ଭିଜିଲାନ୍ସ ଜାଲରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କିରାଣି

 

କେନ୍ଦ୍ରାପଡା ୧୩ /୨ (ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ଆଜି ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଥିବା ଜଣାପଡିିଛି । ଘଟଣାରୁ ପ୍ରକାଶ ଯେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସାଧାରଣ ଓ ବିବିଧ ଉପବିଭାଗର ବରିଷ୍ଠ କିରାଣି ତଥା ଜିଲ୍ଲା କାର୍ଯ୍ୟାଳୟ ଷ୍ଟାଫ କମିଟିର ସଭାପତି ଶୁଭେନ୍ଦୁ ତ୍ରିପାଠୀ ଡେରାବିଶ ବ୍ଲକ ଅନ୍ତର୍ଗତ କୁଶିଆପାଳ ପଂଚାୟତର ଆଦର୍ଶ ସ୍ୱରୋଜଗାର ଗ୍ରାମୀଣ ମଣ୍ଡଳର ପଞ୍ଜିକରଣ ପାଇଁ ଫାଇଲ ପ୍ରୋସେସିଙ୍ଗ କରିବା ନିମନ୍ତେ ସେହି ମଣ୍ଡଳର ସମ୍ପାଦକ ହଳଦିଆ ଗ୍ରାମର ନାରାୟଣ ବାରିକଙ୍କ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ତାଙ୍କ ସିଟରେ ଏକହଜାର ପାଂଚଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଥିଲେ । ଅଭିଯୋଗକାରୀ ନାରାୟଣ ତାଙ୍କ ମଣ୍ଡଳର ପଞ୍ଜିକରଣ ପାଇଁ ଡେରାବିଶ ବ୍ଲକରୁ ତଦନ୍ତ ହୋଇ ଆସିଥିବା ସେ ସଙ୍କ୍ରାନ୍ତୀୟ ନଥିପତ୍ରକୁ ପ୍ରୋସେସିଙ୍ଗ କରିବା ପାଇଁ ବିଭାଗୀୟ ବରିଷ୍ଠ କିରାଣି ଶ୍ରୀ ତ୍ରୀପାଠୀଙ୍କୁ ଅନୁରୋଧ କରିବାରେ ଏହି କାମ ବାବଦକୁ ଶ୍ରୀ ତ୍ରିପାଠୀ ନାରାୟଣଙ୍କ ଠାରୁ ୩ ହଜାର ଟଙ୍କା ଦାବି କରିଥିଲେ । ଶେଷରେ ୨ ହଜାର ଟଙ୍କାରେ କଥା ଛିଡିଥିଲା ଏବଂ ଶ୍ରୀ ବାରିକ ଶ୍ରୀ ତ୍ରୀପାଠୀଙ୍କୁ ସୋମବାର ଦିନ ୫୦୦ ଟଙ୍କା ଦେଇ ଭିଜିଲାନ୍ସ ବିଭାଗକୁ ସମସ୍ତ ବିଷୟ ଅଭିଯୋଗ କରିଥିଲେ । ଆଜି ଦିନ ପ୍ରାୟ୧୧ ଟା ସମୟରେ ନାରାୟଣ ବାରିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବରିଷ୍ଠ କିରାଣି ଶ୍ରୀ ତ୍ରିପାଠୀଙ୍କୁ ୧୫୦୦ ଟଙ୍କା ଦେଇଥିଲେ ଯାହାକି ଶ୍ରୀ ତ୍ରିପାଠୀ ନିଜ ହାତରେ ଗ୍ରହଣ ନକରି ତାଙ୍କ ଟେବୁଲ ଡ୍ରରେ ରଖିଦେବାକୁ କହିବାରେ ନାରାୟଣ ସେହି ୧୫ଶହ ଟଙ୍କାକୁ ଟେବୁଲ ଡ୍ରରେ ରଖିଦେବାପରେ ସେଠାରେ ପୂର୍ବରୁ ଲୁଚି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ହଠାତ ପହଁଚି ଶ୍ରୀ ତ୍ରିପାଠୀଙ୍କ ଟେବୁଲ ଡ୍ରରୁ ଏକଶହ ଟଙ୍କିଆ ନୋଟ ୧୫ଟି ଜବତ କରିବା ସହିତ କିରାଣି ଶ୍ରୀ ତ୍ରିପାଠୀଙ୍କୁ ଗିରଫ କରି ନେଇଯାଇଥିଲେ । ଏହି ଚଢାଉରେ କେନ୍ଦ୍ରାପଡା ଭିଜିଲାନ୍ସ ଡିଏସପି ସୁରେନ୍ଦ୍ର ନାଥ ରାୟଗୁରୁ, ଇନସପେକ୍ଟର ବିଜୟ କୁମାର ସେଠୀ,କନେଷ୍ଟବଳ ଜ୍ଞାନରଞ୍ଜନ ଦାସ,ସୁରେଶ ସାହୁଙ୍କ ଅଂଶଗ୍ରହଣ କରିଥିବା ବେଳେ ତାଙ୍କ ସହିତ ସାକ୍ଷୀ ଭାବରେ ପଟ୍ଟାମୁଣ୍ଡାଇ କେନାଲ ଡିଭିଜନର କନିଷ୍ଠ ଯନ୍ତ୍ରୀ ଇଂ ଗୋରାଶଶୀ ସାହୁ ଓ କେନ୍ଦ୍ରାପଡା ଜଳସେଚନ ଡିଭିଜନର ଦିପ୍ତିରଞ୍ଜନ ସାହୁ ଉପସ୍ଥିତ ଥିଲେ । ଭିଜିଲାନ୍ସ ବିଭାଗ ପକ୍ଷରୁ ଶ୍ରୀ ତ୍ରୀପାଠୀଙ୍କ ଭଡାଘର ପୌରାଞ୍ଚଳ ଅନ୍ତର୍ଗତ ଟାଉନ ବଳରାମପୁରସ୍ଥିତ ବାସଭବନ ଏବଂ ପାଟକୁରା ଥାନା ଅନ୍ତର୍ଗତ ଅନ୍ତେଇ ଗ୍ରାମରେ ଥିବା ପୈତୃକ ଘର ଉପରେ ଏକା ସମୟରେ ଚଢାଉ ଜାରି ରହିଥିବା ଡିଏସପି ଶ୍ରୀ ରାୟଗୁରୁଙ୍କ ଠାରୁ ଜଣାପଡିଛି ।

Leave a Reply

Your email address will not be published. Required fields are marked *