ଭରତପୁର ଗ୍ରାମରେ ଗୁଳି ମାଡରେ ୩ ଗୁରୁତର

ଯାଜପୁର-୧୦/୧(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଭରତପୁର ଗ୍ରାମରେ ବୁଧବାର ସକାଳେ ଜମିଜମା ବିବାଦକୁ ନେଇ ଗୁଳିମାଡ ରେ ଗୋଟିଏ ପରିବାରର ଜଣେ ମହିଳା ସମେତ ୩ ଆହତ ହୋଇଥିବା ଜଣାଯାଇଛି। ପୂର୍ବରୁ ଜମିବାଡିକୁ କେନ୍ଦ୍ର କରି ବହୁବାର ଉଭୟଙ୍କ ପରିବାର ମଧ୍ୟରେ ଯୁକ୍ତିତର୍କ ହୋଇ ଆଜି ଉଗ୍ରରୂପଧାରଣ କରିଛି ବୋଲି ସ୍ଥାନୀୟ ଲୋକଠାରୁ ଶୁଣିବାକୁ ମଳୁଛି। ଏହି ଗୁଳି ମାଡରେ ଆହତ ହୋଇଥିବା ବ୍ୟକ୍ତି ମାନେ ହେଲେ କ୍ଷିରୋଦ ପ୍ରଧାନଙ୍କ ପତ୍ନୀ ସୁଜାତା ପ୍ରଧାନ(୫୦) ତାଙ୍କ ପୁଅ ବିବେକ ପ୍ରଧାନ(୨୯) ଓ ରଂଜନ ପ୍ରଧାନ(୨୪) ବୋଲି ଜଣାପଡିଛି। ଆଜି କ୍ଷିରୋଦ ପ୍ରଧାନ ନିଜ ସାଇକେଲରେ ବିଲକୁ ଯାଉଥିବା ବେଳେ ବିପରିତ ଦିଗରୁ ସେହି ଗ୍ରାମର ଭାରତୀୟ ସେନାରେ ଚାକିରି କରିଥିବା ମହେଶ୍ୱର ଦାସ ମଟର ସାଇକେଲରେ ଆସି ସାଇଡ ମରାମରି ହେଲାପରେ ଉଭୟଙ୍କ ଭିତରେ ବଚସାହୋଇଥିଲା। ଏହି ସମୟରେ କ୍ଷିରୋଦର ପରିବାର ଲୋକ ସେଠାରେ ପହଁଚିଲାପରେ ଉଭୟଙ୍କ ବଚସା ତିବ୍ର ହୋଇ ମାଡପିଟ ରୂପ ନେଇଥିଲା। ଏଥିରେ କ୍ଷୁବ୍ଧ ହୋଇ ଯବାନ ମହେଶ୍ୱର ଦାସ ନିଜଘରେ ରଖିଥିବା ଏୟାରଗନ୍କୁ ଆଣି ଏହି ପରିବାର ଉପରେ ଆଖିବୁଜା ଗୁଳିଚଳାଇଥିଲେ। ଏହି ଆକ୍ରମଣରେ ବିବେକ ଦେହରେ ୨୫ଟି,  ରଂଜନ ଓ ତା ମା ଦେହରେ ୧୫ଟି ଗୁଳି ବାଜିଥିବା ଧର୍ମଶାଳା ଡାକ୍ତର ଖାନାରେ ଚିକିତ୍ସା ବେଳେ ଜଣାପଡିଛି।ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନଙ୍କ ସାହାଯ୍ୟରେ ଗୁରୁତର ଆହତ ହୋଇଥିବା ୩ଜଣଙ୍କୁ ପ୍ରଥମେ ଧର୍ମଶାଳା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ଖବରପାଇ ଜେନାପୁର ଥାନା ଅଧିକାରୀ ସୁଶାନ୍ତ ଦାସ ଘଟଣା ସ୍ଥଳରେ ପହଂଚି ଗୁଳି ମାରିଥିବା ସେନା ଯବାନ ମହେଶ୍ୱରକୁ ଗିରଫ କରିବା ସହିତ ବନ୍ଧୁକ ଜବତ କରି ୯/୧୮ରେ ଏକ କେଶରୁଜୁ କରି ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *