ଭାରତୀସାହିରେ ଭୟାବହ ଅଗ୍ନିକାଣ୍ଡ:୩୦ ପରିବାରର ୭୫ ବଖରା ଭସ୍ମୀଭୂତ

ଭଦ୍ରକ, ୨୦ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ କାଶିମପୁର ପଞ୍ଚାୟତ ଖଡିମାହାରା ଭାରତୀସାହି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଭୟାଭବ ଅଗ୍ନିକାଣ୍ଡ ଘଟି ଗ୍ରାମର ୩୦ ପରିବାରଙ୍କ ୭୫ ବଖରା ଘର ନିଆଁରେ ପୋଡି ଭସ୍ମୀଭୂତ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଧନ ସମ୍ପତ୍ତି ନଷ୍ଟ ହୋଇଥିବା କୁହାଯାଇଛି। ତେବେ ଗୁହାଳ ଘରେ ଧୂଆଁରୁ ନିଆଁ ବାହାରି ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି। ଗ୍ରାମର ଭଗବାନ ଭାରତୀ, ବିମଳା ଭାରତୀ, ବୈଲେଚନ ଭାରତୀ, ଦେବେନ୍ଦ୍ର ଭାରତୀ, ବିଷ୍ଣୁମୋହନ ଭାରତୀ, ବୈକୁଣ୍ଠ ଭାରତୀ, ଅରୁଣ ଭାରତୀ, ଅଧର ଭାରତୀ, ଅଶ୍ୱନୀ ଭାରତୀ, ଅମିତ ଭାରତୀ, ଅଶିତ ଭାରତୀ, କମଳକୁମାର ଭାରତୀ, ବିଭାଷ ଭାରତୀ, ଅବନୀ ଭାରତୀ, ଅଭିନାଶ ଭାରତୀ, ରବିନ୍ଦ୍ର ଭାରତୀ, ପ୍ରମୋଦ ଭାରତୀ, ବିକାଶ ଭାରତୀ, ପବିତ୍ର ଭାରତୀ, ପ୍ରକାଶ ଭାରତୀ, ମହେନ୍ଦ୍ର ଭାରତୀ, ମନୋରଂଜନ ଭାରତୀ, ଚିତ୍ତରଂଜନ ଭାରତୀ, ଦେବାଶିଷ ଆରଣ, ଆଶୁତୋଷ ଆରଣ, ନାରାୟଣ ଭାରତୀ, ମୂରଲୀ ଭାରତୀ, ସୁଦର୍ଶନ ଭାରତୀ, ସତ୍ୟବ୍ରତ ଭାରତୀ, ସଂଶାଙ୍କ ଭାରତୀ ପ୍ରମୁଖ ଘର ପୋଡି ଭସ୍ମୀଭୂତ ହୋଇଛି। ଖବରପାଇ ଧାମନଗର ଦମକଳ ବାହିନୀ ଘଟଣା ସ୍ଥଳେ ପହଞ୍ଚିବା ପୂର୍ବରୁ ସମସ୍ତ ଆସବାପତ୍ର ପୋଡି ପାଉଁଶ ହୋଇଯାଇଥିଲା। ଆଜି ସକାଳେ ତହସିଲଦାର ଚାଲର୍ସ ନାୟକ ଓ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିଲେ। ଅଗ୍ନି ବିପନ୍ନ ପରିବାର ବର୍ଗଙ୍କୁ ପଲିଥିନ ସହିତ ପ୍ରତ୍ୟେକ ପରିବାରକୁ ୩୮ଶହ ଟଙ୍କା ପ୍ରଦାନ କରାଯାଇଛି। ପରେ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିବିସିସି ସଭାପତି ରଘୁନାଥ ଲେଙ୍କା, ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ ପହଞ୍ଚି ବିପନ୍ନଙ୍କୁ ଭେଟି ତୁରନ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ବିଧାୟକ ପ୍ରଶାସନକୁ ନିର୍ଦେଶ ଦେଇଥିଲେ। ଅଗ୍ନିକାଣ୍ଡର କ୍ଷୟକ୍ଷତି ଆକଳନ ପରେ ପ୍ରକୃତ ବିପନ୍ନଙ୍କୁ ଚିହ୍ନଟ କରାଯାଇ ପକ୍କାଘର ଯୋଗାଇ ଦିଆଯିବ ବୋଲି ବିଧାୟକ ମଣ୍ଡଳ ସୂଚନା ଦେଇଥିଲେ। ତେବେ ଧୁଷୁରୀ ଠାରେ ଦୀର୍ଘ ଦିନ ଧରି ଏକ ଦମକଳ କେନ୍ଦ୍ର ସ୍ଥାପନ ପାଇଁ ଦାବି ହୋଇ ଆସୁଥିବା ବେଳେ ଏପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ବହୁ ଦୂରତ୍ୱରେ ଥିବା ଧାମନଗରରୁ ଦମକଳ ଗାଡି ଆସି ପହଞ୍ଚିବା କଷ୍ଟକର ବ୍ୟାପର ହୋଇପଡୁଛି। ଧୁଷୁରୀରେ ଦମକଳ କେନ୍ଦ୍ର ସ୍ଥାପନ ହେଲେ ତୁରନ୍ତ ଅଗ୍ନିକାଣ୍ଡ ସ୍ଥଳରେ ଗାଡି ପହଞ୍ଚି ପାରନ୍ତା ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *