ଭାରତ-ସୋମାଲିଆ ମଧ୍ୟରେ ବନ୍ଦୀ ବିନିମୟ ବୁଝାମଣା ପ୍ରସ୍ତାବକୁ କ୍ୟାବିନେଟ ମୋହର

ନୂଆଦିଲ୍ଲୀ ୭/୬ (ଓଡ଼ିଆ ପୁଅ) ଦୁଇ ଦେଶର ବନ୍ଦୀମାନଙ୍କୁ ପରସ୍ପର ମଧ୍ୟରେ ବିନିମୟ କରିବା ଲାଗି ଭାରତ-ସୋମାଲିଆ ମଧ୍ୟରେ ବୁଝାମଣା ହେବ। ଏହି ବୁଝାମଣା ପ୍ରସ୍ତାବ ଏବଂ ଏହାର ପରବର୍ତୀ ଅନୁସମର୍ଥନକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି।

ବୁଝାମଣା ଫଳରେ ସୋମାଲିଆରେ ବନ୍ଦୀ ଜୀବନ ବିତାଉଥିବା ଭାରତୀୟମାନଙ୍କୁ ନିଜ ଦେଶକୁ ଅଣାଯିବ ଏବଂ ଭାରତରେ ବନ୍ଦୀଥିବା ସୋମାଲି ନାଗରୀକମାନଙ୍କୁ ସେହି ଦେଶକୁ ପଠାଯିବ।

ବର୍ତମାନ ସୁଦ୍ଧା ଭାରତ ସରକାର ପାରସ୍ପରିକ ବନ୍ଦୀ ବିନିମୟ ପାଇଁ ବ୍ରିଟେନ, ମରିସସ, ବୁଲଗାରିଆ, ବ୍ରାଜିଲ, ଇସ୍ରାଏଲ, ବୋସନିଆ ଓ ହେର୍ଜେଗୋବିନା, ମିଳିତ ଆରବ ଅମିରତନ୍ତ୍ର (ୟୁଏଇ), ଇଟାଲୀ, ତୁର୍କୀ, ମାଳଦ୍ୱୀପ, ଥାଇଲାଣ୍ଡ, ରୁଷିଆ, କୁଏତ, ଭିଏତନାମ, ଅଷ୍ଟ୍ରେଲିଆ, ହଂକଂ, କାତାର, ମଙ୍ଗୋଲିଆ, କାଜକାସ୍ତାନ, ବାହାରିନ ଓ ଏସ୍ତୋନିଆ ସହ ରାଜିନାମା କରି ସାରିଛି।

୨୦୦୪ ପୂର୍ବରୁ ଦେଶରେ ଏଭଳି ଆଇନ ନଥିଲା। ବନ୍ଦୀ  ପ୍ରତ୍ୟର୍ପଣ ଆଇନ ଅନୁମୋଦିତ ହେବାପରେ ଭାରତ ଏହିସବୁ ଦେଶମାନଙ୍କ ସହ ବନ୍ଦୀ ବିନିମୟ ବୁଝାମଣା କରିଛି। ଯାହାଫଳରେ କି ସମ୍ପୃକ୍ତ ଦେଶଗୁଡିକରେ ବନ୍ଦୀ ଜୀବନ ବିତାଉଥିବା ଭାରତୀୟମାନଙ୍କୁ ଅବଶିଷ୍ଟ ସମୟ ପାଇଁ ଭାରତ ଅଣାଯାଇ ପାରିବ ଏବଂ ନିଜ ଦେଶରେ ସେମାନେ ସମ୍ପର୍କୀୟମାନଙ୍କ ସଂସ୍ପର୍ଶରେ ଆସିପାରିବେ। ସେହିପରି ଅନ୍ୟ ଦେଶମାନେ ମଧ୍ୟ ଭାରତରେ ଥିବା ବନ୍ଦୀମାନଙ୍କୁ ସେମାନଙ୍କ ଦେଶକୁ ନେଇପାରିବେ।

Leave a Reply

Your email address will not be published. Required fields are marked *