ଭାରତଛାଡ଼ ଆନ୍ଦୋଳନରେ ଓଡ଼ିଶାର ସହିଦଙ୍କ ସମ୍ପର୍କରେ ସଂସ୍କୃତି ବିଭାଗରେ ତଥ୍ୟ ନାହିଁ

ଭୁବନେଶ୍ୱର, ୨୨ା୦୪(ଓଡ଼ିଆ ପୁଅ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ ରାଜ୍ୟ ଅଭିଲେଖାଗାର ଓ ସଂଗ୍ରହାଳୟ ରହିଛି। ପ୍ରତି ଜିଲ୍ଲାରେ ବି ଏହି ବିଭାଗର ଅଧିକାରୀମାନେ ଅଛନ୍ତି। ଦେଶ ତଥା ରାଜ୍ୟର ଇତିହାସ ସମ୍ପର୍କରେ ଅଭିଲେଖାଗାର ଓ ସଂଗ୍ରହାଳୟରେ ବହୁ ଦୁର୍ଲଭ ଦସ୍ତାବିଜ୍ମାନ ରହିଛି। ଏହାସତ୍ତ୍ୱେ ଭାରତଛାଡ଼ ଆନ୍ଦୋଳନ ସମୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବ୍ରିଟିଶ୍ ପୋଲିସର ଗୁଳି, ଲାଠିମାଡ଼ ଓ ନିର୍ଯାତନାର ଶିକାର ହୋଇ କେଉଁମାନେ ସହିଦ ହୋଇଛନ୍ତି ତାହାର ବିବରଣୀ ବିଭାଗୀୟ ମନ୍ତ୍ରୀ ଦେଇପାରୁନାହାନ୍ତି। ଏହାର ଜିଲ୍ଲାୱାରୀ ବିବରଣୀ ପ୍ରଦାନ କରିବା ସୂଚନା ଓ ଲୋକ ସମ୍ପର୍କ ବିଭାଗର ପରିସରଭୁକ୍ତ ବୋଲି ସଂସ୍କୃତି ବିଭାଗ ମନ୍ତ୍ରୀ କହୁଛନ୍ତି।

କେବଳ ସେତିକି ନୁହେଁ ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରି ଫାଶୀ ଖୁଣ୍ଟରେ ଝୁଲିଥିବା ଅମର ସହିଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ସର୍ବଜନବିଦିତ ବୋଲି ସଂସ୍କୃତି ମନ୍ତ୍ରୀ ଉଲ୍ଲେଖ କରୁଥିବା ବେଳେ ଲକ୍ଷ୍ମଣ ନାୟକଙ୍କ ବଳିଦାନର ୭୫ ବର୍ଷ ପୂର୍ତ୍ତି ବାର୍ଷିକୀ ପାଳନ ପାଇଁ ରାଜ୍ୟ ସରକାର କ’ଣ ସବୁ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି ଓ ବର୍ଷବ୍ୟାପୀ କରିବାକୁ ଯାଉଛନ୍ତି, ଏଥିପାଇଁ କେତେ ଅର୍ଥ ବ୍ୟବସ୍ଥା ହୋଇଛି ଏବଂ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଅନ୍ନପୂର୍ଣ୍ଣ ମହାରଣାଙ୍କ ଜନ୍ମଶତବାର୍ଷିକୀ ପାଳନ ସଂକ୍ରାନ୍ତୀୟ ପ୍ରଶ୍ନକୁ ମଧ୍ୟ ପୂର୍ବରୁ ସେ ଏଡ଼ାଇ ଯାଇଛନ୍ତି।

ଭାରତଛାଡ଼ ଆନ୍ଦୋଳନ ୭୫ ତମ ବାର୍ଷିକୀ ପାଳନ କରାଯାଉଥିବା ବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏହାର ବର୍ଷବ୍ୟାପୀ ପ୍ରତିପାଳନ ଲାଗି କେତେ ଅର୍ଥ ବ୍ୟବସ୍ଥା ହୋଇଛି ଓ କ’ଣ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଛି ସେ ସଂକ୍ରାନ୍ତରେ ବିଧାୟକ ଦିଲିପ ରାୟ ଜାଣିବାକୁ ଚାହିଁବା ସହିତ ଏହି ଜାତୀୟ ଆନ୍ଦୋଳନ ସମୟରେ ଓଡ଼ିଶାର କେଉଁ କେଉଁ ସ୍ଥାନରେ କେଉଁମାନେ ସହିଦ ହୋଇଛନ୍ତି ତାହାର ଜିଲ୍ଲାୱାରୀ ବିବରଣୀ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଏହି ଐତିହାସିକ ସ୍ମାରକୀକୁ ଯୁବପିଢ଼ିଙ୍କ ମଧ୍ୟରେ ଉଜ୍ଜୀବିତ କରି ରଖିବା ଲାଗି ସରକାର ପଦକ୍ଷେପ ନେବା ସଂକ୍ରାନ୍ତରେ ପ୍ରଶ୍ନ କରିଥିଲେ। ଏହାଛଡ଼ା ଭାରତଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ କରି ଫାଶୀ ଖୁଣ୍ଟରେ ଝୁଲିଥିବା ଅମର ସହିଦ ଲକ୍ଷ୍ମଣ ନାୟକଙ୍କ ବଳିଦାନର ୭୫ ବର୍ଷ ପୂର୍ତ୍ତି ଅବସରରେ ସରକାର ବର୍ଷବ୍ୟାପୀ କି କି କାର୍ଯ୍ୟକ୍ରମ କରୁଛନ୍ତି ଓ ଏଥିଲାଗି କେତେ ଅର୍ଥ ବ୍ୟବସ୍ଥା ହୋଇଛି ତାହା ଶ୍ରୀ ରାୟ ଜାଣଇବାକୁ ଚାହିଁଥିଲେ।

ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଆଶାକ ଚନ୍ଦ୍ର ପଣ୍ଡା କହିଛନତି ଯେ ଭାରତଛାଡ଼ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରି ଫାଶୀ ଖୁଣ୍ଟରେ ଝୁଲିଥିବା ଅମର ସହିଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ସର୍ବଜନବିଦିତ। ତେବେ ତାଙ୍କ ବଳିଦାନର ୭୫ ବର୍ଷ ପୂର୍ତ୍ତି ବାର୍ଷିକୀ ପାଳନ ଲାଗି କେତେ ଅର୍ଥ ବ୍ୟବସ୍ଥା ହୋଇଛି ଓ ସରକାର କ’ଣ ସବୁ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି ସେ ସଂକ୍ରାନ୍ତରେ ସେ କିଛି ଉଲ୍ଲେଖ କରିନାହାନ୍ତି। ତେବେ ଭାରତଛାଡ଼ ଆନ୍ଦୋଳନ ୭୫ ବର୍ଷ ପୂର୍ତ୍ତି ପାଳନ ଲାଗି ୨୦୧୬ ଅଗଷ୍ଟ ୯ ତାରିଖରେ ରାଜ୍ୟ ଅଭିଲେଖାଗାର ଠାରେ ଏକ ଉତ୍ସବ ଅନୁଷ୍ଠିତ ହୋଇଥିବା ଓ ଏହି କାର୍ଯ୍ୟକ୍ରମରେ ସଂଗ୍ରାମୀମାନଙ୍କ ଫଟୋଚିତ୍ର ପ୍ରଦର୍ଶନୀ ସହିତ ଭାରତଛାଡ଼ ଆନ୍ଦୋଳନ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସହିଦ ଲକ୍ଷ୍ମଣ ନାୟକ ଓ ଅନ୍ୟ ସଂଗ୍ରାମୀମାନଙ୍କ ବିଷୟରେ ଆଲୋଚନା କରାଯାଇଥିଲା। ୨୦୧୭ ଅଗଷ୍ଟ ୯ ତାରିଖରେ ଅଭିଲେଖାଗାର ଠାରେ ଅନ୍ୟ ଏକ ଆଲୋଚନାଚକ୍ରରେ କ୍ରାନ୍ତୀ ଗୀତିକାର ପୁସ୍ତକ ଉନ୍ମୋଚନ ସହ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା ଓ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ ସହ ୩ ଜଣ ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ମନ୍ତ୍ରୀ ପୁଣି କହିଛନ୍ତି ଯେ ଭାରତଛାଡ଼ ଆନ୍ଦୋଳନର ୭୫ତମ ବାର୍ଷିକୀ ଓ ପାଇକ ବିଦ୍ରୋହର ଦୁଇଶତ ବାର୍ଷିକୀ ପାଳନ ଅବସରରେ ୧ କୋଟି ୬୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ୧ କୋଟି ୪ ଲକ୍ଷ ଟଙ୍କାରୁ ଅଧିକ ପ୍ରଦାନ କରାଯାଇଛି। ଜାତୀୟ ଆନ୍ଦୋଳନ ସମୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସହିଦ ହୋଇଥିବା ସଂଗ୍ରାମୀମାନଙ୍କ ଜିଲ୍ଲାୱାରୀ ବିବରଣୀ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପରିସରଭୁକ୍ତ ବୋଲି ଶ୍ରୀ ପଣ୍ଡା ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *