ଭାରତୀୟ ଗଣତନ୍ତ୍ର ଓ ଏହାର ନିର୍ବାଚନ ପଦ୍ଧତି ଅତ୍ୟନ୍ତ ତୃଟିପୂର୍ଣ୍ଣ : ଏହା ନିକଟରେ ଅନୁଷ୍ଠିତ କର୍ଣ୍ଣାଟକ ବିଧାନ ସଭା ନିର୍ବାଚନର ଫଳାଫଳରୁ ବେଶ୍ ସୂଚୀତ : ଏଫ୍.ପି.ଆଇ

– ରାଜନୈତିକ ନ୍ୟାୟ ପାଇଁ ସାରା ଦେଶରେ ଜର୍ମାନୀରେ ଅନୁସୃତ ନିର୍ବାଚନ ପଦ୍ଧତି ଓ ମନ୍ତ୍ରୀ ମଣ୍ଡଳ ଗଠନ ପଦ୍ଧତି ଭାରତରେ ଅନୁସୃତ ହେବା ଦରକାର – ଏଫ୍.ପି.ଆଇ.

ଭୁବନେଶ୍ୱର ୧୭ ମଇ (ଓଡ଼ିଆ ପୁଅ) ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆର ୬ଷ୍ଠ ପ୍ରତିଷ୍ଠା ଦିବସ ପାଳନ ଅବସରରେ କର୍ଣ୍ଣାଟକ ବିଧାନ ସଭା ନିର୍ବାଚନ, ୨୦୧୮ର ଫଳାଫଳର ସମୀକ୍ଷା ସହ ଆନୁପାତିକ ନିର୍ବାଚନ ପଦ୍ଧତିର ଆବଶ୍ୟକତା ଉପରେ ଏକ ଆଲୋଚନାଚକ୍ର ଦଳର ସଭାପତି ଡ଼. ବିଜୟାନନ୍ଦ କରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ରୋଟାରୀ ଭବନ ସଭା କକ୍ଷରେ ଆଜି (୧୭.୦୫.୨୦୧୮) ଅନୁଷ୍ଠିତ ହୋଇଛି। ଆଲୋଚନାଚକ୍ରକୁ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ସାମ୍ବାଦିକ ଓ ରାଜନୈତି ବିଶ୍ଳେଷକ ଶ୍ରୀଯୁକ୍ତ ରବି ଦାସ ଉଦ୍ଘାଟନ କରିଛନ୍ତି। ଏଥିରେ ଭିନ୍ନ ଭିନ୍ନ ରାଜନୈତିକ ଦଳ ଓ ନେତୃସ୍ଥାନୀୟ ବ୍ୟକ୍ତି ଓ ବୁଦ୍ଧିଜୀବୀ ନିଜର ନିଜର ବଳିଷ୍ଠ ଭାବନା ବ୍ୟକ୍ତ କରିଛନ୍ତି।

“ମୁକ୍ତଚିନ୍ତନବାଦୀ” ‘ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ’ର ସିଦ୍ଧାନ୍ତ :

ଭାରତୀୟ ଗଣତନ୍ତ୍ର ଓ ଭାରତୀୟ ନିର୍ବାଚନ ପଦ୍ଧତି ରାଜନୈତିକ ନ୍ୟାୟଠାରୁ ବହୁତ ଦୂରରେ। ଦେଶରେ ବହୁ ଦଳୀୟ ବ୍ୟବସ୍ଥା ଥିବାରୁ ଏବଂ ଦେଶରେ ଆନୁପାତିକ ପ୍ରତିନିଧିତ୍ୱର ଆଦର ନଥିବାରୁ ଅନେକ ସ୍ଥଳରେ କେତେକ ରାଜନୈତିକ ଦଳ କମ୍ ଭୋଟ ବଳରେ ଅଧିକ ସିଟ୍ ପାଉଛନ୍ତି। ଯଥା : ୨୦୧୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ମାତ୍ର ୩୧% ଭୋଟ ବଳରେ ଲୋକ ସଭାର ୫୨% ସିଟ୍ ଅଧିକାର କରିଛି। ଫଳରେ ବିଜେପିର ପ୍ରମୁଖ ନେତା ନରେନ୍ଦ୍ର ମୋଦି ଭାରତର ପ୍ରଧାନ ମନ୍ତ୍ରୀ ହୋଇଛନ୍ତି।

ଏପରି ଚିତ୍ର ରାଜ୍ୟ ସ୍ତରରେ ମଧ୍ୟ ରହିଛି। ଓଡ଼ିଶାରେ ଗତ ୨୦୧୪ ନିର୍ବାଚନରେ ବିଜେଡ଼ି ଦଳକୁ ୪୩% ଭୋଟ ମିଳିଥିଲା। ମାତ୍ର ଏହି ଦଳ ରାଜ୍ୟ ବିଧାନ ସଭାର ୧୪୭ରୁ ୧୧୬ ଆସନରେ ବିଜୟ ଲାଭ କରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟବାସୀଙ୍କୁ ଶାସନ କରୁଛି। ୪୩% ଭୋଟରେ ୮୦% ସିଟ୍। ୫୭% ମତଦାତା ବିଜେଡ଼ି ବିରୁଦ୍ଧରେ ଭୋଟ ଦେଇଥିଲେ। ମାତ୍ର ସେମାନଙ୍କର ପ୍ରତିନିଧିତ୍ୱ ହୋଇଛି ମାତ୍ର ୨୦% ତେବେ ନିକଟରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ୩ଟି ଯାକ ସ୍ଥାନରେ ବିଜେଡ଼ି ଦଳର ପ୍ରାର୍ଥୀମାନେ ଜୟଲାଭ କରିଛନ୍ତି। ଆମ ଦେଶରେ ନିର୍ବାଚନ ପଦ୍ଧତି ତୃଟିପୂର୍ଣ୍ଣ ଥିବାରୁ ୪୩%, ୮୦% ସିଟ୍କୁ ରୂପାନ୍ତରିତ ହେଲା ଏବଂ ରାଜ୍ୟସଭା ନିର୍ବାଚନ ବେଳକୁ ଏହା ୧୦୦% ହେଲା। ଅର୍ଥାତ୍, ୫୭% ଭୋଟ୍ରଙ୍କ ମତଦାନ କାର୍ଯ୍ୟତଃ ବିଧାନସଭାରେ ୨୦% ଏବଂ ରାଜ୍ୟସଭା ନିର୍ବାଚନ ବେଳକୁ ୦% ରେ ପହଞ୍ଚିଲା।

ଦୁଃଖର କଥା ଏହି ଯେ, ଏ ବିଷୟରେ ଯେତିକି ଚିନ୍ତା ଚେତନା ଜନମାନସରେ, ବୁଦ୍ଧିଜୀବୀ ସ୍ତରରେ ଓ ରାଜନୈତିକ ଦଳର ବୈଠକରେ ପ୍ରକଟିତ ହେବା କଥା ତାହା ଆଦୌ ହେଉ ନାହିଁ।

ନିକଟରେ, ଅର୍ଥାତ୍ ୧୨.୦୫.୨୦୧୮ରେ, କର୍ଣ୍ଣାଟକ ବିଧାନସଭାରେ ହୋଇଥିବା ନିର୍ବଚାନର ଫଳାଫଳ ଗତ ୧୫.୦୫.୨୦୧୮ରେ ସାମ୍ନାକୁ ଆସିଛି। ଲଜ୍ଜ୍ୟାର ବିଷୟ ଏହି ଯେ, ୨୨୨ ସଭ୍ୟ ବିଶିଷ୍ଟ କର୍ଣ୍ଣାଟକ ବିଧାନ ସଭାରେ ୩୮% ଭୋଟ ପାଇଥିବା କଂଗ୍ରେସ୍ ଦଳକୁ ମିଳିଛି ମାତ୍ର ୭୮ଟି ଆସନ। ଅପର ପକ୍ଷରେ, ଏହି ଦଳର ତୀବ୍ର ବିରୋଧି ଦଳ ବିଜେପି କୁ ମିଳିଛି ୧୦୪ ଟି ଆସନ। ମାତ୍ର ଏହି ଦଳ ପଛରେ ସେପରି ଜନମତ ନାହିଁ। କଂଗ୍ରେସ ଦଳ ତୁଳନାରେ ଏହି ଦଳକୁ ୨% କମ୍ ଭୋଟ୍ ମିଳିଛି। ୩୬% ରେ ୧୦୪: ୩୮%ରେ ୭୮ -ଏଥିରେ କି ରାଜନୈତିକ ନ୍ୟାୟ ରହିଛି ? ଏଥିରେ ବସ୍ତୁତଃ ରାଜନୈତିକ ଅନ୍ୟାୟ ଭରି ରହିଛି।

କର୍ଣ୍ଣାଟକରେ ରହିଥିବା ଜେଡ଼ିଏସ୍ ଦଳକୁ ୧୮% ଭୋଟରେ ମିଳିଛି ୩୮ଟି ଆସନ। ଏହି ଦଳ ଏବଂ କଂଗ୍ରେସକୁ ୫୬%ରୁ ଅଧିକ ଭୋଟ ମିଳିଛି ଏବଂ ଏହି ଦୁଇ ଦଳର ମିଳିତ ସଂଖ୍ୟା ୧୧୬। ଏହା ସତ୍ତ୍ୱେ ରାଜ୍ୟର ରାଜ୍ୟପାଳ ସଂଖ୍ୟା ଗରିଷ୍ଠତା ନଥିବା ବିଜେପି ଲେଜିସ୍ଲେଚର ପାର୍ଟିର ନେତା ବି.ଏସ୍ ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପାଇଁ ଆମନ୍ତ୍ରଣ କରି ୧୭.୦୫.୨୦୧୮ରେ ଶପଥ ଦିଆଇଛନ୍ତି। ଏହି ଶପଥ ପ୍ରକ୍ରିୟାକୁ ସୁପ୍ରିମ୍କୋର୍ଟର ୩ ଜଣ ବିଚାରପତି ମଧ୍ୟ ରାତି ଅଧିଆ ବିଚାରବିମର୍ଶ ସତ୍ତ୍ୱେ ଅଟକାଇ ପାରି ନାହାନ୍ତି। ରାଜ୍ୟପାଳ ବିଜେପି ନେତା ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କୁ ୧୫ ଦିନ ସମୟ ଦେଇଛନ୍ତି – ଗୃହରେ ନିଜର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପାଇଁ। ଏହା ଦ୍ୱାରା ରାଜନୈତିକ ଘୋଡ଼ା ବେପାର ପାଇଁ ସେ ବିଜେପି ଦଳକୁ ବିଶେଷ ସୁଯୋଗ ଦେଇଛନ୍ତି। ଏହି ଭ୍ରଷ୍ଟାଚାର ବିରୋଧରେ ଦେଶର ସର୍ବୋଚ୍ଚ ବିଚାରାଳୟ ଯାହା କରିବା କଥା ତାହା କରି ନାହାନ୍ତି।

ଜର୍ମାନୀ, ନେପାଳ ଏବଂ ନ୍ୟୁଜ୍ଲାଣ୍ଡ ଆଦି ଦେଶରେ ମିକ୍ସ୍୍ଡ୍ ଆନୁପାତିକ ପ୍ରତିନିଧିତ୍ୱର (ଏମ୍.ପି.ଆର.) ବ୍ୟବସ୍ଥା ରହିଛି। ୩୬% ଭୋଟମାନେ ୩୬% ପ୍ରତିନିଧିତ୍ୱ। ୪୩% ଭୋଟମାନେ ୪୩% ପ୍ରତିନିଧିତ୍ୱ। ପ୍ରତିନିଧିତ୍ୱରେ କମିବାର ନାହିଁ କି ବଢ଼ିବାର ନାହିଁ। ତେଣୁ ଜର୍ମାନୀରେ, ନେପାଳରେ ଏବଂ ନ୍ୟୁଜଲାଣ୍ଡରେ ଯଥାର୍ଥ ରାଜନୈତିକ ନ୍ୟାୟ ମିଳିପାରୁଛି। ଏପରି ରାଜନୈତିକ ନ୍ୟାୟଗତ ପ୍ରତିନିଧିତ୍ୱ ଭାରତରେ ହେବ ନାହିଁ କାହିଁ କି ? ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆର ଏହା ହେଉଛି ମୌଳିକ ପ୍ରଶ୍ନ। ଏହି ପ୍ରଶ୍ନ ହେଉଛି ବିଜେପିର ତୁଙ୍ଗନେତା ନରେନ୍ଦ୍ର ମୋଦିଙ୍କୁ। ଏହି ପ୍ରଶ୍ନ ହେଉଛି କଂଗ୍ରେସର ତୁଙ୍ଗନେତା ରାହୁଳ ଗାନ୍ଧିଙ୍କୁ। ଏହି ପ୍ରଶ୍ନର ହେଉଛି ଟିଏମ୍ସି ନେତ୍ରି ମିସ୍ ମମତା ବାନାର୍ଜିଙ୍କୁ। ଏବଂ ଏହି ପ୍ରଶ୍ନ ହେଉଛି ବିଜେଡ଼ିର ତୁଙ୍ଗନେତା ନବୀନ ପଟ୍ଟନାୟକଙ୍କୁ।

ମନ୍ତ୍ରିମଣ୍ଡଳ ଗଠନର ବ୍ୟବସ୍ଥା ଏବଂ ଏହାର ସ୍ଥିତାବସ୍ଥା ଜର୍ମାନୀର ହେଉଛି ସର୍ବୋତ୍ତମ। ନିର୍ବାଚନ ପରେ ପରେ ନିର୍ବାଚିତ ସଦସ୍ୟମାନେ ଗୃହରେ ଏକତ୍ରିତ ହୋଇ ଗୃହର ନେତାରୂପେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ନିର୍ବାଚିତ କରନ୍ତି। ଏପରି ନିର୍ବାଚିତ ନେତା ବା ନେତ୍ରୀ ଦେଶର ଶାସନ ମୁଖ୍ୟ ହୁଅନ୍ତି ଏବଂ ସରକାର ଗଠନ କରନ୍ତି।

ସରକାରଙ୍କୁ ଗଡ଼ାଇ ଦେବା ପାଇଁ ଯଦି ଅନାସ୍ଥା ପ୍ରସ୍ତାବ ଆଗତ ହୁଏ ତେବେ ଉକ୍ତ ଅନାସ୍ଥା ପ୍ରସ୍ତାବରେ ବିକଳ୍ପ ନେତାଙ୍କର ନାମ ଉଲ୍ଲିଖିତ ହେବା ଦରକାର ଏବଂ ଗୃହର ସଂଖ୍ୟା ଗରିଷ୍ଠ ସଦସ୍ୟଙ୍କର ସେହି ବିକଳ୍ପ ନେତାଙ୍କ ପ୍ରତି ସମର୍ଥନ ରହିଛି ବୋଲି ପ୍ରକାଶ୍ୟଭାବେ ଜଣାଇବା ବାଧ୍ୟତାମୂଳକ। ଆମ ଦେଶ ଭାରତରେ ଏବଂ ଦେଶରେ ପ୍ରତି ରାଜ୍ୟରେ ଏ ବ୍ୟବସ୍ଥା ଲାଗୁ ହେବା ଦରକାର। ଫଳରେ ରାଜନୈତିକ ଘୋଡ଼ା ବେପାର ଓ ରାଜନୈତି ଭ୍ରଷ୍ଟାଚାର ଭାରତ ମାଟିରୁ ଦୂରୀଭୂତ ହେବ। ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ସୁ-ପ୍ରତିନିଧିତ୍ୱ ସୁ-ଶାସନର ମୂଳଦୁଆ।

Leave a Reply

Your email address will not be published. Required fields are marked *