ଓଡ଼ିଶା

ଭାଗ ଚାଷୀଙ୍କ ସମସ୍ୟା: ଏ କୂଳ ନୁହଁ କି ସେ କୂଳ ନୁହଁ

ବଲାଙ୍ଗୀର ୨୩-୬ (ଓଡ଼ିଆ ପୁଅ/ଜଗଦୀଶ ସୁନା) ଓଡ଼ିଶାରେ ବିଭିନ୍ନ ଚାଷୀ ମାନଙ୍କ ସମସ୍ୟା ମଧ୍ୟରୁ ଭାଗଚାଷୀ ମାନଙ୍କ ସମସ୍ୟା ଆହୁରୀ ଏକ କଷ୍ଟ ଦାୟକ। ସେମାନେ ଏ କୂଳ ନୁହନ୍ତି କି ସେ କୂଳ ନୁହନ୍ତି। ପେଟପାଟଣା ପାଇଁ ଚାଷୀ ନିଜକୁ ନିଜେ ଭାଗଚାଷୀ ହେବାକୁ ପଡ଼ିଥାଏ। ଭାଗଚାଷୀଙ୍କ ପରିଚୟ କହିଲେ, ନିଜର ଜମି ନଥିବ, କୃଷିଶ୍ରମ କରିବାରେ ଧୁରନ୍ଧର ଥିବ, ଶ୍ରମିକ ବିନା କାମ କରିବାକୁ ଅସମର୍ଥ ଜମିମାଲିକଙ୍କ ସହ ସୁସମ୍ପର୍କ ଥିବ, ବିନା ବାଧାରେ ଏହି ଭାଗଚାଷୀ ଆମକୁ ନିର୍ଦ୍ଧାରିତ ଫସଲ ଦେବାକୁ ସକ୍ଷମ ଥିବ ବୋଲି ଜମି ମାଲିକଙ୍କ ଅନ୍ତରଆତ୍ମାର ନିର୍ଦ୍ଧାରଣ ରହିବ, ଫସଲ ହେଉ ବା ନ ହେଉ ପୂର୍ବ ନିର୍ଦ୍ଧାରିତ ମୂଲ୍ୟ (ଧାନ ଆକାରରେ) ଦେବାକୁ ସମ୍ପୃକ୍ତ ଭାଗଚାଷୀ ବାଧ୍ୟ ବୋଲି ସମ୍ପୃପ୍ତ ଜମି ମାଲିକଙ୍କୁ ଜବାବ୍ ଦେଇଥିବ ଓ ଫସଲ ପରେ ନିର୍ଦ୍ଧାରିତ ଧାନ ଦେବାକୁ ବାଧ୍ୟ ହେବ। ଏ ହେଉଛି ଭାଗ ଚାଷୀଙ୍କ ସଂଜ୍ଞା। ଚାଷୀ ମାନଙ୍କ କହିବା ମତରେ ଭାଗଚାଷୀ ମାନେ ଜମିମାଲିକଙ୍କ ଠାରୁ ନେଇଥିବା ଜମିକୁ ଚାଷକରି ବଞ୍ଚୁଥିବା ସେହିଜମି ଚାଷୀଙ୍କ କେତେବେଳେ ହୋଇପାରେ ନାହିଁ। ଅନ୍ୟପକ୍ଷରେ ଜମିମାଲିକ ମଧ୍ୟ ନିଜ ଜମିକୁ ଅନ୍ୟକୁ ହସ୍ତାନ୍ତରିତ କରିପାରନ୍ତି ନାହିଁ ଆଇନତଃ। କେବଳ କଥା କଥାରେ ଲେଣଦେଣ କାରବାର ହୋଇ ଭାଗଚାଷୀମାନେ ଜମିମାଲିକଙ୍କ ଠାରୁ ଜମି ନେଇ ଚାଷକରି ଆସିଥାନ୍ତି। ତାହା ଦୀର୍ଘବର୍ଷ ଧରି ଏହି ପ୍ରଥା ଚଳିଆସୁଛି। ଏକର ପିଛା ୮ ରୁ ୯ ବସ୍ତା ଧାନ ଜମି ମାଲିକଙ୍କୁ ଧାନ କିମ୍ବା ଟଙ୍କା ଦେବାକୁ ପଡ଼ିଥାଏ। ଚାଷ ହେଉ ବା ନ ହେଉ। କିନ୍ତୁ ଦୁଃଖ ସମୟରେ ଜମି ମାଲିକମାନେ ମୁହଁ ମୋଡ଼ି ଦିଅନ୍ତି। ଧାନ ଫସଲ ହେଲେ ଜମି ମାଲିକ ଧାନ ପାଇଲେ, ଧାନ ନଷ୍ଟ ହେଲେ କିମ୍ବା ଅନ୍ୟାନ୍ୟ କାରଣ ଯୋଗୁଁ ଧାନ ପୋଡ଼ି ମରିଯାଏ ବା ମରୁଡ଼ି ହୁଏ ତେବେ ମଧ୍ୟ ସରକାରଙ୍କ ଠାରୁ ମିଳୁଥିବା ଇନ୍ପୁଟ ସବ୍ସିଡ଼ି ଜମିମାଲିକ ପାଇବ। ଯଦି ଚାଷବୀମା ମିଳେ ତାହା ମଧ୍ୟ ପାଇବେ ଜମି ମାଲିକ। ଯେହେତୁ ଜମି ମାଲିକଙ୍କ ନିକଟରେ ପଟ୍ଟା ଓ ଖଜଣା ରସିଦ ପ୍ରତିବର୍ଷ ବନ୍ଧା ହେଉଅଛି। ତେବେ ଏହି ପରିପ୍ରେକ୍ଷୀରେ ଭାଗଚାଷୀ ପାଇଲେ କଣ ? ଯଦିଓ ଜମି ମାଲିକ ଠିକ୍ ଥିବ ତେବେ ଯାଇ ଭାଗଚାଷୀକୁ କିଛି ମିଳିପାରେ। ଯଦି ଦେଲାତ ଭଲ ନ ଦେଲେ ତାହା ମଧ୍ୟ ଭଲ।

ବରଗଡ଼ ଜିଲ୍ଲା, ବରପାଲି ବ୍ଲକ, କନବାର ଗାଁ, କାଶି ବିଶି, ଫକିର ବିଶି, ଅକୁର ବିଶି ଓ ଅଞ୍ଜନ କୁମାର ପ୍ରଧାନ ସେମାନଙ୍କଠାରୁ ମତ ଲୋଡ଼ିବାରେ ଜଣାପଡ଼େ ଯେ, ଯଦି ଭଲ ବର୍ଷା ହୁଏ ତେବେ ଏକର ପିଛା ୩୦ ରୁ ୪୦ ପକେଟ ଧାନ ମିଳିଯାଏ। ତେବେ ସେହି ସମୟରେ ଜମି ମାଲିକଙ୍କୁ ଧାନ ଦେବାରେ ବା ଚୁକ୍ତି ଅନୁଯାୟୀ ଫେରସ୍ତ କରିବାରେ କୌଣସି ବାଧା ପହଞ୍ଚାଇ ନଥାଏ। ଫସଲ ନଷ୍ଟ ହେଲେ, ଜମି ମାଲିକଙ୍କୁ ଧାନ ଫେରାଇବାରେ ବହୁତ କଷ୍ଟ ଉପୁଜିଥାଏ। ଧାନ ଖର୍ଚ୍ଚ ବାବଦକୁ ରୁଆ, ବେଉଶଣା, ଟ୍ରାକ୍ଟର ଦ୍ୱାର ଯୁତିବା ଠାରୁ ନେଇ ଶେଷ ଯାଏ ହାରାହାରି ଟ.୧୫, ୦୦୦/-ଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ। ଅନ୍ୟପକ୍ଷେ ଜମିମାଲିକଙ୍କ ଠାରୁ ୮ ବସ୍ତାରୁ ୯ ବସ୍ତା ଧାନର ମୂଲ୍ୟ ହାରାହାରି ଦଶ ହଜାର ଟଙ୍କା। ତେବେ ଚାଷ ସମ୍ବନ୍ଧୀୟ ଖର୍ଚ୍ଚ ଓ ଭାଗଚାଷୀଙ୍କୁ ଖର୍ଚ୍ଚ ଦେବା ଟଙ୍କା ମିଶିଲେ ସମୁଦାୟ ପଚିଶ ହଜାର ଟଙ୍କା ଖର୍ଚ୍ଚା ହୁଏ। ତେବେ ଭଲ ଚାଷ ହେଲେ ତିରିଶ ରୁ ଚାଳିଶ ପକେଟ ଧାନ ମିଳିଥାଏ। ଏହାକୁ ବିକ୍ରି କଲେ ଏହାର ମୂଲ୍ୟ ହୋଇଯିବ ତିରିଶ ହଜାରରୁ ଚାଳିଶ ହଜାର ଟଙ୍କା। ପନ୍ଦର ହଜାର ଟଙ୍କା ଖର୍ଚ୍ଚ ଓ ତା ସହିତ ଜମିମାଲିକଙ୍କୁ ୮/୯ ବସ୍ତା ଧାନକୁ ହିସାବ କଲେ ଶେଷରେ ଭାଗଚାଷୀ ମାନେ ପାଇଥାନ୍ତି ୪/୫ ପକେଟ ଧାନ କେବଳ। ଏହି ୪/୫ ବସ୍ତା ଧାନ ପାଇବା ଆଶାରେ ହିଁ ଦିନରାତ୍ରି, ଖରାବର୍ଷା ଓ ଶୀତକୁ ସହ୍ୟ କରି ଚାଷ କରିଥାନ୍ତି। ଏହି ସମୟରେ ଧାନକୁ ଚକଡ଼ାପୋକ ଖାଇଯାଏ କିମ୍ବା ଧାନ ଫସଲ ବର୍ଷା ଅଭାବରୁ ମରିଯାଏ ବା ପ୍ରାକୃତିକ ଦୁର୍ବିପାକ ଦ୍ୱାରା ଯଦି ନଷ୍ଟ ହୋଇଯାଏ ତେବେ ଚାଷୀଭାଇ ମାନଙ୍କ ଅବସ୍ଥା ଘୋର ସଙ୍କଟ ହୋଇଥାଏ। ଏହି ସମୟରେ ଜମି ମାଲିକଙ୍କୁ ଦେଇନପାରନ୍ତି ଏବଂ ପରିବାର ପ୍ରତିପୋଷଣ କରିବାରେ ବହୁ ବାଧା ପହଞ୍ଚାଇଥାଏ। ସରକାର ଚାଷ ନଷ୍ଟ ବାବଦକୁ ଇନ୍ପୁଟ ସବ୍ସିଡ଼ି ଦେଇଥାନ୍ତି କେବଳ ଟ.୧୩, ୫୦୦/-ଙ୍କା କିନ୍ତୁ ଚାଷୀ ଭାଇମାନଙ୍କର ପ୍ରାରମ୍ଭରୁ ଶେଷ ଯାଏ ଚାଷ ବାବଦକୁ ଖର୍ଚ୍ଚା ହୋଇଥାଏ ଟ.୧୫, ୦୦୦/-ଙ୍କା ରୁ ଉର୍ଦ୍ଧ୍ୱ। ଏହି ସବ୍ସିଡ଼ି ଟଙ୍କା ମଧ୍ୟ ସେମାନଙ୍କୁ କୌଣସି କାମକୁ ଆସିନଥାଏ। ସରକାର ଯଦି ଉଚିତ ତଦନ୍ତ କରି ଇନ୍ପୁଟ୍ ସବ୍ସିଡ଼ିକୁ ବୃଦ୍ଧି କରନ୍ତେ ତାହେଲେ ଚାଷୀ ଭାଇମାନଙ୍କୁ କିଛି ମାତ୍ରାରେ ରାହତ ହୋଇପାରନ୍ତା। ଜମି ମାଲିକ ଓ ଭାଗଚାଷୀଙ୍କ ଉତ୍ତମ ବୁଝାମଣା ହୋଇପାରିଲେ, ଭାଗଚାଷୀଙ୍କ ବ୍ୟାଙ୍କ ଏକାଉଣ୍ଟ ଖାତାକୁ ସିଧାସଳଖ ପଠାଇ ଦିଆଯାଆନ୍ତା ତେବେ ଯାଇ ଚାଷୀଭାଇଙ୍କ ମେରୁଦଣ୍ଡ ଆଉ ତଳକୁ ଖସନ୍ତା ନାହିଁ। ଏହା ବାଦ୍ ରାଜସ୍ୱ ଅଧିକାରୀମାନଙ୍କ ଦ୍ୱାରା କରାଯାଉଥିବା ଆକଳନ ଠିକ୍ ନ ହେବା ଫଳରେ କ୍ଷତି ସ୍ଥାନମାନଙ୍କରେ ଅତ୍ୟଧିକ ଟଙ୍କା ମିଳିପାରୁନାହିଁ। ଅନ୍ୟାନ୍ୟ ସ୍ଥାନ ମାନଙ୍କରେ କମ୍ ପରିମାଣରେ କ୍ଷତି ହୋଇଥିଲେ ମଧ୍ୟ ବିଶେଷ କ୍ଷତି ଓ ସାମାନ୍ୟ କ୍ଷତି ଏକ ରକମର ଟଙ୍କା ଦିଆଯାଉଥିବା କହି ବସନ୍ତି। ରାଜସ୍ୱ ଅଧିକାରୀମାନଙ୍କ ଦ୍ୱାରା କରାଯାଉଥିବା ଆଇ ଏଷ୍ଟିମେଟ୍ ଆକଳନ ଠିକ୍ ହେଉନାହିଁ ବୋଲି ସେହି ଗାଁର ଚାଷୀଭାଇ ମାନେ କହିବସନ୍ତି। କନବାର ଗାଁର ପୂର୍ବତନ ସରପଞ୍ଚ ଉମାକାନ୍ତ ପ୍ରଧାନ କହନ୍ତି ଭାଗଚାଷୀ ସମସ୍ୟାକୁ ନେଇ ସ୍ଥାନେ ସ୍ଥାନେ ଗାଁ ମାନଙ୍କରେ ଜମି ମାଲିକ ଓ ଭାଗଚାଷୀ ମାନଙ୍କୁ ନେଇ ସଭାସମିତି କରାଯାଉଅଛି। କେତେ ପରିମାଣରେ ଜମିମାଲିକ ମାନେ ବୁଝୁଛନ୍ତି ତ କେତେ ପରିମାଣରେ ବୁଝୁ ନାହାନ୍ତି କିନ୍ତୁ ଭାଗଚାଷୀ ମାନଙ୍କୁ ନିଜ ଜମିକୁ ଲେଖି ଦେଉନାହାନ୍ତି। ଚଳିତ ବର୍ଷ ତା:୩୦.୦୪.୨୦୧୮ ଓ ତା:୦୩.୦୫.୨୦୧୮ରେ କୁଆପଥର ମାଡ଼ ହୋଇଛି, ଫସଲ ବ୍ୟାପକ ମାତ୍ରାରେ ନଷ୍ଟ ହୋଇଯାଇଛି, ଭାଗଚାଷୀ ମାନଙ୍କୁ ବକେୟା ଦେବା ରାଶି ବା ଧାନ ଛାଡ଼ କରିବା ପାଇଁ ସଭାସମିତି କରାଯାଉଥିବା କହିବସନ୍ତି ଏବଂ ଆତ୍ମହତ୍ୟା ନ କରିବା ପାଇଁ ମଧ୍ୟ ଶାନ୍ତି ଶୃଙ୍ଖଳାରକ୍ଷା କରି ଧୈର୍ଯ୍ୟର ସହିତ ବଞ୍ଚିରହିବା ପାଇଁ ମଧ୍ୟ ବୁଝାଇ ଦିଆଯାଉଛି। ଗତ ବର୍ଷ ଚକଡ଼ାପୋକ ଦ୍ୱାରା ଚାଷୀକ୍ଷତି ସହ୍ୟ କରିଥିଲେ ଓ ଆସନ୍ତା ବର୍ଷ (ଚଳିତ ବର୍ଷ) ଦୁଇ ପଇସା ଉପାର୍ଜନ କରିବା ପାଇଁ ଚାଷୀ ଆଶା ବାନ୍ଧି ରଖିଥିଲେ ଏବଂ ଲୋକଙ୍କଠାରୁ ନେଇଥିବା ଋଣବାଡ଼ି କରଜ ଆସନ୍ତା ବର୍ଷ ଅର୍ଥାତ ଚଳିତ ବର୍ଷ ଟଙ୍କା ସୁଝିବାପାଇଁ ମନରେ ବଡ଼ ଆଶା ବାନ୍ଧି ରଖିଥିବା ବେଳେ ଚଳିତ ବର୍ଷ କାଳବୈଶାଖୀ ସହ କୁଆପଥର ମାଡ଼ ଦୁଇ ତିନି ଥର ହେବା ଫଳରେ ଚାଷ ନଷ୍ଟ ହୋଇଗଲା। ଚାଷୀ ବେହାଲ ହୋଇଗଲେ, ଅନ୍ୟ କେତେକେ ଚାଷୀ ଆତ୍ମହତ୍ୟା କରିବାପାଇଁ ମଧ୍ୟ ପଛାଇ ନଥିଲେ। ବର୍ତ୍ତମାନ ଆଗାମୀ ୧୦ ମାସ ମଧ୍ୟରେ ଚାଷୀ କେମିତି ଚାଷ କରି ବଞ୍ଚି ରହିବେ ତାହା ପ୍ରଶ୍ନବାଚୀ ହୋଇ ରହିଛି। ଏହି ସମୟରେ ଚାଷୀଙ୍କୁ ସରକାର କୌଣସି ନା କୌଣସି ସହାୟତା ରାଶି ନ ପହଞ୍ଚାଇଲେ ତେବେ ବିଲ ଛାଡ଼ି ଦାଦନ ଖଟିଯିବାହିଁ ସୁନିଶ୍ଚିତ ବୋଲି କହିବସନ୍ତି। ପୁଣି କହିବସନ୍ତି ସରକାରୀ ସ୍ତରରେ ଭାଗଚାଷୀଙ୍କ ନାମ ମଧ୍ୟ ନାହିଁ, କରିବେ କଣ ? ହେଲେ ଭାଗଚାଷୀଙ୍କ ପାଇଁ ଆଜିଯାଏ କିଛି ହୋଇପାରିନାହିଁ। କେବଳ ବିଧାନ ସଭାରେ ଭାଗଚାଷୀମାନଙ୍କ ପାଇଁ ପ୍ରକୃତ ତଥ୍ୟ ଠିକ୍ ହିସାବରେ ରଖାଯାଇ ପାରୁଛି କିନ୍ତୁ କାର୍ଯ୍ୟକାରୀ ଆଜିଯାଏ ହୋଇପାରୁ ନାହିଁ। ଠୋସ୍ ନୀତି ପ୍ରଣୟନ ହୋଇ ନପାରିବା ଫଳରେ ଭାଗଚାଷୀମାନଙ୍କ ଅବସ୍ଥା ଦୁର୍ଦ୍ଦିନ ଅବସ୍ଥାରେ ଦିନ ଗଣୁଛନ୍ତି। ଗାଁ ସରପଞ୍ଚ, ସ୍ଥାନୀୟ ଭଦ୍ରବ୍ୟକ୍ତମାନେ ବାରମ୍ବାର ଗାଁମାନଙ୍କରେ ସଭାସମିତି କରାଯାଇ କ୍ଷତି ବାବଦକୁ ଦୁଇ ଭାଗ ଭାଗଚାଷୀ, ଏକ ଭାଗ ଜମି ମାଲିକ ମାନଙ୍କୁ ଦିଆଯାଉ ବୋଲି ଜମି ମାଲିକ ମାନଙ୍କୁ ଅନୁରୋଧ କରାଯାଇ ବୈଠକ କରାଯାଉଅଛି ଏବଂ ଚାଷୀ ମୃତ୍ୟୁ ନ କରିବାପାଇଁ ବାରମ୍ବାର ସଚେତନତା କାର୍ଯ୍ୟକ୍ରମ କରୁଥିବାର ସରପଞ୍ଚ ଓ ଗାଁର ଉପସ୍ଥିତ ଚାଷୀଭାଇମାନେ କହିବସନ୍ତି।
ଭାଗଚାଷୀ ମାନେ ନିଜ ସମସ୍ୟାରୁ ଅସମ୍ଭାଳ ହୋଇ ଚାଷବାସ ନଷ୍ଟ ହୋଇଯିବା ଫଳରେ ଗତ ବର୍ଷ କିଭଳି ଭାବରେ ଆତ୍ମାହତ୍ୟା କରିଥିଲେ ତାହାର ଉଦାହରଣ ଦେଖିବାକୁ ଗଲେ ୪୫ବର୍ଷର ଅକ୍ଷୟ ଧରେଇ ଗ୍ରାମ-ତୋରା, ଅନ୍ୟ ଜଣେ ଚାଷୀ ହେଲେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଭାଲୁପାଲି ଗାଁର ଉମେଶ ଜଗ୍ଦଲା ଉଭୟେ ନିଜ ନିଜ ସ୍ଥାନ ମାନଙ୍କରେ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଥଲା। ଏହା ଗଣମାଧ୍ୟମ ମାନଙ୍କରେ ବ୍ୟାପକ ମାତ୍ରାରେ ଚର୍ଚ୍ଚା ହୋଇଥିଲା। ଧନେଶ୍ୱର ଧରେଇଙ୍କ ପୁଅ ଅକ୍ଷୟ ଧରେଇ ତୋରା ଗ୍ରାମରେ ବାସ କରନ୍ତି। ଧନେଶ୍ୱର ଦୀର୍ଘ ଦିନରୁ ମୃତ୍ୟୁ ବରଣ କରିଥିଲେ। ତାଙ୍କର ଛଅ ଗୋଟି ପୁଅଙ୍କ ମଧ୍ୟରୁ ଅକ୍ଷୟ ହେଉଛି ତୃତୀୟ ନମ୍ବର। ସେ ପରିବାର ପ୍ରତିପୋଷଣ କରିବାପାଇଁ ୭ ଏକର ଜମିକୁ ଭାଗଚାଷୀ ରୂପେ ନେଇ ଚାଷ କରୁଥିଲେ କିନ୍ତୁ ବିଡ଼ମ୍ବନାର ବିଷୟ ଗତ ବର୍ଷ ଧାନ ସବୁ ଚକଡ଼ାପୋକ ଖାଇଗଲା। ସେ ସଦାସର୍ବଦା ଚିନ୍ତା କରି କହିବସୁଥିଲା “ଧାନ ସବୁ ମୁଟେ ନାଇ ହୁଏନ କେନ୍ତା କରି ଲାଗ୍ ଛୁଟ୍ବ ସେ ଡ଼ୁଲିରେ ଗୁଠେ ନାଇନ କେନ୍ତା କର୍ବାଜେ ଦେଖ, ଚକଡ଼ାସବୁ ଲାଗି ଗଲେନ” ଏସବୁ ଦୁଃଖଦ ବିଷୟ ତା ସ୍ତ୍ରୀ ଇଲା ଧରେଇଙ୍କୁ କହିବସନ୍ତି। ପୁଣି କହେ ତମେ ଘରେ ଅଛ କାଏଁଟା ଜାନ୍ବ ? ମାଲିକ ଠାରୁ ୫ ଏକରକୁ ୧୦ ବସ୍ତା ଧାନ ଦେମୁ କେନ୍ତି ? ଚାଷ ବାବଦକୁ ଚାଷ କରିବାପାଇଁ କିସ୍ତି ଆକାରରେ ପାୱାର ଟିଲର ମଧ୍ୟ ଆଣିଥିଲେ ତାହା ମଧ୍ୟ ଫସର ଫାଟିଗଲା। ପୂର୍ବ ବର୍ଷମାନଙ୍କରେ ଚାଷ କରି ୨୫୦ ବସ୍ତା ଧାନ ହେଉଥିଲା। କିନ୍ତୁ ଯେଉଁବର୍ଷ ଆତ୍ମହତ୍ୟା କଲେ ସେହି ବର୍ଷ ଧାନ କମ୍ ହୋଇଥିଲା। ପୁଣି ଚକଡ଼ାପୋକର ସମସ୍ୟା ଫଳରେ ଋଣ ସୁଝିବାରେ ବିଫଳ ହୋଇଥିଲେ।

ତାଙ୍କ ମୃତ୍ୟୁପରେ ସହଯୋଗ କରିବାପାଇଁ ଲୋକେ ମଧ୍ୟ ବାହାରିନଥିଲେ। ଫଳରେ ଆନ୍ଦୋଳନ ମଧ୍ୟ ହୋଇପାରିନଥିଲା ବୋଲି ଘରେ ଥିବା ତାର ଭାଣଞ୍ଜି କହିବସନ୍ତି। କେବଳ ସରକାରଙ୍କ ସହାୟତା ରାଶି ଚକଡ଼ାପୋକ ବାବଦକୁ ଟ.୩୦୦୦/-ଙ୍କା ତାଙ୍କୁ ମିଳିଥିଲା ଏବଂ ଘର ଖଣ୍ଡିଏ ପାଇଥିଲେ। ଏହା ସହିତ ତା ସ୍ତ୍ରୀଙ୍କୁ ଭତ୍ତା ମଧ୍ୟ ଯୋଗାଇଦିଆଗଲା। ବର୍ତ୍ତମାନ ୨୪ ବର୍ଷର ତା ପୁଅ ସୁବାଷ ଚନ୍ଦ୍ର ଧରେଇ ବାପାଙ୍କ ଅନ୍ତେ ଚାଷ କରୁଅଛି। ଏବଂ ଗୋଟିଏ ଘରୋଇ ସିମେଣ୍ଟ ଦୋକାନରେ କାମ କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି। ଘରର ସମସ୍ୟା ଓ କରଜ ଛୁଟିବେ କେମିତି ସବୁଦିନ ସ୍ତ୍ରୀଙ୍କୁ କହିବସୁଥିବା କଥା ବର୍ତ୍ତମାନ ତା ସ୍ତ୍ରୀ ଓ ଭାଣଞ୍ଜି ସାମ୍ବାଦିକଙ୍କୁ କହିବସନ୍ତି। ସେଥିଯୋଗୁଁ ବାଧ୍ୟ ହୋଇ ବିଷପାନ କରି ଆତ୍ମହତ୍ୟା କରିଥିଲେ ଗତ ୩୦ ଅକ୍ଟୋବର ୨୦୧୭ ମସିହାରେ। ପୁଣି ତା ସ୍ତ୍ରୀ କହିବସନ୍ତି ଧାନ ସାର ବାବଦରେ ବହୁତ ଖର୍ଚ୍ଚ ହେବାକୁ ପଡ଼ୁଥିଲା। ଏସବୁ ଘଟଣା ନେଇ ବାରମ୍ବାର ଚିନ୍ତା କରୁଥିଲେ ଓ ଶେଷରେ ସେ ବିଷପାନ କରିଦେଲେ। ତାଙ୍କୁ ବରଗଡ଼ ହସ୍ପିଟାଲ ନେବା ରାସ୍ତାରେ ଖରାପ ହୋଇଯାଇଥିଲା ବୋଲି କହନ୍ତି। ଅପର ପକ୍ଷେ ୩୫ ବର୍ଷ ଉମେଶ ଜଗଦଲା ଭାଲୁପାଲି ଗାଁର ଜଣେ ହରିଜନ ସମ୍ପ୍ରଦାୟର ଯୁବକ ତାଙ୍କ ଜନ୍ମର ଏକ ବର୍ଷ ନ ହେଉଣୁ ତାଙ୍କ ବାପା ମୃତ୍ୟୁ ହୋଇଯାଇଥିଲେ। ଫଳରେ ଆଗକୁ ପାଠ ପଢ଼ିପାରିନଥିଲେ। ପରିବାର ପ୍ରତିପୋଷଣ ପାଇଁ ଚାଷବାସ ସାଙ୍ଗକୁ କୁଲି ମଜୁରି କରି ବଞ୍ଚୁଥିଲେ। ତାଙ୍କର କେବଳ ଗୋଟିଏ ଝିଅ ଏଗାର ବର୍ଷର ସୁନାକ୍ଷୀ ଦଗ୍ଦଲା। ତାଙ୍କ ବାପା ଜଣେ ଗରିବ ଜମିହୀନ ସମ୍ପ୍ରଦାୟର ଲୋକ ହୋଇଥିବାରୁ ସରକାରଙ୍କ ଗୋଚର ଜମିରେ ଘର ତିଆରି କରି ରହିଆସୁଛନ୍ତି। ତାଙ୍କ ଦାଦା ଚୈତନ୍ୟ ଜଗଦଲା ଉମେଶକୁ ଛୋଟବେଳୁ ଯତ୍ନ ନେଉଥିଲେ। ଗାଁରୁ ଚିତ୍ତରଞ୍ଜନ ପ୍ରଧାନଙ୍କ ଠାରୁ ଉମେଶ ଜଗଦଲା ସାଢ଼େ ତିନି ଏକର ଜମିକୁ ନେଇ ଭାଗଚାଷ ରୂପେ ଚାଷ କରିଆସୁଥିଲେ। ତାବଦଳରେ ଜମି ମାଲିକଙ୍କୁ ଏକର ପିଛା ୧୦ ବସ୍ତା ଧାନ ଦେବାକୁ ପଡ଼ୁଥିଲା। ସେ ଚାଷ ବାବଦକୁ ସ୍ଥାନୀୟ ସାହୁକାରଙ୍କ ଠାରୁ ଦୁଇ ଲକ୍ଷ ଟଙ୍କା ହାତ ଉଧାରୀ ନେଇଥିବା ଯୋଗୁଁ ବାରମ୍ବାର ସାହୁକାର ମାନେ ତାଙ୍କ ଘରକୁ ଟଙ୍କା ମାଗି ଆସୁଥିଲେ। ଫଳରେ ସେ ସଦାସର୍ବଦା ଚିନ୍ତାରେ ରହୁଥିଲେ। ଗତ ୨୦୧୭ ମସିହା ଡ଼ିସେମ୍ବର ୧୫ ତାରିଖରେ ଫସଲ ନଷ୍ଟ ପୋକ ଦ୍ୱାରା ହେବାଯୋଗୁଁ ଏବଂ ପରିବାର ପ୍ରତିପୋଷଣ ଚିନ୍ତା ଯୋଗୁଁ ବିଷପାନ କରି ନିଜ ବିଲରେ ପଡ଼ିଥିଲେ। ଅତ୍ୟଧିକ ଋଣ ଓ ଫସଲ ପୋକ ଏବଂ ପରିବାର ପ୍ରତିପୋଷଣ ପାଇଁ ସହ୍ୟ କରିନପାରି ଶେଷକୁ ଆତ୍ମହତ୍ୟା କରିଥିଲେ ବୋଲି ତା ସ୍ତ୍ରୀ ବିମଳା ଜଗଦଲା କହିବସନ୍ତି। ସରକାରଙ୍କ ତରଫରୁ ଆତ୍ମହତ୍ୟାପରେ ତାଙ୍କ ପରିବାରକୁ ୪ ଡ଼ିସିମିଲ ଜାଗା ଏବଂ ଘର ତିଆରି କରିବାପାଇଁ ପ୍ରତିଶୃତି ଦେଇଥିଲେ ଓ ତାଙ୍କ ଛୁଆକୁ ପାଠ ପଢ଼େଇବା ପାଇଁ କହିଥିଲେ। ହେଲେ ସରକାରଙ୍କ ପ୍ରତିଶୃତି ଏବେ ଯାଏ ହୋଇପାରି ନାହିଁ ବୋଲି ତା ସ୍ତ୍ରୀ ବିମଳା ଜଗଦଲା କହିବସନ୍ତି।

ବର୍ତ୍ତମାନ ଗାଁ ମାନଙ୍କରେ ଗାଁ କମିଟି ଗଠନ କରାଯାଇ ସେଠାକାର ଭାଗଚାଷୀ ମାନଙ୍କୁ ଚିହ୍ନଟ କରାଯାଉଅଛି ଏବଂ ଜମି ମାଲିକଙ୍କୁ ତାଙ୍କ ନିଜସ୍ୱ ଭାଗଚାଷୀ ଉପରେ ସପକ୍ଷ ସହଯୋଗ ପାଇଁ ମତ ଦେଲେ ଯାଇ ଭାଗ ଚାଷୀଙ୍କ ଆକାଉଣ୍ଟରେ ପଇସା ପକେଇ ଦିଆଯାଉଥିବାର ଅତିରିକ୍ତ ତହସିଲଦାର ବରପାଲିର ଶ୍ରୀ ଅମିୟ କୁମାର ପଣ୍ଡା କହନ୍ତି।
ଭାଗଚାଷୀ ପାଇଁ ଆଜିଯାଏ କୌଣସି ପ୍ରାଧାନ୍ୟ ହୋଇନାହିଁ। ପୂର୍ବରୁ ଫସଲବୀମା ବାବଦକୁ ୫୦ ପ୍ରତିଶତ ନଷ୍ଟ ହେଲେ ଯାଇ ଇନ୍ପୁଟ୍ ସବ୍ସିଡ଼ି ଦିଆଯାଉଥିଲା କିନ୍ତୁ ଏବେ ପ୍ରାକୃତିକ ବିପର୍ଯ୍ୟୟ (କୁଆପଥରମାଡ଼, କାଳବୈଶାଖୀ) ହେଉ କିମ୍ବା ଅଦିନିଆ ବର୍ଷା ବା କମ୍ ବର୍ଷା ହୋଇ ୩୩ ଶତକଡ଼ା କ୍ଷତି ହେଲେ ମଧ୍ୟ ଚାଷୀଙ୍କୁ ସହଯୋଗ ରାଶି କେନ୍ଦ୍ର ସରକାରଙ୍କ ଠାରୁ ଇନ୍ପୁଟ୍ ସବ୍ସିଡ଼ି ଦିଆଯାଉଛି। ରାଜ୍ୟ ସରକାର ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରୁନାହାନ୍ତି। ଯେହେତୁ ତାଙ୍କୁ ଉତ୍ତର ଦେବାକୁ ପଡ଼ିବ, ଜବାବ ରଖିବା ସାଙ୍ଗକୁ ତାଙ୍କୁ ତା ପରିବାରକୁ କ୍ଷତି ଭରିବାକୁ ପଡ଼ିବ ସେ ନେଇ ଓଡ଼ିଶା ସରକାର ସ୍ୱୀକାର କରୁନାହାନ୍ତି କିନ୍ତୁ ଅନ୍ୟ ରାଜ୍ୟ ମାନଙ୍କରେ ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରୁଛନ୍ତି। ଏଣୁ ରାଜ୍ୟ ସରକାର ଏଯାଏଁ ଗ୍ରହଣ କରୁନାହାନ୍ତି ବୋଲି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରୀଣି ପ୍ରବକ୍ତା ଡ଼କ୍ଟର ସମ୍ବିତ୍ ପାତ୍ର ଓ ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡା ନୁଆପଡ଼ା ଜିଲ୍ଲାରେ ଗତ ୧୩ ତାରିଖ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମତ ଦେଇଥିଲେ। ଚାଷୀ ଆତ୍ମହତ୍ୟା ସମ୍ପର୍କରେ ବରଗଡ଼ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠିଙ୍କୁ ପଚାରିବାରୁ ସେ ଚାଷ ସମ୍ବନ୍ଧୀୟ ଆତ୍ମହତ୍ୟା କରୁନାହାନ୍ତି ଅନେକ କାରଣର ସମସ୍ୟା ନେଇ ସେମାନେ ମରୁଛନ୍ତି, ଉପଯୁକ୍ତ ତଦନ୍ତ କଲେ ତାହା ଜଣାପଡ଼ିବ ବୋଲି କହନ୍ତି।

ଏନ୍. ଏଫ.ଆଇ. ମିଡିଆ ଫେଲୋ

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top