ଭଦ୍ରକ ହିଂସା କ୍ଷତିପୂରଣ ରାଶିକୁ ନେଇ ବ୍ୟବସାୟୀ-ଗୃହକର୍ତ୍ତା ସାମ୍ନାସାମ୍ନୀ ପ୍ରଶାସନ ପକ୍ଷରୁ ପୁନଃ ତଦନ୍ତ ଦାବି

ଭଦ୍ରକ, ୨/୬  (ଓଡ଼ିଆ ପୁଅ/ପ୍ରମୋଦ ରାୟ): ଭଦ୍ରକ ହିଂସା ପରବର୍ତ୍ତୀ କ୍ଷତିପୂରଣ ପ୍ରଦାନକୁ ପ୍ରାୟ ମାସେ ପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହି ଅର୍ଥରାଶିକୁ ନେଇ ବହୁ ଗରିବ ବ୍ୟବସାୟୀ ଭଡାସୂତ୍ରେ ନେଇଥିବା ଗୃହକର୍ତ୍ତାଙ୍କ ଦ୍ୱାରା ଯେଉଁ ଶୋଷଣର ସମ୍ମୁଖୀନ ହୋଇଛନ୍ତି, ତାହା ସେମାନଙ୍କର ଆର୍ଥିକ ମାନଦଣ୍ଡକୁ ଦୋହଲାଇ ଦେଇଛି। ଅନେକ କ୍ଷେତ୍ରରେ  ସରକାରୀ କାଗଜପତ୍ରରେ ଘର ମାଲିକାନା ଥିବା ଅଣବ୍ୟବସାୟୀମାନେ ସ୍ଥାନୀୟ ପୁଲିସକୁ ହାତବାରିସ କରି ଲୁଟି ନେଇଛନ୍ତି ସରକାରୀ ସହାୟତାକୁ। ତେବେ ବହୁକ୍ଷେତ୍ରରେ  ଘରମାଲିକ ଓ  ବ୍ୟବସାୟୀଙ୍କ ମଧ୍ୟରେ ହୋଇଥିବା ଗୁପ୍ତ ବୁଝାମଣା ଉପରୋକ୍ତ ବାସ୍ତବ ସତ୍ୟକୁ ଘୋଡାଇ ଚାଲିଥିଲେ ବି ଏହି କ୍ଷତିପୂରଣ ଅର୍ଥକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଅନେକ କ୍ଷେତ୍ରରେ ଭଡାସୂତ୍ରେ ଦୋକାନ ଘର ନେଇ ହିଂସାଜନିତ ପୋଡାଜଳା କାରଣରୁ ସର୍ବସ୍ୱାନ୍ତ ହୋଇଥିବା ଗରିବ ବ୍ୟବସାୟୀଟି ଗୃହକର୍ତ୍ତାଙ୍କ ବିରୋଧାଭାଷର ସମ୍ମୁଖୀନ ହୋଇ ଘରଟିକୁ ଶେଷରେ ହରାଇବାକୁ ପଡିଛି। ଫଳରେ ଯେଉଁ ଅର୍ଜିତ କଷ୍ଟଲବ୍ଧ ରୋଜଗାର ଅର୍ଥକୁ ସେ ଦୀର୍ଘଦିନ ହେଲା ନିଜ ପରିବାର ମୁହଁରେ ଦେଇ ଜୀବନ ବଂଚାଇଆସୁଥିଲା, ଆଜି ସେହି ଗୃହ ହରାଇ ଦାଣ୍ଡର ଭିକାରୀ ହୋଇଛି।

ଏ ଦିଗରେ ସେହି ବ୍ୟବସାୟୀମାନେ ପୁଲିସର ସହାୟତା ଲୋଡିଥିଲେ ବି ପ୍ରଭାବଶାଳୀ ଗୃହକର୍ତ୍ତାଙ୍କ ସହ  ହୋଇଥିବା ମଧୁଚନ୍ଦି୍ରକା ତାର ଭାତହାଣ୍ଡିକୁ ଉଜାଡି ଚାଲିଛି। ଏ କ୍ଷେତ୍ରରେ ନା ଜିଲା ପ୍ରଶାସନ ନା ପୁଲିସ ପ୍ରଶାସନ କେହିବି ଚିନ୍ତା କରୁନଥିବା ଭଳି ମନେହୁଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଭଦ୍ରକ ସହରର ବିଭିନ୍ନ ସ୍ଥାନରେ ପୌରପାଳିକା ଓ ଟାଉନ୍ ପ୍ଲାନିଂ ପକ୍ଷରୁ ବିଗତ ଦିନମାନଙ୍କରେ ଯେଉଁ ଦୋକାନ ଗୃହ ଗୁଡିକ ଯୋଗାଣ ହୋଇଛି, ଅନେକ କ୍ଷେତ୍ରରେ ତାହା ଜଣେ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମରେ ଏକାଧିକ ରହିଛି। ଫଳରେ ଜଣେ ଗରିବ ବ୍ୟବସାୟୀ ନିଜର ଗୁଜୁରାଣ ମେଣ୍ଟାଇବାକୁ ଘରଟିଏ ପାଉନଥିବାବେଳେ ଉପରୋକ୍ତ ଧନୀ ବ୍ୟକ୍ତିମାନେ ପୂର୍ବରୁ ଭଡା ଦେଇଆସୁଥିବା କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ହିଂସାକାଣ୍ଡର କ୍ଷତିପୂରଣ ପାଇବା ନେଇ ବେଘର କରୁଥିବାର ବହୁ ତଥ୍ୟ ଲୋକ ଲୋଚନକୁ ଆସୁଛି।

ଏକ ଅନୁସନ୍ଧାନରୁ ଯାହା ଜଣାଯାଏ ଭଦ୍ରକ ସହରରେ ପୌରପାଳିକା ଏବଂ ଟାଉନ୍ ପ୍ଲାନିଂ ମାଲିକାନାରେ ଥିବା ଅଧିକାଂଶ ବ୍ୟବାସୟିକ ଗୃହକୁ କେତେକ ଲୋକ ହାତେଇନେଇ ବ୍ୟବସାୟ ଚଳାଇଛନ୍ତି । ଯାହାପ୍ରତି ପ୍ରଶାସନ ଜାଣି ମଧ୍ୟ ନୀରବଦ୍ରଷ୍ଟା ସାଜି “ନିଦାବିଷ୍ଣୁ” ହୋଇଛି।  ଏ କ୍ଷେତ୍ରରେ ପୌରପାଳିକା, ଟାଉନ୍ ପ୍ଲାନିଂ ଓ ତହସିଲ କାର୍ଯ୍ୟାଳୟ ମିଳିତ ଭାବେ ଯେଉଁ ପଦକ୍ଷେପମାନ ଉଠାଇ ଚାଲିଛନ୍ତି, ତାହା  ସରକାରୀ ଧାର୍ଯ୍ୟ ଦରରେ ଘରଭଡା ନେଇ ତାହାକୁ ଉଚ୍ଚଦରରେ ବ୍ୟବସାୟୀଙ୍କୁ ଭଡାଦେଇ ପ୍ରଚୁର ମୁନାଫା ଉଠାଉଥିବା ଘର ମାଫିଆଙ୍କୁ “କଙ୍କଡାକୁ ଗୋଳିପାଣି” ସୁହାଇଲା ଭଳି ହୋଇଛି।

ଏ ଦିଗରେ ଏକ ବିଶେଷ ଅନୁସନ୍ଧାନରୁ ଯେଉଁ ସତ୍ୟ ଲୋକ ଲୋଚନକୁ ଆସିଛି, ତାହା “ଗୋଟିଏ ଚାଉଳ ଭାତ ହାଣ୍ଡିରୁ ଚପିବା” ସଦୃଶ ଜଣାଯାଇଛି।  ହିଂସା ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତକ୍ରମ ପରେ ପ୍ରଶାସନ କ୍ଷତି ପୂରଣ ଦେବା କ୍ଷେତ୍ରରେ  ଅଧିକ ଘଣ୍ଟାଚକଟା ନକରି  କେବଳ ଘର ମାଲିକାନା ଥିବା ଲୋକଙ୍କୁ କ୍ଷତିପୂରଣ ଦେବାକୁ ଘୋଷଣା କରିଥିଲେ। ଫଳରେ ପ୍ରକୃତପକ୍ଷେ ଦଙ୍ଗାରେ କ୍ଷତିଗ୍ରସ୍ତ ବହୁ ବ୍ୟବସାୟୀ ନିଜର ସର୍ବସ୍ୱ ହରାଇ ମଧ୍ୟ ଘର ମାଲିକାନା ନଥିବାରୁ ସରକାରୀ ସାହାଯ୍ୟରୁ ବଂଚିତ ହୋଇଛନ୍ତି।

ଭଦ୍ରକ ସାଳନ୍ଦୀ ବାଇପାସ ନିକଟରେ ଥିବା ଟାଉନ୍ ପ୍ଲାନିଂର ବ୍ଲକ୍-ସି ରେ ଥିବା ସି/୫ ଦୋକାନ ଘରକୁ ଭଦ୍ରକ ପୁରୁଣାବଜାର ଅଂଚଳର ଜଣେ ଲୋକ ନେଇଥିଲେ ମଧ୍ୟ ଗତ ପ୍ରାୟ ୧୫ ବର୍ଷ ହେବ ତାଜ ମହମ୍ମଦ ଖାଁ ନାମକ ଜଣେ ବ୍ୟବସାୟୀ ଏହି ଘରକୁ ଭଡାସୂତ୍ରରେ ନେଇ ଦୋକାନ କରିଥିଲେ। ଯାହାର ସେଲ୍ଟେକ୍ସ ଟିନ୍ ନମ୍ବର ୨୧୫୦୩୯୦୦୭୨୪ ଓ ଦୋକାନ ଘର ନମ୍ବର- ଏସ୍ପିଏ, ସି/୦୫, ଫେଜ୍-୨, ବ୍ଲକ୍-ସି ଅଟେ। ତେବେ ଗତ ଦଙ୍ଗାରେ ଚାନ୍ଦବାଲି-ବାଇପାସ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନିକଟରେ ଥିବା  ଏହି ଦୋକାନଟି କ୍ଷତିଗ୍ରସ୍ତ ହୋଇଥିବାବେଳେ ସରକାରଙ୍କ ପକ୍ଷରୁ ଏଥିନେଇ ୬୦ ହଜାର ଟଙ୍କା କ୍ଷତିପୂରଣ ଦିଆଯାଇଥିଲା। ତେବେ ଉପଯୁକ୍ତ କାଗଜପତ୍ର ମୂଳେ ବ୍ୟବସାୟୀ ତାଜ ମହମ୍ମଦ କ୍ଷତିପୂରଣ ବାବଦକୁ ମିଳିଥିବା ଅର୍ଥ ନେଇ ପୋଡିଯାଇଥିବା ଦୋକାନ ଘରକୁ ପୁନର୍ବାର ନିର୍ମାଣ କରିବାର ପ୍ରୟାସ କରନ୍ତେ,  ଘରର ମାଲିକ ଏହାକୁ ବିରୋଧ କରି କ୍ଷତିପୂରଣ ଅର୍ଥ ତାଙ୍କୁ ଫେରସ୍ତ ଦେବାକୁ ଅଡି ବସିବା ଯୋଗୁଁ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜି ମାମଲା ଯାଇ ଭଦ୍ରକ ଟାଉନ୍ ଥାନାରେ ପହଞ୍ଚିଛି।

ତେବେ ଏଠାରେ ସୂଚନାଯୋଗ୍ୟ ଏହି ଗୃହକର୍ତ୍ତା ଜଣଙ୍କ ନାମରେ ଭଦ୍ରକ ସହରର ବହୁ ସ୍ଥାନରେ ୧୦ ରୁ ଉଦ୍ଧ୍ୱର୍ ଦୋକାନଗୃହ ଥିବାବେଳେ ସେ କିଭଳି ଏତେ ଦୋକାନ ଘରର ମାଲିକାନା ପାଇଲେ, ତାହା ତଦନ୍ତ ସାପେକ୍ଷ। ଅନ୍ୟପକ୍ଷରେ ଜିଲା ପ୍ରଶାସନ ସହରରେ ସରକାରୀ ଦୋକାନ ଘର ନେଇ ବ୍ୟବସାୟ କରୁଥିବା ଲୋକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଆଖିବୁଜା ସେମାନଙ୍କୁ ଦଙ୍ଗା କ୍ଷତିପୂରଣ ଅର୍ଥ ପ୍ରଦାନ କରିବା ଘଟଣା ପ୍ରକୃତ ବ୍ୟବସାୟୀଙ୍କୁ ମର୍ମାହତ କରିଛି। ଏହାଫଳରେ ପ୍ରକୃତ ହିଂସା କ୍ଷତିଗ୍ରସ୍ତ ସରକାରୀ ସହାୟତାରୁ ବଂଚିତ ହୋଇ “ମାରିନେଲେ ମହାପାତ୍ରେ, ଚାହିଁଥାରେ ଜଳକା” ନ୍ୟାୟରେ ଉପରକୁ ଚାହିଁ ବସିଥିବାବେଳେ ଗୃହକର୍ତ୍ତାମାନେ ଘରେ ବସି ବସି  ସରକାରଙ୍କର କୋଟି କୋଟି ଟଙ୍କାର ଆର୍ଥିକ ସହାୟତା ଲୁଟି ନେଉଛନ୍ତି। ଏଣୁ ଏ ଦିଗରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ତାଜ ମହମ୍ମଦଙ୍କ ଭଳି ବ୍ୟବସାୟୀଙ୍କୁ ସେଠାରେ ପୁନଃ ଥଇଥାନ କରାଯିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *