ଭଦ୍ରକ ହିଂସା ଘଟଣା, ରାତିଅଧିଆ ଗିରଫଦାରିକୁ ମହିଳାଙ୍କ ବିରୋଧ

ଭଦ୍ରକ, ୨୮/୪(ଓଡ଼ିଆ ପୁଅ/ପ୍ରମୋଦ କୁମାର ରାୟ): ଭଦ୍ରକ ହିଂସା ଘଟଣାରେ ପୁଲିସର ରାତିଅଧିଆ ଗିରଫଦାରି ବିରୋଧରେ ଏବେ ପ୍ରତିବାଦର ସ୍ୱର ତୀବ୍ର ହେଉଛି। ଏହି କ୍ରମରେ ଆଜି ଶତାଧିକ ମହିଳା ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ପହଞ୍ଚି ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲେ। ରାତିରେ ଗ୍ରାମାଞ୍ଚଳ ଥାନା ପୁଲିସ ବରାହଡିହ ଓ ଜୁଣିଆପାଳ ଗ୍ରାମରୁ ୬ଜଣ ବ୍ୟକ୍ତିଙ୍କୁ ହିଂସାରେ ଜଡିତ ଅଭିଯୋଗରେ ଉଠାଇ ଆଣିଥିଲା। ଏହାର ପ୍ରତିବାଦରେ ସେମାନଙ୍କ ପରିବାର ଲୋକେ ଓ ଗାଁର ମହିଳାମାନେ ଏକତ୍ରିତ ହୋଇ ଥାନାରେ ପହଞ୍ଚି ଥାନାଧିକାରୀଙ୍କୁ ଘେରିଥିଲେ। ପୁଲିସ ଯେଉଁମାନଙ୍କୁ ଉଠାଇଆଣିଛି ସେମାନେ ହିଂସାରେ ସଂପୃକ୍ତ ଥିବାର କ’ଣ ପ୍ରମାଣ ରହିଛି ବୋଲି ପ୍ରଶ୍ନ କରିଥିଲେ। ନିର୍ଦୋଷଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ବରଦାସ୍ତ କରାଯିବ ନାହିଁ ବୋଲି ମହିଳାମାନେ ଯୁକ୍ତି ବାଢିଥିଲେ। ଏଭଳି ଗିରଫଦାରି ବନ୍ଦ ହେବା ଉଚିତ ବୋଲି ସେମାନେ କହିଥିଲେ। ତେବେ ଥାନାଧିକାରୀ ସୁଦର୍ଶନ ଗାଙ୍ଗୋଇ ଭିଡିଓ ଫୁଟେଜ ଆଧାରରେ ସେମାନଙ୍କୁ ଅଣାଯାଇଛି, ଫୁଟେଜକୁ ଯାଞ୍ଚ କରାଯିବା ପରେ ଯଦି ସେମାନେ କୋ÷ଣସି ଗଣ୍ଡଗୋଳ କରିନଥିବାର ପ୍ରମାଣ ମିଳିବ ତେବେ ସେମାନଙ୍କୁ ଥାନାରୁ ଛାଡି ଦିଆଯିବ ବୋଲି କହିବା ପରେ ମହିଳାମାନେ ଥାନା ଛାଡିଥିଲେ। ପରବର୍ତ୍ତୀ ଖବର ଅନୁଯାୟୀ ଆବଶ୍ୟକ ଯାଞ୍ଚ ପରେ ୬ଜଣଙ୍କ ମଧ୍ୟରୁ ୫ଜଣଙ୍କୁ ଥାନାରୁ ଛାଡି ଦିଆଯାଇଥିବା ଥାନାଧିକାରୀ ଶ୍ରୀ ଗାଙ୍ଗୋଇ ପ୍ରକାଶ କରିଛନ୍ତି। ତେବେ ଉକ୍ତ ଅଞ୍ଚଳରେ ଗଣ୍ଡଗୋଳରେ ସଂପୃକ୍ତ ଅନେକ ଅଛନ୍ତି ଯେଉଁମାନଙ୍କୁ ପୁଲିସ ଧରିବ ବୋଲି ଶ୍ରୀ ଗାଙ୍ଗୋଇ କହିଛନ୍ତି।

Leave a Reply

Your email address will not be published. Required fields are marked *