ଓଡ଼ିଶା

ଭାଷଣରେ ଶିଶୁଶ୍ରମିକ ମୁକ୍ତ ଅଭିଯାନ, ଥଇଥାନ ନାହିଁ କି କାର୍ଯ୍ୟାନୁଷ୍ଠାନ ନାହିଁ

ବୌଦ୍ଧ, ୧୯ା୦୭: (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧଜିଲା କଂଟାମାଳ ଅଂଚଳରେ ଦିନକୁ ଦିନ ଶିଶୁ ଶ୍ରମିକଙ୍କ ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ପାଉଥିବାବେଳେ ସଚେତନ ବୁଦ୍ଧିଜିବୀ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। ପ୍ରତ୍ୟେକ ଜିଲାସ୍ତରୀୟ ବୈଠକରେ ଶିଶୁଶ୍ରମିକ ମୁକ୍ତ ଜିଲା ଗଠନ ପାଇଁ ଅଧିକାରୀମାନେ ଆହ୍ୱାନ ଦେଉଥିବା ବେଳେ ଏସବୁ କେବଳ ଭାଷଣବାଜିରେ ପରିଣତ ହୋଇଥିବା ଦେଖାଯାଉଛି। ଶିଶୁଶ୍ରମିକ ବ୍ୟବସ୍ଥାରେ ରୋକ ଲଗାଇବା ପାଇଁ ପ୍ରଶାସନ କୌଣସି ଆଇନଗତ ପଦକ୍ଷେପ ଗ୍ରହଣ କରୁନଥିବାରୁ ସାଧାରଣରେ ବିସ୍ମୟ ସୃଷ୍ଟି ହୋଇଛି। ଅପେକ୍ଷାକୃତ ଅଳ୍ପ ମଜୁରି ସାଙ୍ଗକୁ ସହଜରେ ଶିଶୁ ଶ୍ରମିକ ମିଳୁଥିବାରୁ କଂଟାମାଳ ଅଂଚଳର ବିଭିନ୍ନ ହୋଟେଲ, ଢାବା, ରାସ୍ତାକାମ, କୋଠାବାଡି ନିର୍ମାଣ, କେନ୍ଦୁପ୍ରତ ତୋଳା ସହ ବିଭିନ୍ନ ବିପଦପୁର୍ଣ୍ଣ କାର୍ଯ୍ୟରେ ଶିଶୁ ଶ୍ରମିକମାନଙ୍କୁ ନିୟୋଜିତ କରାଯାଉଥିବା ଦେଖାଯାଉଅଛି। ବ୍ଲକର ଆଭ୍ୟନ୍ତରୀଣ ତଥା ଉପାନ୍ତ ଅଂଚଳରେ ମହୁଲ ଗୋଟା ଠାରୁ ଗୃହ ପାଳିତ ପଶୁଙ୍କୁ ଚରାଇବା ପାଇଁ ଏହି ଶିଶୁଙ୍କୁ ନିୟାଜିତ କରାଯାଉଛି। ଜିଲା ଶ୍ରମ ବିଭାଗ ଶିଶୁ ଶ୍ରମିକ ନିୟୋଜନ ସଂପର୍କିତ ସଠିକ୍ ରିପୋର୍ଟ ସଂଗ୍ରହ କରୁନଥିବାର ମଧ୍ୟ ଅଭିଯୋଗ ହେଉଛି। ଜିଲାରେ କେତେ ଶିଶୁଶ୍ରମିକ ଅଛନ୍ତି କେତେ ଶିଶୁ ବିପଦପୁର୍ଣ୍ଣ ପରିବେଶ ମଧ୍ୟରେ କାର୍ଯ୍ୟ କରୁଛନ୍ତି, ତାହାର ମଧ୍ୟ ସଠିକ ହିସାବ ପ୍ରଶାସନ ପାଖରେ ରହୁନାହିଁ। ଶିଶୁ ଶିକ୍ଷା ବ୍ୟବସ୍ଥାରେ ବିଭିନ୍ନ ସମସ୍ୟା ଏବଂ ଶିକ୍ଷାଦାନରେ ବିଶୃଙ୍ଖଳା ଯୋଗୁଁ ଶିଶୁ ଏବଂ ଅଭିଭାବକଙ୍କ ମଧ୍ୟରେ ଏକ ପ୍ରକାର ନିରୁତ୍ସାହିତ ବାତାବରଣ ଦେଖାଯାଉଥିବା ମଧ୍ୟ କେତେକ ମତପ୍ରକାଶ କରିଛନ୍ତି। ଫଳରେ ଗ୍ରାମାଂଚଳରେ ଗରିବ ଦିନ ମଜୁରିଆ ଶ୍ରେଣୀର ପରିବାରମାନେ ନିଜ ଛୁଆଙ୍କୁ ପାଠ ପଢାଇବାକୁ ଛାଡିବା ବଦଳରେ ବିଭିନ୍ନ କାର୍ଯ୍ୟରେ ଲଗାଇ ଦୁଇ ପଇସା ରୋଜଗାର କରିବା ଉଚିତ ବୋଲି ମଣୁଛନ୍ତି। ତେଣୁ ଏନେଇ ବ୍ୟାପକ ସଚେତନତା ସୃଷ୍ଟି କରିବା ଜରୂରୀ ହୋଇ ପଡିଛି। ତେବେ ଉଦାସୀନ ପାଲଟିଥିବା ପ୍ରଶାସନିକ କଳ ଏଥିପାଇଁ କେତେ ତତ୍ପର ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟ ପକ୍ଷରେ ବିପଦପୁର୍ଣ୍ଣ ପରିବେଶରେ ନାନା ପ୍ରକାର ନିର୍ଯ୍ୟାତିତ ଅବସ୍ଥାରେ କାର୍ଯ୍ୟ କରୁଥିବା ଏହି ଶିଶୁଶ୍ରମିକଙ୍କୁ ଚିହ୍ନଟ କରି ଥଇଥାନ କରିବା ବର୍ତମାନ ଜିଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏନେଇ ଜିଲଶ୍ରମ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଯେଉଁଠି ଶିଶୁ ଶ୍ରମିକ ନିୟୋଜିତ ହୋଇଛନ୍ତି ସୂଚନା ଦେଲେ ଆମେ ତାଙ୍କୁ ଉଦ୍ଧାର କରିବା ସହିତ ଏଥିରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି। ତେବେ ଜିଲାର ପ୍ରତ୍ୟେକ କୋଣ ଅନୁକୋଣରେ ଶିଶୁ ଶ୍ରମିକ ନିୟୋଜିତ ହୋଇଥିବା ଶ୍ରମ ବିଭାଗ କଣ ଜାଣିନାହାନ୍ତିକି ଜାଣିଶୁଣି ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଉଦ୍ୟମ କରୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଜିଲା ଶ୍ରମ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଏହି ଶିଶୁ ଶ୍ରମିକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରି ତାଙ୍କ ଭବିଷ୍ୟତ ଗଢିବାରେ ଯତ୍ନବାନ ହେବାକୁ ସାଧାରଣରେ ଦାବି ହେଉଛି। ଅନ୍ୟଥା ନିରକ୍ଷରତାର ବଶବର୍ତ୍ତି ହୋଇ ଏହି ଶିଶୁ ମାନେ ଦିଗହରା ହୋଇ ନାନା ଅସାମାଜିକ କାର୍ଯ୍ୟକଳାପରେ ସାମିଲ ନହେବେ ଏକଥା କିଏ କହିପାରିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top