ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ନାତ୍ତକୋତ୍ତର ପରୀକ୍ଷା ଫଳ ପ୍ରକାଶିତ

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତ୍ତକୋତ୍ତର ପରୀକ୍ଷାଫଳ ପ୍ରକାଶ ପାଇଛି। ରସାୟନ ବିଭାଗର ଛାତ୍ର ତାପସ କୁମାର ନାୟକ ମୋଟ ୧୦୦୦ ନମ୍ବରରୁ ସର୍ବମୋଟ ୯୬୯ ନମ୍ବର ରଖି ଚଳିତ ବର୍ଷର ଟପ୍ପର ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଗଣିତ ବିଭାଗର ଛାତ୍ର ମନ୍ଦୀପ ମହାରଣା ୮୧୦ ନମ୍ବର ରଖି ଦ୍ୱିତୀୟ ହୋଇଥିବା ବେଳେ ଇଂରାଜୀ ବିଭାଗର ଛାତ୍ରୀ ରେଣୁକା ଖଣ୍ଡେଲୱାଲ ୭୫୧ ନମ୍ବର ରଖି ତୃତୀୟ ହୋଇଛନ୍ତି। ଏମାନେ ନିଜ ବିଭାଗ ସହିତ ମହାବିଦ୍ୟାଳୟର ସମସ୍ତ ବିଭାଗ ମଧ୍ୟରେ ସର୍ବାଧିକ ନମ୍ବର ରଖିଛନ୍ତି। ଅନ୍ୟ ବିଭାଗ ଗୁଡିକ ମଧ୍ୟରେ ବାଣିଜ୍ୟ ବିଭାଗର ଛାତ୍ରୀ ଅଞ୍ଜଳି ଅଗ୍ରୱାଲ ୭୨୯, ରାଜନୀତି ବିଜ୍ଞାନ ବିଭାଗର ରାଜେଶ୍ୱରୀ ନାୟକ ୭୦୨, ଅର୍ଥନୀତି ବିଭାଗର ଗୀତାଦେବୀ ଗୁପ୍ତା ୬୮୯ ଏବଂ ଉର୍ଦ୍ଦୁରେ ଶାହଜାଦୀ ଫାର୍ହା ୬୫୭ ନମ୍ବର ରଖିଛନ୍ତି। ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ମୋଟ ୭ଟି ବିଭାଗରେ ସ୍ନାତ୍ତକୋତ୍ତର ରହିଛି। ରସାୟନ ବିଭାଗରେ ୧୬ଟି ଆସନ ମଧ୍ୟରୁ ୧୫ଜଣ ପରୀକ୍ଷା ଦେଇଥିବା ବେଳେ ସମସ୍ତ ୧୫ଜଣ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇ ୧୦୦ ପ୍ରତିଶତ ସଫଳତା ଅର୍ଜନ କରିଛନ୍ତି। ବାଣିଜ୍ୟ ବିଭାଗର ୪୫ ଜଣ ପରୀକ୍ଷା ଦେଇଥିବା ବେଳେ ୩୮ଜଣ ପାଶ୍ କରିଛନ୍ତି। ୩୦ ଜଣ ପ୍ରଥମ ଶ୍ରେଣୀରେ ଏବଂ ୮ଜଣ ଦ୍ୱିତୀୟ ଶ୍ରେଣୀ। ଅର୍ଥନୀତି ବିଭାଗରେ ୬୮ଜଣ ପରୀକ୍ଷା ଦେଇଥିବା ବେଳେ ପାଶ୍ କରିଛନ୍ତି ୫୭ଜଣ। ସେମାନଙ୍କ ମଧ୍ୟରୁ ୧୬ଜଣ ପ୍ରଥମ, ୩୮ଜଣ ଦ୍ୱିତୀୟ ଏବଂ ୩ଜଣ ତୃତୀୟ ଶ୍ରେଣୀରେ ପାଶ୍ କରିଛନ୍ତି। ଇଂରାଜୀ ବିଭାଗରେ ୩୧ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ୨୯ଜଣ ପାଶ୍ କରିଥିବା ବେଳେ ପ୍ରଥମ ଶ୍ରେଣୀରେ ୨୨ ଓ ଦ୍ୱିତୀୟ ଶ୍ରେଣୀରେ ୭ଜଣ ପାଶ୍ କରିଛନ୍ତି। ଗଣିତ ବିଭାଗରେ ୧୮ଜଣ ପରୀକ୍ଷା ଦେଇଥିବା ବେଳେ ୧୫ଜଣ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଥମ ଶ୍ରେଣରେ ୧୧ ଓ ଦ୍ୱିତୀୟ ଶ୍ରେଣୀରେ ୪ଜଣ ପାଶ୍ କରିଛନ୍ତି। ରାଜନୀତି ବିଜ୍ଞାନ ବିଭାଗରେ ୨୯ଜଣ ପରୀକ୍ଷା ଦେଇଥିବା ବେଳେ ୨୩ଜଣ ପାଶ୍ କରିଛନ୍ତି। ସେଥି ମଧ୍ୟରୁ ୨୦ଜଣ ପ୍ରଥମ ଶ୍ରେଣୀ ଓ ୩ ଜଣ ଦ୍ୱିତୀୟ ଶ୍ରେଣୀରେ ପାଶ୍ କରିଛନ୍ତି। ଉର୍ଦ୍ଦୁରେ ମୋଟ ୧୭ଜଣ ପରୀକ୍ଷା ଦେଇଥିବା ବେଳେ ୧୫ଜଣ ପାଶ କରିଛନ୍ତି। ୬ଜଣ ପ୍ରଥମ, ୬ଜଣ ଦ୍ୱିତୀୟ ଏବଂ ୩ଜଣ ତୃତୀୟ ଶ୍ରେଣୀରେ ପାଶ୍ କରିଥିବା ମହାବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ସୂତ୍ରରୁ ଜଣା ଯାଇଛି।

Leave a Reply

Your email address will not be published. Required fields are marked *