ଭାରିଯାନ ଧକ୍କାରେ ଠିକା କର୍ମଚାରୀଙ୍କ ମୃତ୍ୟୁ ନେଇ ଉତେଜନା ଏନ୍.ଟି.ପି.ସି କଣିହାଁ ଅଧିକାରୀଙ୍କୁ ମାରପିଟ ଅଭିଯୋଗ

ଅନୁଗୋଳ, ୧୦/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ତାଳଚେର କଣିହାଁ ଏନ୍.ଟି.ପି.ସି ନିକଟସ୍ଥ ଆମ୍ବପାଳ ଗ୍ରାମ ନିକଟରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକଙ୍କ ନାମ ବନ୍ଦିଆ ପ୍ରଧାନ ବୋଲି ଜଣା ପଡ଼ିଛି। ସେ ଆରକେଡି ନାମକ କମ୍ପାନୀରେ ଠିକା କର୍ମଚାରୀଭାବେ କାର୍ଯ୍ୟ କରୁଥିଲେ। ବୁଧବାର ସକାଳ ପ୍ରାୟ ୮ଟା ବେଳେ ସେ ଆମ୍ବପାଳ ଗ୍ରାମ ନିକଟସ୍ଥ ରାସ୍ତାରେ ଜେ.ଆଇ.ଟି.ପି.ଏଲ କମ୍ପାନୀରେ କୋଇଲା ପରିବହନ ପାଇଁ ନିୟୋଜିତ ଏକ ଟ୍ରକ ଧକ୍କାରେ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣାର ଖବରପାଇଁ ଏନ୍.ଟି.ପି.ସି କଣିହାଁ ପ୍ରକଳ୍ପର ଡିଜିଏମ୍ (ଏଚ୍ ଆର) ଜାକିର ଖାନ୍, ରାଜେନ୍ଦ୍ର ସାହୁ ଏବଂ ସନ୍ତୋଷ ସାହୁ ଘଟଣାସ୍ଥଳରେ ପହଂଚି ଲୋକଙ୍କ ସହ ଆଲୋଚନା କରିଥିଲେ। ଏହାପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଆନ୍ଦୋଳନ ଓ ବିକ୍ଷୋଭ କରାଯାଇଥିଲା। ତେବେ ଏନ୍.ଟି.ପି.ସି କଣିହାଁ ପ୍ରକଳ୍ପର ଡିଜିଏମ୍ (ଏଚ୍ ଆର) ଜାକିର ଖାନ୍ ଏବଂ ଅନ୍ୟ ୨ଜଣଙ୍କୁ କିଛି ବ୍ୟକ୍ତି ଦୁର୍ବ୍ୟବହାର ପ୍ରଦର୍ଶନ କରିବାସହ ଧସ୍ତାଧସ୍ତି କରିଥିଲେ। ଏପରିକି ଉକ୍ତ ବ୍ୟକ୍ତିମାନେ ୩ଅଧିକାରୀଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିବାର ପ୍ରତୀୟମାନ ହୋଇଥିଲା ବୋଲି ଏନ୍.ଟି.ପି.ସି କଣିହାଁ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ ସୂଚନା ଦିଆଯାଇଛି। ଏହି ସମସ୍ତ ଘଟଣା ଘଟୁଥିବା ସମୟରେ ତାଳଚେରର ମାନ୍ୟବର ବିଧାୟକ ବ୍ରଜକିଶୋର ପ୍ରଧାନ ଉପସ୍ଥିତ ଥିଲେ। ଏହି ଆକ୍ରମଣ ଘଟଣାରେ ପଙ୍କଜ ପ୍ରଧାନ, ରୁଦ୍ର ନାୟକ ଓ ଭାଗିରଥି ସାହୁ ସଂଶ୍ଲିଷ୍ଟ ରହିଥିବାର ଏନ୍.ଟି.ପି.ସି କଣିହାଁ ପକ୍ଷରୁ କୁହାଯାଇଛି। ତେବେ ଜେ.ଆଇ.ଟି.ପି.ଏଲ କମ୍ପାନୀରେ କୋଇଲା ପରିବହନ ପାଇଁ ନିୟୋଜିତ ଭାରି ଟ୍ରକ ଏହି ଦୁର୍ଘଟଣାରେ ଦାୟୀ ଥିବାବେଳେ ଏବଂ ଏଥିରେ ଏନ୍.ଟି.ପି.ସି କଣିହାଁର କୈାଣସି ଭୂମିକା ନଥିବା ବେଳେ ଉକ୍ତ ବ୍ୟକ୍ତିମାନେ ପ୍ରକଳ୍ପର ଅଧିକାରୀ ମାନଙ୍କୁ ମାରଧର କରିବା ଏବଂ ବାଧ୍ୟବାଧକତାରେ ମୋଟା ଅଙ୍କର କ୍ଷତିପୂରଣ ଦାବି କରିବା କେତେ ଦୂର ଯୁକ୍ତିଯୁତ ବୋଲି ଏନ୍.ଟି.ପି.ସି କଣିହାଁ ପକ୍ଷରୁ ପ୍ରଶ୍ନ କରାଯାଇଛି। ଅପରପକ୍ଷରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିବାରକୁ ନଗଦ ୨ଲକ୍ଷ ଟଙ୍କାର ଅର୍ଥରାଶି ଏବଂ ପରେ ଆଉ ୩ଲକ୍ଷ ଟଙ୍କା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦିଆ ଯିବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Leave a Reply

Your email address will not be published. Required fields are marked *