ଭାଷା ଆଇନ କାର୍ଯ୍ୟକାରିତା ପାଇଁ ବାଟ ଖୋଲିଲା

ରାଉରକେଲା /୧୬/୦୯/୨୦୧୭(ଓଡିଆପୁଅ/ଶିବରାମ ପାତ୍ର): ସୁଦୀର୍ଘ ଆଠ ଦଶନ୍ଧି ପୂର୍ବେ ସମଗ୍ର ଭାରତବର୍ଷର ସର୍ବପ୍ରଥମ ଭାଷା ଭିତିକ ରାଜ୍ୟ ଭାବେ ଓଡ଼ିଶା ମାନ୍ୟତା ଲାଭ କରିଥିଲେ ମଧ୍ୟ ଅଦ୍ୟାବଧି ଓଡ଼ିଆ ଭାଷା ଶାସନ, ପ୍ରଶାସନ, ଜ୍ଞାନ ଓ ବିକାଶର ଭାଷାରେ ପରିଣତ ହୋଇ ପାରିନାହିଁ । ଇତ୍ୟବସରରେ ଓଡିଆ ଭାଷା ମହାଭାରତୀୟ ମର୍ଯ୍ୟାଦା ଶାସ୍ତ୍ରୀୟ ମାନ୍ୟତା ହାସଲ କରିଥିବା ବେଳେ, ଓଡ଼ିଆ ଭାଷାକୁ ଶାସନ,ଜ୍ଞାନ ଓ ବିକାଶର ଭାଷାରେ ପରିଣତ କରିବା ପାଇଁ ଓଡ଼ିଆ ଭାଷା ସଂଗ୍ରାମ ସମିତି ଗତ ଦୁଇ ବର୍ଷ ତଳେ ରାଜରାସ୍ତାରେ ଆମରଣ ଅନଶନ ଓ ସତ୍ୟାଗ୍ରହର ଡାକରା ଦେଇଥିଲା ଫଳରେ ଓଡ଼ିଆ ଭାଷା ସଂଗ୍ରାମ ସମିତି ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ସମ୍ପାଦିତ ଚୁକ୍ତିନାମା ଅନୁଯାୟୀ ଓଡିଆରେ ଶାସନ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଥିଲା । ସମୃକ୍ତ ମନ୍ତ୍ରୀ ସ୍ତରୀୟ ସଭାର ଗୃହୀତ ପ୍ରସ୍ତାବ ପର୍ଯ୍ୟାୟକ୍ରମେ ଓଡ଼ିଶାର ମାନନୀୟ ମୁଖ୍ୟମନ୍ତ୍ରୀ ମନ୍ତ୍ରୀସଭା ସର୍ବୋପରି ବିଧାନସଭାର ଅନୁମୋଦନ ଲାଭ କରିଅଛି । ପ୍ରାଥମିକ ପର୍ଯ୍ୟାୟରେ ଦିବଗଂତ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ସମୟରେ ପ୍ରଣୀତ ଭାଷା ଆଇନ ଯାହା ବିଗତ ୬୩ ବର୍ଷ ଧରି ଅଚଳ ଅବସ୍ଥାରେ ଥିଲା, ତାକୁ କାର୍ଯ୍ୟକାରୀ କରିବା ପାଇଁ ନିୟମାବଳୀ ପ୍ରଣୟନ ଉଭୟ ମନ୍ତ୍ରୀସଭା ଓ ବିଧାନସଭାର ଅନୁମୋଦନ ଲାଭ କରିଥିବା ବେଳେ ଗତକାଲି ଓଡ଼ିଆ ଭାଷା, ସାହିତ୍ୟ ବିଶ୍ୱବିଦ୍ୟାଳୟ ଦଳମତ ବିଚାର ଧାରାର ଉର୍ଦ୍ଧରେ ଓଡ଼ିଶା ବିଧାନସଭାରେ ପାରିତ ହୋଇ ସାରିଛି ଏବଂ ମନ୍ତ୍ରୀସ୍ତରୀୟ କମିଟିର ଗୃହୀତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମାନନୀୟ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାରୀ କରିବାର ଆଗ୍ରହ ପ୍ରକଟ କରି ପର୍ଯ୍ୟାୟକ୍ରମେ କାର୍ଯ୍ୟନ୍ୱୟନ ଗ୍ରହଣ କରୁଥିବାରୁ ଭାଷା ଆଇନ କାର୍ଯ୍ୟକାରିତା ପାଇଁ ବାଟ ଖୋଲିଛି । ଭାଷା ଭିତିକ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ମାନ୍ୟତା ଲାଭ କରିବା ସହିତ ଓଡ଼ିଆ ଭାଷା ସଂପ୍ରତି ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଭାଷା । ଓଡ଼ିଆ ଭାଷାକୁ କେବଳ ଶାସନର ଭାଷା ନୁହେଁ, ଜ୍ଞାନ ଓ ବିକାଶର ଭାଷାରେ ପରିଣତ କରି ଓଡ଼ିଆ ଭାଷାର ମହାମାନବୀୟ ମହାଭାରତୀୟ ଓ ମହାଜାଗତିକ ମୂଲ୍ୟବୋଧକୁ ପ୍ରତିଷ୍ଠା କରିବା ନିମନ୍ତେ ଓଡ଼ିଆ ଭାଷା ସଂଗ୍ରାମ ସମିତିର ଓ ଓଡ଼ିଶା ସରକାରଙ୍କ ମିଳିତ ପ୍ରଚେଷ୍ଟାରେ ଗଠିତ ମନ୍ତ୍ରୀ ସ୍ତରୀୟ କମିଟିର ଅଧିକାଂଶ ଚୂଡାନ୍ତ ନିଷ୍କର୍ଷ ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡିଶାର ମନ୍ତ୍ରୀସଭା, ସର୍ବୋପରି ବିଧେୟକ ସଭାର ଅନୁମୋଦନ ଲାଭ କରି ଆଇନରେ ପରିଣତ ହୋଇଥିବା ବେଳେ, ଅବଶିଷ୍ଟ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଭାଷା ନିଦେ୍ର୍ଦଶାଳୟ, ଭାଷା ଆୟୋଗ, ସର୍ବୋପରି ଭାଷା ଆଇନର ଉପଯୁକ୍ତ କାର୍ଯ୍ୟକାରିତା ନିମନ୍ତେ ଆବଶ୍ୟକୀୟ ଦଣ୍ଡ ବିଧାନ ନିର୍ଦ୍ଧାରଣ କରି ଓଡ଼ିଆ ଭାଷା ଆଇନକୁ ପୁନଃମାତ୍ରାରେ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଆ ଭାଷା ସଂଗ୍ରାମ ସମିତିର ଅବିରତ କାର୍ଯ୍ୟକ୍ରମ ଓ ଓଡ଼ିଶା ସରକାରଙ୍କ ଆନ୍ତରିକ ପ୍ରଚେଷ୍ଟା ଜାରି ଥିବାରୁ ଓଡ଼ିଆ ଭାଷା ସଂଗ୍ରାମ ସମିତି ରାଉରକେଲା ଶାଖାର ଆବାହକ ଅରୁଣ କୁମାର ପରିଡା, ଓଡ଼ିଆ ଭାଷା ସଂଗ୍ରାମ ସମିତିର ରାଜ୍ୟ ଆବାହକ ଶଙ୍କର୍ଷଣ ପରିଡ଼ା, ଭାଷା ସଂଗ୍ରାମ ସମିତିର କର୍ମକର୍ତା ଓ ପରାମର୍ଶଦାତା ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶାର ମାନନୀୟ ମନ୍ତ୍ରୀସଭା ଓ ଉଭୟ ସରକାରୀ ଓ ବିରୋଧି ଦଳର ବିଧାୟକ, ବିଧାୟିକା ମାନଙ୍କୁ ଆନ୍ତରିକ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଛନ୍ତି ।

Leave a Reply

Your email address will not be published. Required fields are marked *