ଭଦ୍ରକ : ୧୧କେଭି ବିଦ୍ୟୁତ୍ ତାର ଛିଣ୍ଡି ଯୁବକଙ୍କ ମୃତ୍ୟୁ ବର୍ତ୍ତିଲେ ୬; କ୍ଷତିପୂରଣ ଦାବିରେ ରାସ୍ତାରୋକ

ଭଦ୍ରକ, ୨୧ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ବାସୁଦେବପୁର ବ୍ଲକ ଗଦଳା ଗ୍ରାମରେ ୧୧କେଭି ବିଦ୍ୟୁତ ତାର ଛିଣ୍ଡି ପଡିବାରୁ ବାଡିରେ କାମ କରୁଥିବା ଜଗବନ୍ଧୁ କୁଅଁର ନାମକ ୪୦ବର୍ଷିୟ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରୁ ବାକି ୬ ଶ୍ରମିକ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବିଦ୍ୟୁତ୍ ବିଭାଗ ଦାୟିତ୍ୱହିନତା ପାଇଁ ଜଗବନ୍ଧୁଙ୍କର ମୃତ୍ୟୁ ଘଟିଲା ବୋଲି ଗ୍ରାମବାସୀ ଅଭିଯୋଗ ଉଠାଇଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ବାସୁଦେବପୁର ଧାମରା ରାସ୍ତାର ଗଦଳା ଛକ ନିକରେ ରାସ୍ତାରୋକ ହୋଇଛି। ଜଗବନ୍ଧୁଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗଦଳା ମେଳନ ପଡିଆ ନିକଟ ବାଡିରେ ଜଗବନ୍ଧୁଙ୍କ ସମେତ ୭ଜଣ ଶ୍ରମିକ ଇଟା ପକାଇବା କାମ କରୁଥିଲେ। ସେହି ବାଡି ଉପରେ ଯାଇଥିବା ବିଦ୍ୟୁତ୍ ତାର ହଠାତ୍ ଛିଣ୍ଡିପଡି ଜଗବନ୍ଧୁଙ୍କ ଗୋଡରେ ଲାଗିଯାଇଥିଲା। ତାଙ୍କ ଗୋଡ ପୋଡିଯିବା ସହିତ ସଂଜ୍ଞାହୀନ ହୋଇ ସେହିଠାରେ ପଡିଯାଇଥିଲେ। ପାଖରେ ଥିବା ସାଥୀମାନେ ତାଙ୍କୁ କୌଶଳ କରି ଉଦ୍ଧାର କରିବା ସହିତ ପରିବାରକୁ ଖବର ଦେଇଥିଲେ। ତୁରନ୍ତ ତାଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜଗବନ୍ଧୁଙ୍କ ମୃତ୍ୟୁ ପାଇଁ ବିଦ୍ୟୁତ ବିଭାଗକୁ ଦାୟୀ କରିଛନ୍ତି ଗ୍ରାମବାସୀ। ଦୀର୍ଘଦିନ ହେବ ଗାଁରେ ଦୁର୍ବଳ ବିଦ୍ୟୁତ୍ ତାର ଓହଳିଡିଥିଲେ ବି ତାକୁ ସଜାଡିବା ପାଇଁ ବାରମ୍ବାର ବିଦ୍ୟୁତ ବିଭାଗକୁ ଗ୍ରାମବାସୀ ଅବଗତ କରାଇଛନ୍ତି। ହେଲେ ବିଦ୍ୟୁତ୍ ବିଭାଗ ସେଥିପ୍ରତି ଟିକେବି ନଜର ଦେଇ ନ ଥିବା ଗ୍ରାମବାସୀ କହିଛନ୍ତି। ବିଦ୍ୟୁତ ବିଭାଗର ଦାୟିତ୍ୱହିନତାର ପ୍ରତିବାଦ, ମୃତକ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଓ ମୃତକଙ୍କ ପରିବାରରୁ ଜଣଙ୍କୁ ଚାକିରି ଦାବିକରି ଗ୍ରାମବାସୀ ରାସ୍ତାକୁ ଓହ୍ଲାଇଥିଲେ। ନାୟକାଣିଡିହି ପୁଲିସ ଲୋକଙ୍କୁ ବୁଝାଶୁଝା କରିଥିଲା। ହେଲେ ଲୋକଙ୍କ ଗୋଟିଏ ଜିଦ୍ ଘଟଣା ସ୍ଥଳକୁ ବିଭାଗୀୟ ଅଧିକାରୀ ନ ଆସିଲେ ରାସ୍ତାରୁ ଉଠିବୁ ନାହିଁ।

Leave a Reply

Your email address will not be published. Required fields are marked *