ଭିଏସଏସ ନଗର, ହାଇଟେକ ଛକ ଓ ହଂସପାଳ ଠାରେ ଯାତାୟାତ ସୁବିଧା ନେଇ ଜନସାଧାରଣଙ୍କ ଦାବି : ସରଜମିନ ସମୀକ୍ଷା କରି ସମାଧାନ ପାଇଁ ଏନଏଚ ଅଧିକାରୀଙ୍କୁ ନିର୍ଦେଶ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୦୮ ଜୁନ (ଓଡ଼ିଆ ପୁଅ) – ଭିଏସଏସ ନଗରରୁ ହଂସପାଳ ଛକ ପର୍ଯ୍ୟନ୍ତ ଜାତୀୟ ରାଜମାର୍ଗରେ ଭୁବନେଶ୍ୱର ଆଡକୁ ଆସିବା ପାଇଁ ଲୋକ ମାନଙ୍କୁ ଦୀର୍ଘ ପଥ ଅତିକ୍ରମ କରି ରାସ୍ତା ବଦଳାଇବାକୁ ପଡୁଥିବାରୁ ବିଭିନ୍ନ ସମୟରେ ସ୍ଥାନୀୟ ଲୋକଙ୍କ ଦାବି ପରେ ଭିଏସଏସ ନଗର, ହାଇଟେକ ଛକ ଓ ହଂସପାଳ ଛକ ଠାରେ ସମସ୍ୟାର ସରଜମିନ ସମୀକ୍ଷା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭିଏସଏସ ନଗର ପଟୁ ବାଣୀବିହାର ଓ ଶହୀଦ ନଗର ଆସିବା ପାଇଁ ଅସୁବିଧା ସମ୍ପର୍କରେ ଭିଏସଏସ ନଗର ଉନ୍ନୟନ ସଂଘ, ବରିଷ୍ଠ ନାଗରିକ ସଂଘ ଓ ଓକିଲ ସଂଘ ତରଫରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ସମସ୍ୟାର ସମାଧାନ ପାଇଁ ଅନୁରୋଧ କରା ଯାଇଥିଲା।

ଭିଏସଏସ ନଗର ଓ ଶହୀଦ ନଗର ମଧ୍ୟରେ ସଂଯୋଗ ପାଇଁ ଭୂତଳ ରାସ୍ତାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ସ୍ଥାନୀୟ ଲୋକ ଓ ଏନଏଚ ଅଧିକାରୀଙ୍କ ଉପସ୍ଥିତିରେ ସମୀକ୍ଷା କରି ନିର୍ଦେଶ ଦେଇଛନ୍ତି ଶ୍ରୀ ପ୍ରଧାନ।

ହାଇଟେକ ଛକ ଠାରେ ତ୍ରିଶୁଳିଆ, କାନପୁର, ମଂଚେଶ୍ୱର ଗ୍ରାମବାସୀ ସମେତ ଉତର ନିର୍ବାଚନମଣ୍ଡଳୀର ପାଂଚଟି ପଂଚାୟତ ଯଥା କଳାରାହାଙ୍ଗ, ରଘୁନାଥପୁର, ଦାଢା, କଲ୍ୟାଣପୁର ଓ ବରିମୁଣ୍ଡର ଲୋକ ମାନଙ୍କର ପଳାଶୁଣୀ, ରସୁଲଗଡ ଦେଇ ଯାତାୟାତ ପାଇଁ ତୁରନ୍ତ ଅଣ୍ଡରପାସ ନିର୍ମାଣ ପାଇଁ ମନ୍ତ୍ରୀ ଶ୍ରୀ ପ୍ରଧାନ ଏନଏଚ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି।

ସେହିପରି ହଂସପାଳ ଛକ ଠାରେ ଏକ ନୂଆ ଓଭରବ୍ରିଜ ନିର୍ମାଣ ପାଇଁ ତୁରନ୍ତ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଏନଏଚଏଆଇ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି। ନହରକଂଟା, ହରିଦାସପୁର, ରୁଦ୍ରପୁର ଓ ନୂଆପାଟଣା ଲୋକ ମାନେ ଭୁବନେଶ୍ୱର ଆଡେ ଆସିବା ପାଇଁ ସ୍ଥାନୀୟ ଲୋକ ମାନେ ଉତର ଭୁବନେଶ୍ୱର ବିକାଶ ପରିଷଦ ଆନୁକୂଲ୍ୟରେ ଦୀର୍ଘ ଦିନ ଧରି ଦାବି କରି ଆସୁଥିଲେ।

Leave a Reply

Your email address will not be published. Required fields are marked *