ଭାଷା ସୁରକ୍ଷା ଆଇନ ଆନ୍ଦୋଳନ ତରଫରୁ ବୋର୍ଡ଼ ତଦାରଖ ଅଭିଯାନ

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭାଷା ସୁରକ୍ଷା ଆଇନ ଆନ୍ଦୋଳନକାରୀଙ୍କ ତରଫରୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଲେଖିନଥିବା ବୋର୍ଡ଼ ଆଜି ସକାଳେ ଯାଞ୍ଚ କରାଯାଇଥିଲା। ଭଦ୍ରକ ସହର ୭୨ଟି ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ ସଂସ୍ଥାର ନାମ ଆଜି ଆନ୍ଦୋଳନକାରୀଙ୍କ ତରଫରୁ ଚିଠି ନଂ-୭୨/୦୧.୦୭.୨୦୧୮ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଆପଣମାନଙ୍କୁ ସ୍ମରଣ କରାଯାଇପାରେ ଯେ ଭଦ୍ରକ ଜିଲ୍ଲାପାଳଙ୍କ ତରଫରୁ ସମସ୍ତ ବୋର୍ଡ଼ ଓଡ଼ିଆରେ ଲେଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ ଅମାନ୍ୟ କରି ବହୁ ଅନୁଷ୍ଠାନ ଓଡ଼ିଆରେ ବୋର୍ଡ଼ ଲେଖିନଥିବା ଦେଖାଯାଇଥିଲା। ଏଥିପାଇଁ ମିଡ଼ିଆରେ ବାରମ୍ବାର ପ୍ରକାଶ ପାଇବା ପରେ ଭାଷା ଆନ୍ଦୋଳନକାରୀଙ୍କ ତରଫରୁ ଏକ ଟିମ୍ ଗଠନ କରାଯାଇଛି। ଏହି ବୋର୍ଡ଼ର ତଦାରଖ କରାଯାଇଥିଲା। ଏହି ଟିମ୍ରେ ଭାଷା ଆନ୍ଦୋଳନର ଜାତୀୟ ସଂଯୋଜକ ପ୍ରଫେସର କୈଳାସ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଆଜି ଜିଲ୍ଲା ସଂଯୋଜକ ଦୁର୍ଯେ୍ୟାଧନ ନାୟକ ଉତ୍କଳ ସମ୍ମିଳନୀର ପୂର୍ବତନ ସମ୍ପାଦକ ଅନାଦି ଚରଣ ଦାସ, ଗୋଲକ ମଲ୍ଲିକ, ସମାଜସେବୀ ନବଚରଣ ପୃଷ୍ଟି, ଅମୂଲ୍ୟ ଦାଶ ଏବଂ ସମାଜସେବୀ ସମର ବଳ ପ୍ରମୁଖ ଏହି ବୋର୍ଡ଼ଗୁଡ଼ିକ ଯାଞ୍ଚ କରିଥିଲେ। ଏହି ଯାଞ୍ଚ ବେଳେ ବହୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ମୋବାଇଲ କମ୍ପାନୀ, କୋରିୟର ସଂସ୍ଥା ଏବଂ ବିଭିନ୍ନ ଖୁଚୁରା ଦୋକାନୀ ଏହି ଆଇନକୁ ଉଲଂଘନ କରିଥିବାର ଦେଖାଯାଇଥିଲା। ସେଥିପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିଲା।

Leave a Reply

Your email address will not be published. Required fields are marked *