ଜିଲ୍ଲା ପରିକ୍ରମା

ଭାରତର ପ୍ରଥମ ଫାଟକ ବିହୀନ ରେଳପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ, ଜମି ଅଧିଗ୍ରହଣ ସମସ୍ୟା ଯୋଗୁ ବିଳମ୍ବିତ ହେବା ସମ୍ଭାବନା

ଯାଜପୁର,୧୬.୩(ଓଡିଆପୁଅ/ମାନସ ରାଉତ):- ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପଂହଚିଥିବା ବେଳେ ଅଦ୍ୟାବଧି ଜମି ଅଧିଗ୍ରହଣ ହୋଇପାରୁନଥିବାରୁ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭାରତବର୍ଷର ପ୍ରଥମ ଫାଟକ ବିହୀନ ରେଳପଥ ଭାବେ ଅଗ୍ରାଧିକାର ଭିତ୍ତିରେ ନୂତନ ହରିଦାସପୁର-ପାରାଦୀପ ପ୍ରକଳ୍ପକୁ ସ୍ଥାନିତ କରାଯାଇଛି । ଦୀର୍ଘ ୮୨କି.ମି୨୦୦ମି ଦର୍ଘ୍ୟ ବିଶିଷ୍ଟ ଏହି ରେଳପଥ ୨୦୧୬ ଜୁନ ମାସରେ ଶେଷ ହେବା କଥା । ତେବେ ଜମି ଅଧିଗ୍ରହଣ ପକ୍ରିୟା ବିଳମ୍ବିତ ହେବାରୁ ଏହାର ଅବଧି ବଢିବଢି ଚାଲିଛି । ସୂଚନା ଥାଉକି ଏହି ରେଳପ୍ରକଳ୍ପଟି ଯାଜପୁର, କେନ୍ଦ୍ରାପଡା ଓ ଜଗସିଂହପୁର ଜିଲ୍ଲା ଦେଇ ଗତି କରୁଅଛି । ଏଥିରେ ପ୍ରଥମ ପର୍ଯ୍ୟାୟରେ ଯାଜପୁର ଜିଲ୍ଲାରେ ୪୫୩ଏକର ୭୭ଡିସିମିଲ, କେନ୍ଦ୍ରାପଡା ଜିଲ୍ଲାରେ ୮୮୨ଏକର ୧୭୪ଡିସିମିଲ, ଜଗସିଂହପୁର ଜିଲ୍ଲାରେ ୧୮୧ଏକର ୨୪୦ଡିସିମିଲି ବେସରକାରୀ ଜମି ଅଧିଗ୍ରହଣ ହୋଇଅଛି । ଏହାସହ ୨୨୮ଏକର୨୯୬ଡିସିମିଲି ସରକାରୀ ଜମି ଓ ୫ଏକର ୫୮୯ଡିସିମିଲି ଜଙ୍ଗଲଜମି ଅଧିଗୃହୀତ ହୋଇଛି । ତେବେ ଏହି ପ୍ରକଳ୍ପ ପ୍ରାଥମିକ ପ୍ରର୍ଯ୍ୟାୟରେ ଫାଟକଯୁକ୍ତ ରେଳପଥ କରାଯିବାର ଯୋଜନା ଥିବାବେଳେ ୨୦୧୩ମସିହାରେ ଫାଟକବୀହିନ ରେଳପଥ କରାଯିବାର ନିଷ୍ପତ୍ତି ନିଆଯାଇଥିଲା । ଏହି ପ୍ରକଳ୍ପପାଇଁ ୪୩୦କୋଟି ଟଙ୍କାର ବଜେଟ୍ ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ଆକଳନ କରାଯାଇଥିବା ବେଳେ ପରବର୍ତ୍ତୀ ମୂହର୍ତ୍ତରେ ଏହା ୧୨ଶହ କୋଟି ଟଙ୍କାକୁ ବୃଦ୍ଧିପାଇଥିଲା । ସେଥିପାଇଁ ପ୍ରକଳ୍ପର ଉଚ୍ଚତା ପ୍ରତ୍ୟକ ସ୍ଥାନରେ ବୃଦ୍ଧି କରାଯାଇଥିଲା । ୬ମିଟରରୁ ଆରମ୍ଭ କରି ୧୧ମିଟର ପ୍ରର୍ଯ୍ୟନ୍ତ ପ୍ରକଳ୍ପର ଉଚ୍ଚତା ବୃଦ୍ଧି ଯୋଗୁ ଅଧିକ ଜମି ଗ୍ରହଣର ଆବଶ୍ୟକତା ଦେଖାଦେଇଥିଲା । ସେଥିପାଇଁ ରେଳବିକାଶ ନିଗମ ଲିମଟେଡ୍ ୨୦୧୫ମସିହାରେ ଅଧିକ ୧୧ଏକର ଜମି ଅଧିଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ଚିଠିଲେଖି ଅନୁରୋଧ କରିଥିଲା । ସେଥିମଧ୍ୟରେ ସାହରାବାଟି ମୌଜାରେ ୧ଏକର ୧୩ଡିସିମିଲି, କଂଟିଗଡିଆ ୧ଏକର ୯୧ଡିସିମିଲି, ବେଣାପୁର ୯୩ଡିସିମିଲି, ହରିପୁର ୭ଡିସିମିଲି, ଦୌଲତପୁର ୩ଡିସିମିଲି, ମକୁନ୍ଦପୁର ୩ଡିସିମିଲି, ପତରାଜପୁର ୭ଡିସିମିଲି, ଗୋବଣ୍ଡିଆ ୩୭ଡିସିମିଲି, ପଲେଇ ୩୨ଡିସିମିଲି, ପାରିପଲେଇ ୫୪ଡିସିମିଲି, ଡେରାଢିହ ୭ଡିସିମିଲି, ନୂଆହାଟ ୧ଏକର, ମନ୍ତ୍ରୀପଡା ୧୮ଡିସିମିଲି, ନୂଆଗାଁ ୮୭ଡିସିମିଲି, ବାଜିପଡା ୬ଡିସିମିଲି, ହଳଦିଆ ୭ଡିସିମିଲି, ଗୁହାଳସିଂହ ୧ଏକର ୪୨ଡିସିମିଲି, ମଡରପୁର ୯୭ଡିସିମିଲି, ଶ୍ୟାମସୁନ୍ଦରପୁର ୯୯ଡିସିମିଲି ଓ ଓଡିଶୋ ୩ଡିସିମିଲି ଜମିର ଆବଶ୍ୟକତା ରହିଛି । ଏ ସମ୍ପର୍କରେ ଆର.ଭି.ଏନ୍.ଏଲ୍ ରାଜ୍ୟ ସରକାରଙ୍କୁ ଚିଠି ଲେଖିବା ପରେ ଭିବିନ୍ନ ରାଜସ୍ୱ ମୌଜାରେ ୨୦୧୩ଜମି ଅଧିଗ୍ରହଣ ଆଇନ୍ ଅନୁଯାୟୀ ପଲ୍ଲୀସଭା ଓ ଗ୍ରାମସଭା କରାଯାଇଅଛି । ଏହାପରେ ଜମି ଚିହ୍ନଟ ପକ୍ରିୟା ଶେଷ କରାଯାଇ ଜମି ମାଲିକ ମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବା କଥା । ଏହା ମଧ୍ୟରେ ୨ବର୍ଷ ବିତିଯାଇଥିଲେ ବି ଜମି ଅଧିଗ୍ରହଣ ହୋଇପାରିନାହିଁ କିମ୍ଭା ଜମି ମାଲିକ ମାନେ ସେମାନଙ୍କର କ୍ଷତି ପୂରଣ ପାଇ ପାରିନାହାନ୍ତି । କ୍ଷତି ପୂରଣ ନପାଇଲେ ସମ୍ପୃକ୍ତ ଜମିକୁ ଆରଭିଏନ୍ଏଲ୍ ନିଜ ଅକ୍ତିଆରକୁ ନେଇ ପାରିବ ନାହିଁ । ସେଥିପାଇଁ ହରିଦାସପୁର-ପାରାଦୀପ ରେଳପ୍ରକଳ୍ପ କାର୍ଯ୍ୟ ବିଳମ୍ବିତ ହେଉଅଛି । ଗତ ଅକ୍ଟୋବର ମାସରେ ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ତୁରନ୍ତ ୨୦୧୮ମାର୍ଚ୍ଚ ମାସ ସୁଧା ପ୍ରକଳ୍ପକାର୍ଯ୍ୟ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଅଦ୍ୟାବଧି ଜମି ଅଧିଗ୍ରହଣ ହୋଇନାପରିବାରୁ ପ୍ରକଳ୍ପ ଶେଷ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ୧୯୯୭ ମସିହାରୁ ଏହି ତନିଗୋଟି ଜିଲ୍ଲା ଦେଇ ପ୍ରଥମ ରେଳ ପ୍ରକଳ୍ପ ଯିବ ବୋଲି ଯେଉଁ ପରିକଳ୍ପନା କରାଯାଇଥିଲା ୨୦ବର୍ଷ ପରେ ମଧ୍ୟ ଏହା ସମ୍ପୂର୍ଣ୍ଣ ନହେବା ୩ଗୋଟି ଜିଲ୍ଲାବାସୀଙ୍କ ମଧ୍ୟରେ କ୍ଷୋଭ ଓ ଆଶଙ୍କା ପ୍ରକାଶପାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top