ଓଡ଼ିଶା

ଭାରତୀୟ କନିଷ୍ଠ ଫୁଟବଲ ଖେଳାଳୀ ଅମନଙ୍କୁ ବିପୁଳ ସମ୍ବର୍ଦ୍ଧନା ରାଉରକେଲାର ଗର୍ବ ଓ ଭାରତର ଗୌରବ ପାଲଟି ହୃଦୟ ଜିତିଲେ

ରାଉରକେଲା ୧୩-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଭାରତୀୟ କନିଷ୍ଠ ଫୁଟବଲ ଖେଳାଳୀ ଅମନ ଖାଲକୋ(୧୪)ଙ୍କୁ ରାଉରକେଲାରେ ବିପୁଳ ସମ୍ବର୍ଦ୍ଧନା ଅର୍ପଣ କରାଯାଇଛି। ୧୫ ବର୍ଷରୁ କମ୍ ବୟସ ବର୍ଗରେ ୪ଜଣ ଭାରତୀୟ କନିଷ୍ଠ ଫୁଟବଲ ଖେଳାଳୀ ସ୍ଥାନ ପାଇଥିବା ବେଳେ ତାହା ମଧ୍ୟରୁ ଅମନ ଅନ୍ୟତମ। ଗତ ଅଗଷ୍ଟ ମାସରେ ଚୀନର ସାଂଘାଇ ଠାରେ ଅନୁଷ୍ଠିତ ଜିନସାନ କପ କନିଷ୍ଠ ଫୁଟବଲ ଖେଳରେ ଅମନ ନିଜର ଖେଳ ପ୍ରତିଭାକୁ ଚତ୍ମକାରିତା ସହିତ ପ୍ରଦର୍ଶନ କରିଥିଲେ। ଅମନ ଖାଲକୋ ରାଉରକେଲା ଫେରିବା ପରେ ଝିରପାଣି ବାସୀଙ୍କ ପକ୍ଷରୁ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆଜି ଝିରପାଣି ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅମନଙ୍କ ଉଦ୍ଦେଶ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଝିରପାଣି ସରପଂଚ ପ୍ରଭା ଖାଲକୋ ଯୋଗ ଦେଇଥିବା ବେଳେ, ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଶ୍ରା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁଶୀଲ କିଣ୍ଡୋ, ସାଇବୁ ଲୋହାର, ସୁରା ଓରାମ ପ୍ରମୁଖ ମଂଚାଶୀନ ଥିଲେ। କାର୍ଯ୍ୟକ୍ରମକୁ ରାଉରକେଲାର ଯୁବ ସମାଜସେବୀ ରାଜେଶ ଖାଡ଼ିଆ ମଂଚ ପରିଚାଳନା କରିଥିଲେ। ବିଶିଷ୍ଟ ସମାଜସେବୀ ଅଜୟ ଖାଲକୋଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଶାନ୍ତି ଲୋହାର, କୁଂଜ ତିର୍କୀ, ଫିରୋଜ କିସପୋଟା, ବିଜୟ ତନ୍ତୀ, ଅମିତ ତନ୍ତୀ, ରଂଜିତା ଦିଦି, ସବିତା ଖାଲକୋ, ସୁରଜ ଖାଲକୋଙ୍କ ସମେତ ଝିରପାଣିର ଶତାଧିକ ବାସିନ୍ଦା ଉପସ୍ଥିତ ଥିଲେ। ପ୍ରକାଶ ଥାଉକି, ପିତା ଗାନ୍ଦୁର ଓରାମ ଓ ମାତା ସୀମା ଓରାମଙ୍କ ସୁପୁତ୍ର ଅମନ ଝିରପାଣିରେ ଜନ୍ମଗ୍ରହଣ କରିଥିଲେ। ଛୋଟ ବେଳରୁ ତାଙ୍କୁ ଫୁଟବଲ ଖେଳ ପ୍ରତି ରୁଚି ରହିଥିଲା। ଏହି ଖେଳ ପ୍ରତି ଅତ୍ୟଧିକ ଆଗ୍ରହ ପ୍ରକାଶ ଦେଖି ଅମନଙ୍କୁ ଅଂଚଳର ସମାଜସେବୀ ଅଜୟ ଖାଲକୋ ଫୁଟବଲ ଖେଳରେ କିପରି ସେ ସୁନାମ ଅର୍ଜନ କରିବେ ସେଥିପ୍ରତି ଚେଷ୍ଟିତ ରହିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top