ଆମ ସଂସ୍କୃତି, କଳା ଓ ଐତିହ୍ୟ

ଭାରତଛାଡ଼ ଆନ୍ଦୋଳନରେ ଓଡ଼ିଶାର ସହିଦଙ୍କ ତାଲିକାରେ ଲକ୍ଷ୍ମଣ ନାୟକ କିମ୍ବା ଇରମ୍ ର କାହା ନାମ ନାହିଁ

ଭୁବନେଶ୍ୱର, ୨୫ା୦୪(ଓଡ଼ିଆ ପୁଅ): ଭାରତଛାଡ଼ ଆନ୍ଦୋଳନର ୭୫ ବର୍ଷ ପୂର୍ତ୍ତି ବାର୍ଷିକୀ ପାଳନ ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା କୌଣସି କାର୍ଯ୍ୟକ୍ରମ କରାଯିବାର ପ୍ରସ୍ତାବ ନାହିଁ। ତେଣୁ ଏଥିଲାଗି ଅର୍ଥ ବ୍ୟବସ୍ଥା କରାଯାଇନାହିଁ। ବିଧାୟକ ଦିଲିପ ରାୟଙ୍କ ଏକ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଦେଇଥିବା ସୂଚନାରୁ ଏହା ଜଣାପଡ଼ିଛି।

ଭାରତଛାଡ଼ ଆନ୍ଦୋଳନର ୭୫ତମ ବାର୍ଷିକୀ ପାଳନ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଓ ଏଥିଲାଗି କେତେ ଅର୍ଥ ବ୍ୟବସ୍ଥା ହୋଇଛି ବୋଲି ପ୍ରଶ୍ନ କରିବା ସହିତ ଏହି ଐତିହାସିକ ଆନ୍ଦୋଳନରେ କେଉଁ ଜିଲ୍ଲାରେ କେଉଁମାନେ ଆମ ରାଜ୍ୟରେ ସହିଦ ହୋଇଛନ୍ତି ଓ କେଉଁ ଜିଲ୍ଲାରେ କେତେ ସଂଖ୍ୟକ ସ୍ୱାଧୀନତା ସଂଗ୍ରାମୀ କାରାବରଣ କରିଥିଲେ ତାହାର ବିସ୍ତୃତ ବିବରଣୀ ବିଧାୟକ ଶ୍ରୀ ରାୟ ଜାଣିବାକୁ ଚାହିଁଥିଲେ।

୧୯୪୨ର ଭାରତଛାଡ଼ ଆନ୍ଦୋଳନରେ ଓଡ଼ିଶାରୁ ଯେଉଁମାନେ ସହିଦ ହୋଇଛନ୍ତି ଓ କାରାବରଣ କରିଛନ୍ତି ସେମାନଙ୍କର ଯେଉଁ ଜିଲ୍ଲାୱାରୀ ବିସ୍ତୃତ ତଥ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି ସେଥିରେ ଅମର ସହିଦ ଲକ୍ଷ୍ମଣ ନାୟକଙ୍କ ନାମ ନାହିଁ କିମ୍ବା ଦ୍ୱିତୀୟ ଜାଲିଆନାୱାଲାବାଗ ଭାବେ ଇତିହାସରେ ସ୍ଥାନ ପାଇଥିବା ରକ୍ତତୀର୍ଥ ଇରମ୍ ର ନାଁ ଗନ୍ଧ ନାହିଁ।

ବିଭିନ୍ନ ଜିଲ୍ଲାରୁ ପ୍ରାପ୍ତ ତଥ୍ୟ ମୁତାବକ ଓଡ଼ିଶାରେ ୬୨୪ ଜଣ ସ୍ୱାଧୀନତା ସଂଗ୍ରାମୀ କାରାବରଣ କରିଥିବା ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି। ଏଥିରେ ଯାଜପୁର ଜିଲ୍ଲାରେ ୩୮୭, ବରଗଡ଼ ଜିଲ୍ଲାରେ ୧୫୦, ଢେଙ୍କାନାଳରେ ୨୨, କେନ୍ଦ୍ରାପଡ଼ାରେ ୨୦, ଅନୁଗୁଳରେ ୨୩ ଓ କେନ୍ଦୁଝର ଜିଲ୍ଲାରେ ୨୨ଜଣ ଭାରତଛାଡ଼ ଆନ୍ଦୋଳନରେ କାରାବରଣ କରିଥିବା ଦର୍ଶାଯାଇଛି। ଅନ୍ୟ ଜିଲ୍ଲାଗୁଡ଼ିକରେ କୌଣସି ସ୍ୱାଧୀନତା ସଂଗ୍ରାମୀ କାରାବରଣ କରିଥିବା ଏହି ତଥ୍ୟରେ ନାହିଁ।

ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଭାରତଛାଡ଼ ଆନ୍ଦୋଳନ ସମୟରେ ନବରଙ୍ଗପୁର ଜିଲ୍ଲାରେ ବିକ୍ରମ ଭତ୍ରା, ସହଦେବ ପୂଜାରୀଙ୍କ ସମେତ ୧୯ ଜଣ ସହିଦ ହୋଇଥିବା ବେଳେ ଏହି ଜିଲ୍ଲାରେ କିନ୍ତୁ କେହି କାରାବରଣ କରିଥିବା ଉଲ୍ଲେଖ କରାଯାଇନାହିଁ। ଅବିଭକ୍ତ କୋରାପୁଟ ଜିଲ୍ଲାର ମାଥିଲିଠାରେ ପୋଲିସ ଗୁଳିରେ ୫ ଜଣ ସଂଗ୍ରାମୀ ସହିଦ ହୋଇଥିବା ବେଳେ ଏହି ଘଟଣାରେ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦିଆଯାଇଥିଲେ ମଧ୍ୟ ତାଙ୍କ ନାମ ସରକାରଙ୍କ ପ୍ରଦତ୍ତ ତାଲିକାରେ ନାହିଁ।

ଭାରତଛାଡ଼ ଆନ୍ଦୋଳନ ସମୟରେ ଢେଙ୍କାନାଳ ଜିଲ୍ଲାରେ ବାଜି ରାଉତ, ଲକ୍ଷ୍ମଣ ମଲ୍ଲିକ, ଭଗୁ ସାହୁ ଓ ସୁବଳ ସଂଗ୍ରାମ ସିଂହ ସହିଦ ହୋଇଥିବା ସରକାରଙ୍କ ଉତ୍ତରରେ ଉଲ୍ଲେଖ କରାଯାଇଛି। ଏହି ଆନ୍ଦୋଳନର ପ୍ରାୟ ୪ ବର୍ଷ ପୂର୍ବରୁ ପ୍ରଜାମଣ୍ଡଳ ଆନ୍ଦୋଳନ କାଳରେ ବ୍ରିଟିଶ୍ ପୋଲିସ ଗୁଳିରେ ବାଜି ରାଉତଙ୍କ ସମେତ ୬ ଜଣ ସହିଦ ହୋଇଥିଲେ ବୋଲି ଇତିହାସରେ ଉଲ୍ଲେଖ ଥିବା ବେଳେ ସରକାରଙ୍କ ତଥ୍ୟ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ।

ସେହିପରି କନିକା ପ୍ରଜା ଆନ୍ଦୋଳନ ସମୟରେ ବାସୁଦେବ ସେଠୀ ଓ ବିସୁନି ମଢ଼ିଆଳ ସହିଦ ହୋଇଥିବା ବେଳେ ସରକାରଙ୍କ ଉତ୍ତରରେ ଭାରତଛାଡ଼ ଆନ୍ଦୋଳନ କାଳରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଏ ଦୁଇଜଣ ସହିଦ ହୋଇଥିବା ଦର୍ଶଯାଇଛି। ତେବେ ଏହି ଜାତୀୟ ଆନ୍ଦୋଳନ କାଳରେ ଯାଜପୁର ଜିଲ୍ଲାରେ ୪ ଜଣ ସହିଦ ହୋଇଥିବା ଘେନି ସଠିକ୍ ତଥ୍ୟ ଦିଆଯାଇଛି।

ଭାରତଛାଡ଼ ଆନ୍ଦୋଳନ ବେଳେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ରକ୍ତତୀର୍ଥ ଇରମ୍ ରେ ଜଣେ ମହିଳାଙ୍କ ସମେତ ୨୯ ଜଣ ପୋଲିସ ଗୁଳିରେ ସହିଦ ହୋଇଥିଲେ। ସେହିପରି ଖଇରାଡିହି, ତୁଡ଼ିଗଡ଼ିଆ, ଲୁଣିଆ, ନିମାପଡ଼ା ଆଦି ସମେତ ନୟାଗଡ଼, ନୀଳଗିରି, ତାଳଚେର ଗଡ଼ଜାତ ଅଞ୍ଚଳରେ ଏହି ଆନ୍ଦୋଳନ କାଳରେ ବ୍ରିଟିଶ୍ ପୋଲିସର ଗୁଳିମାଡ଼ରେ ଅନେକ ସହିଦ ହୋଇଥିଲେ ମଧ୍ୟ ସରକାରଙ୍କ ପ୍ରଦତ୍ତ ତଥ୍ୟରେ ଏ ସମ୍ପର୍କରେ କୌଣସି ସୂଚନା ନାହିଁ।

ଐତିହାସିକ ଭାରତଛାଡ଼ ଆନ୍ଦୋଳନର ୭୫ ବର୍ଷ ପୂର୍ତ୍ତି ଏବଂ ସେ ସମୟରେ ଦେଶ ମାତୃକା ଲାଗି ଯେଉଁମାନେ ଜୀବନ ଦେଲେ ଓ କାରାବରଣ କଲେ ସେମାନଙ୍କ ସ୍ମୃତିକୁ ଯୁବପିଢ଼ି ମଧ୍ୟରେ ଉଜ୍ଜୀବିତ କରି ରଖିବା ଲାଗି ବିଳମ୍ବରେ ହେଲେ ମଧ୍ୟ ସରକାର ଏହି ଐତିହାସିକ ଘଟଣାର ବର୍ଷବ୍ୟାପି ଉତ୍ସବ ପାଳନ କରିବାକୁ ଶ୍ରୀ ରାୟ ଏକ ବିବୃତ୍ତିରେ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top