ ଦେବା ଲାଗି ଆବଶ୍ୟକ ମୌଳିକ ଭିତିଭୂମି ନିର୍ମାଣ କରାଯିବ।

ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ, ୨୦୧୮-୧୯ ବଜେଟରେ ନଭ ନିର୍ମାଣ ଯୋଜନାର ଘୋଷଣା କରାଯାଇଛି। ଏହା ଅଧୀନରେ ବିମାନ ବନ୍ଦରଗୁଡ଼ିକର କ୍ଷମତା ୫ ଗୁଣ ବୃଦ୍ଧି କରାଯିବ। ଗୋଟିଏ ବର୍ଷରେ ଏକ ବିଲିୟନ ଯାତାୟାତକୁ ନିୟନ୍ତ୍ରଣ କରିବା ନିମନ୍ତେ ବିମାନ ବନ୍ଦରଗୁଡ଼ିକର ଭିତିଭୂମି ବିକାଶ କରାଯିବ। ଏହି ସମ୍ପ୍ରସାରଣ ପାଇଁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣର ଦୃଢ଼ ବାଲାନ୍ସ ସିଟ ଦ୍ୱାରା ଅର୍ଥ ଯୋଗାଣ କରାଯିବ। ଘରୋଇ ବିମାନ ବନ୍ଦର ଯାତ୍ରୀ ପରିବହନରେ ପ୍ରତିବର୍ଷ ୧୮ ପ୍ରତିଶତ ହାରରେ ବୃଦ୍ଧି ଘଟିଛି। ଆଂଚଳିକ ଯୋଗାଯୋଗ ଯୋଜନା ‘ଉଡାନ’ ମାଧ୍ୟମରେ ବର୍ତମାନ ବିମାନ ସେବା ନଥିବା ସାରା ଦେଶର ୫୬ଟି ବିମାନ ବନ୍ଦର ଏବଂ ୩୧ଟି ହେଲିପାଡ ମଧ୍ୟରେ ଯୋଗାଯୋଗ ପ୍ରତିଷ୍ଠା କରାଯିବ। ୧୬ଟି ବିମାନ ବନ୍ଦରରେ ଚଳାଚଳ ପୂର୍ବରୁ ଆରମ୍ଭ ହୋଇସାରିଛି।

ଡିଜିଟାଲ ମୌଳିକ ଭିତିଭୂମି କ୍ଷେତ୍ରରେ ସାଧାରଣ ବଜେଟ ୨୦୧୮-୧୯ରେ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ପାଇଁ ୩୦୭୩ କୋଟି ଟଙ୍କାର ଦୁଇଗୁଣା ଆବଂଟନ ଘୋଷଣା କରାଯାଇଛି। ବିଜ୍ଞାନ ଏବଂ ପ୍ରଯୁକ୍ତି ବିଭାଗ ରୋବୋଟିକ୍ସ, କୃତ୍ରିମ ବୁଦ୍ଧିମତା, ଡିଜିଟାଲ ମୌଳିକ ଭିତିଭୂମି, ବ୍ୟାପକ ଡାଟା ବିଶ୍ଳେଷଣ ଏବଂ ସଂଚାର କ୍ଷେତ୍ରରେ ପ୍ରଶିକ୍ଷଣ ଏବଂ ଦକ୍ଷତା ଲାଗି ଗବେଷଣା ନିମନ୍ତେ ଉକ୍ରୃଷ୍ଟ କେନ୍ଦ୍ର ପ୍ରତିଷ୍ଠାରେ ସହାୟତା ଲାଗି ସାଇବର ଭୌତିକ ବ୍ୟବସ୍ଥା ଉପରେ ଏକ ଅଭିଯାନର ଶୁଭାରମ୍ଭ କରାଯିବ।

ଦୂରସଂଚାର ମୌଳିକ ଭିତିଭୂମିର ନିର୍ମାଣ ଏବଂ ବିସ୍ତାର ଲାଗି ୨୦୧୮-୧୯ ଆର୍ଥିକ ବର୍ଷର ବଜେଟରେ ୧୦ ହଜାର କୋଟି ଟଙ୍କା ଆବଂଟନ କରାଯାଇଛି। ସରକାର ୫ କୋଟି ଗ୍ରାମୀଣ ନାଗରିକମାନଙ୍କ ନିକଟରେ ବ୍ରଡବ୍ୟାଣ୍ଡ ସୁବିଧା ପ୍ରଦାନ କରିବା ଲାଗି ୫ ଲକ୍ଷ ୱାଇ-ଫାଇ ସ୍ଥଳ ନିର୍ମାଣ କରିବାର ପ୍ରସ୍ତାବ ଦେଇଛନ୍ତି। ଅର୍ଥମନ୍ତ୍ରୀ ସୂଚନା ଦେଇଥିଲେ ଯେ ଭାରତ ନେଟ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ୨୦ କୋଟି ଗ୍ରାମୀଣ ଭାରତୀୟଙ୍କୁ ବ୍ରଡବ୍ୟାଣ୍ଡ ସୁବିଧା ପ୍ରଦାନ କରାଯିବ।

ଶ୍ରୀ ଜେଟଲୀ ଏହା ମଧ୍ୟ ଘୋଷଣା କରିଥିଲେ ଯେ ନୀତି ଆୟୋଗ କୃତ୍ରିମ ବୁଦ୍ଧି ବା ଆର୍ଟିଫିସିଆଲ ଇଂଟେଲିଜେନ୍ସ କ୍ଷେତ୍ରରେ ପ୍ରତ୍ୟକ୍ଷ ପ୍ରୟାସ ଲାଗି ଏକ ଜାତୀୟ କାର୍ଯ୍ୟକ୍ରମ ଆରମ୍ଭ କରିବ। ଉଦୀୟମାନ ନୂଆ ପ୍ରଯୁକ୍ତିର ଲାଭ ପାଇବା ଲାଗି ଦୂର ସଂଚାର ବିଭାଗ ଆଇଆଇଟି ଚେନ୍ନାଇରେ ଏକ ସ୍ୱଦେଶୀ ୫ଜି ଟେଷ୍ଟବେଡ (ପରୀକ୍ଷାଗାର) ପ୍ରତିଷ୍ଠା ଲାଗି ସହାୟତା ପ୍ରଦାନ କରିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top