ଭିଜିଲାନ୍ସ ଜାଲରେ ବିନିକା ଇଲେକ୍ଟ୍ରିକାଲ ଜେଇ

ସମ୍ବଲପୁର, ୧୧/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସୁବର୍ଣ୍ଣପୁର ଜିଲ୍ଲା ବିନିକା ଇଲେକ୍ଟ୍ରିକାଲ ଜେଇ ଇଂ. ଚିତ୍ତରଞ୍ଜନ ବେଉରା ବୁଧବାର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ବିନିକା ଥାନା ଗୁଲୁଣ୍ଡା ଅଞ୍ଚଳର ଚାଷୀ ଭ୍ରମରବର କର୍ଣ୍ଣଙ୍କ ଠାରୁ କନିଷ୍ଠ ଯନ୍ତ୍ରୀ ଶ୍ରୀ ବେଉରା ୮ ହଜାର ଟଙ୍କା ଲାଞ୍ଚ ନେଇଥିଲେ। ଅଭିଯୁକ୍ତଙ୍କୁ ବଲାଙ୍ଗିର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗୁଲୁଣ୍ଡା ଗ୍ରାମର ଶ୍ରୀପତି କର୍ଣ୍ଣ ଜଣେ ଚାଷୀ। ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ନାଳରୁ ମୋଟର ଯୋଗେ ଜଳ ଉତ୍ତୋଳନ କରି ୫ ଏକର ଜମିରେ ପନିପରିବା ଚାଷ କରନ୍ତି। ଚାଷ କାର୍ଯ୍ୟ ପାଇଁ ଶ୍ରୀପତି ବିଦ୍ୟୁତ ସଂଯୋଗ ନେଇଛନ୍ତି। ନିୟମ ଅନୁଯାୟୀ ମିଟର ବସାଇଛନ୍ତି। ତେବେ ବିଦ୍ୟୁତ୍ ବିଭାଗର କର୍ମଚାରୀ ମିଟର ରିଡ଼ିଂ ନ ନେଇ ପ୍ରୋଭିଜନାଲ ବିଲ ପ୍ରଦାନ କରୁଛନ୍ତି। ବିଦ୍ୟୁତ୍ ବ୍ୟବହାର କରୁନଥିବା ସମୟରେ ମଧ୍ୟ ତାଙ୍କ ନିକଟକୁ ସମାନ ବିଲ୍ ଆସୁଛି। ଅଯଥାରେ ଅଧିକ ବିଲ ଦେବାକୁ ପଡ଼ୁଥିବାରୁ ଶ୍ରୀପତି ବାରମ୍ବାର ଜେଇଙ୍କୁ ଭେଟି ନିୟମିତ ବିଲ ପ୍ରଦାନ ପାଇଁ ଅନୁରୋଧ କରିଥିଲେ। ଶ୍ରୀପତିଙ୍କ ପୁତୁରା ଭ୍ରମର ମଧ୍ୟ ଅନେକଥର ଜେଇଙ୍କ ପାଖକୁ ଯାଇ ଠିକ୍ ବିଲ ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି। ତେବେ ଏଥିପାଇଁ କନିଷ୍ଠ ଯନ୍ତ୍ରୀ ଶ୍ରୀ ବେଉରା ଭ୍ରମରଙ୍କ ଠାରୁ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଶେଷରେ ୮ ହଜାର ଟଙ୍କା ଦେବାପାଇଁ ଭ୍ରମର ରାଜି ହୋଇଥିଲେ। ଭ୍ରମର ଏ ସମ୍ପର୍କୋର ଭିଜିଲାନ୍ସ ବିଭାଗକୁ ମଙ୍ଗଳବାର ଦିନ ଲିଖିତ ଭାବେ ଜଣାଇଥିଲେ। ବୁଧବାର ପୂର୍ବାହ୍ନରେ କନିଷ୍ଠ ଯନ୍ତ୍ରୀ ଶ୍ରୀ ବେଉରା ନିଜ ସେକ୍ସନ ଅଫିସରେ ଭ୍ରମରଙ୍କ ଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରିଥିଲେ। ଏହି ଟଙ୍କା ଗ୍ରହଣ କରି ସେ ନିଜ ସାର୍ଟ ପକେଟ୍ରେ ରଖିଥିଲେ। ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଜେଇଙ୍କ ପ୍ୟାକେଟ୍ରୁ ରାସାୟନିକ ପ୍ରଲେପ ଥିବା ୩ଟି ୨ହଜାର ଟଙ୍କିଆ ନୋଟ୍ ଓ ୪ଟି ୫୦୦ ଟଙ୍କିଆ ନୋଟ୍ ଜବତ କରିଥିଲେ। ଏ ସମ୍ପର୍କରେ ସମ୍ବଲପୁର ଭିଜିଲାନ୍ସ ବିଭାଗ ଏକ ମାମଲା (ନଂ.୧/୧୮) ରୁଜୁ କରିଛି। ସୋନପୁର ଭିଜିଲାନ୍ସ ଡିଏସ୍ପି ଦାଶରଥୀ ସେଠୀ, ଇନ୍ସପେକ୍ଟର ସଦାନନ୍ଦ ପାଣି, ଇନ୍ସପେକ୍ଟର ସୁବାସ ଚନ୍ଦ୍ର ମିଶ୍ର ଓ ପୁନିତା ପ୍ରଭା ବାଘ ଚଢ଼ଉରେ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *