ଭାରତର ୪୮ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସମାରୋହ ଗୋଆରେ ଉଦଘାଟିତ: ୮୨ଟି ଦେଶରୁ ୧୯୫ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ

ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଭାରତକୁ ଆମନ୍ତ୍ରଣ କରିବା ଆଇଏଫଏଫଆଇର ପ୍ରୟାସ : ଶ୍ରୀମତି ସ୍ମୃତି ଜୁବିନ ଇରାନୀ
– ସ୍ୱର୍ଣ୍ଣ, ରୌପ୍ୟ ମୟୁର ପୁରସ୍କାର ନିମନ୍ତେ ୧୫ଟି ଚଳଚ୍ଚିତ୍ର ମଧ୍ୟରେ ପ୍ରତିଯୋଗିତା

ଗୋଆ ୨୦-୧୧ (ଓଡ଼ିଆ ପୁଅ) କେନ୍ଦ୍ର ସୂଚନା ଏବଂ ପ୍ରସାରଣ ତଥା ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତି ସ୍ମୃତି ଜୁବିନ ଇରାନୀ କହିଛନ୍ତି ଯେ ଭାରତ ହେଉଛି ଉତ୍ସବ, ସମାରୋହ, ସକ୍ରିୟ ଯୁବଶକ୍ତି ଏବଂ କାହାଣୀର ଭୂମି। ଏଠାରେ ୧୬୦୦ଟି ଭାଷାରେ କାହାଣୀ କୁହାଯାଇଥାଏ। ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଗୋଆରେ ୪୮ତମ ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ ସମାରୋହରେ ଉଦବୋଧନ ଦେଇ ଏହା କହିଛନ୍ତି।

ଶ୍ରୀମତୀ ଇରାନୀ କହିଥିଲେ ଯେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ମାଧ୍ୟମରେ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ କାହାଣୀର ଭୂମି ଭାରତକୁ ଆମନ୍ତ୍ରଣ କରିବା ଳାଗି ଭାରତ ସରକାର ପ୍ରୟାସ କରୁଛନ୍ତି। ଆଇଏଫଏଫଆଇର ଭୂମିକା ବିଷୟରେ ସେ କହିଥିଲେ ଯେ ଏହି ସମାରୋହ ଚଳଚ୍ଚିତ୍ରପ୍ରେମୀଙ୍କ ପାଇଁ ଭାରତୀୟ ଚଳଚ୍ଚିତ୍ର ଉଦ୍ୟୋଗର ବୃହତ ଏବଂ ଉଜ୍ଜ୍ୱଳ ତାରକାଙ୍କୁ ଭେଟିବା ଲାଗି ସୁଯୋଗ ଆଣିଦେବ।

ଗୋଆ ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ପାରିକର ଏହି ସମାରୋହରେ ଭାଗ ନେଉଥିବା ପ୍ରତିନିଧିମାନଙ୍କୁ ସ୍ୱାଗତ କରି କହିଥିଲେ ଯେ ଗୋଆ ୨୦୧୯ରେ ୫୦ତମ ଆଇଏଫଏଫଆଇର ଆୟୋଜନ ଭବ୍ୟତାର ସହ କରିବ। ସେ କହିଥିଲେ ଯେ ଗୋଆରେ ଗତ କିଛିବର୍ଷ ଧରି ଭଲ ଚଳଚ୍ଚିତ୍ରର ସଂସ୍କୃତି ବିକଶିତ ହୋଇଛି ଏବଂ ରାଜ୍ୟ ସରକାର ଗୋଆରେ ଚଳଚ୍ଚିତ୍ର ଉଦ୍ୟୋଗକୁ ବିକଶିତ କରିବାର କାର୍ଯ୍ୟ ଜାରି ରଖିବେ।

ଏଥିପୂର୍ବରୁ ପ୍ରସିଦ୍ଧ ଅଭିନେତା ଶାହରୁଖ ଖାନ ଚଳଚ୍ଚିତ୍ର ନିର୍ମାତା ଏବଂ ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇ କହିଥିଲେ ଯେ ଚଳଚ୍ଚିତ୍ର ପ୍ରେମ ପାଇଁ ଉଦ୍ଦିଷ୍ଟ। ଏକ ଚିନ୍ତାଧାରାକୁ ବାସ୍ତବତାରେ ବଦଳାଇବା ପାଇଁ ଶତାଧିକ ଲୋକ ମିଶି କାମ କରିଥାନ୍ତି। ସେ କହିଥିଲେ ଯେ କାହାଣୀକୁ କହୁଥିବା ଏବଂ କାହାଣୀକୁ ଶୁଣୁଥିବା ଲୋକ ଗୋଟିଏ ପରିବାର ଭଳି ହୋଇଥା’ନ୍ତି। କାହାଣୀରେ ପରସ୍ପରକୁ ବାନ୍ଧିବାର ଶକ୍ତି ରହିଥାଏ।

ଆଇଏଫଏଫଆଇ ୨୦୧୭ର ଉଦଘାଟନୀ ସମାରୋହକୁ ରାଜକୁମାର ରାଓ ଏବଂ ରାଧିକା ଆପ୍ତେ ପରିଚାଳନା କରିଥିଲେ। ଏହି ଅବସରରେ ଜଣାଶୁଣା ଚଳଚ୍ଚିତ୍ର ତାରକା ଏ.ଆର.ରେହମାନ, ଶ୍ରୀଦେବୀ, ନାନା ପାଟେକର ତଥା ଶାହିଦ କପୁର ଉପସ୍ଥିତ ଥିଲେ। ଉଦଘାଟନୀ ସମାରୋହରେ କେତେକ ଚିତାକର୍ଷକ କାର୍ଯ୍ୟକ୍ରମ ଯେପରିକି ‘ଭାରତୀୟ ଢୋଲ’ ପରିବେଷଣ କରାଯାଇଥିଲା। ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଢୋଳ ବଜାଯାଇଥିଲା। ଭିଜୁଆଲ କାର୍ଯ୍ୟକ୍ରମରେ ଭାରତୀୟ ସଂସ୍କୃତିର ବିବିଧତା ଦେଖିବାକୁ ମିଳିଥିଲା।

୪୮ତମ ଆଇଏଫଏଫଆଇରେ ସାମ୍ପ୍ରତିକ ଶ୍ରେଷ୍ଠ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଏଥିରେ ରେଟ୍ରୋସ୍ପେକ୍ଟ୍ରିଭ, ବ୍ରିକ୍ସ ପୁରସ୍କାର ବିଜେତା ଚଳଚ୍ଚିତ୍ର, ଶ୍ରଦ୍ଧାଞ୍ଜଳି ଏବଂ ଗତବର୍ଷର ଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ର ସିନେମା ପ୍ରଯୋଜନାକୁ ପ୍ରଦର୍ଶିତ କରୁଥିବା ଭାରତୀୟ ପାନୋରମା ବର୍ଗ ସାମିଲ ରହିଛି। ଏହାର ଉଦ୍ଦେଶ୍ୟ ଯୁବ ସୃଜନଶୀଳ ମସ୍ତିଷ୍କକୁ ଆଲୋଚନା ଏବଂ ବିଚାରର ଅଭିବ୍ୟକ୍ତି ଏବଂ ଶିକ୍ଷା ଲାଭର ମଂଚ ପ୍ରଦାନ କରିବା।
ଆଇଏଫଏଫଆଇ ୨୦୧୭ରେ ୮୨ଟି ଦେଶରୁ ୧୯୫ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଏଥର ୧୦ଟି ବିଶ୍ୱ ପ୍ରିମିୟର, ୧୦ଟି ଏସୀୟ ଏବଂ ଅନ୍ତର୍ଜାତୀୟ ପ୍ରିମିୟର ଏବଂ ୬୪ଟିରୁ ଅଧିକ ଭାରତୀୟ ପ୍ରିମିୟର ହେବ। ଆଇଏଫଏଫଆଇ ୨୦୧୭ର ଅନ୍ତର୍ଜାତୀୟ ପ୍ରତିଯୋଗୀତା ବର୍ଗରେ ସ୍ୱର୍ଣ୍ଣ ଏବଂ ରୌପ୍ୟ ମୟୁର ପୁରସ୍କାର ନିମନ୍ତେ ୧୫ଟି ଚଳଚ୍ଚିତ୍ର ମଧ୍ୟରେ ପ୍ରତିଯୋଗିତା ହେବ। ଅନ୍ତର୍ଜାତୀୟ ପ୍ରତିଯୋଗିତାର ବିଚାରକ ଦଳର ନେତୃତ୍ୱ ନେଉଛନ୍ତି ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ମୁଜାଫର ଅଲ୍ଲୀ ଏବଂ ଅନ୍ୟ ସଦସ୍ୟ ଭାବେ ଅଷ୍ଟ୍ରେଲିଆର ମ୍ୟାକ୍ସିନ ୱିଲିୟମସନ, ଇସ୍ରାଏଲର ଅଭିନେତା-ନିର୍ଦ୍ଦେଶକ ତଜହୀ ଗ୍ରାଡ, ରୁଷୀୟ ସିନେମାଟୋଗ୍ରାଫର ଭ୍ଲାଦିସ୍ଲାଭ ଓପେଲୟାନ୍ତ, ବ୍ରିଟେନର ନିର୍ଦ୍ଦେଶକ ଏବଂ ପ୍ରଡକସନ ଡିଜାଇନର ରୋଜର କ୍ରିଷ୍ଟିଆନ ସାମିଲ୍ ଅଛନ୍ତି।

Leave a Reply

Your email address will not be published. Required fields are marked *