ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ଜଣେ ଆହତ ଅଧ୍ୟକ୍ଷଙ୍କ ନିକଟରେ ଗେଷ୍ଟ ଫେକ୍ଲଟିଜ୍ଙ୍କ ଦ୍ୱାରା ମାନସିକ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ବହୁ ଛାତ୍ରଛାତ୍ରୀ, ଥାନାରେ ଅଭିଯୋଗ

ଭଦ୍ରକ, ୨୯ା୭ (ଓଡ଼ିଆପୁଅ ପ୍ରମୋଦ ରାୟ) : ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସେଲ୍ଫ ଫାଇନାନ୍ସ କମ୍ପୁ୍ୟଟର ସାଇନସ୍ ବିଭାଗର ଜଣେ ଅତିଥି ଅଧ୍ୟାପକ (ଗେଷ୍ଟ ଫେକଲଟିଜ୍) ଙ୍କ ମେରି ରାୟ ନୀତିକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ଛାତ୍ରଛାତ୍ରୀ ମୁହାଁମହିଁ ହୋଇଥିବାର ଜଣାପଡିଛି । ଶେଷରେ ଏଭଳି ଉତ୍ତେଜକ ପରିସ୍ଥିତି ହୋଇଛି ଯେ ସଂପୃକ୍ତ ଅଧ୍ୟାପକଙ୍କ ସମର୍ଥକ କୁହାଯାଉଥିବା ଗୋଟିଏ ଗୋଷ୍ଠୀର କେତେକ ଛାତ୍ରଙ୍କ ଆକ୍ରମଣରେ ଜଣେ ବିରୋଧୀ ଛାତ୍ର ଆହତ ହୋଇଛି । ଏହି ବିଷୟକୁ ନେଇ ଛାତ୍ର ଜଣକ ବ୍ୟକ୍ତିଗତ ଭାବେ ସହରାଞ୍ଚଳ ଥାନାରେ ଅଭିଯୋଗ ପତ୍ର ଦେବା ପରେ ଥାନାଧିକାରୀ ମନୋଜ ରାଉତ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାର ଶୁଣିବାକୁ ମିଳିଛି । ଉକ୍ତ ବିଭାଗର ଅତିଥି ଅଧ୍ୟାପକ ଅଭିଳାଷ ପତିଙ୍କ ସଂପର୍କରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ନିକଟରେ ୨ୟ ବର୍ଷର ଛାତ୍ର ଶ୍ରୀନିବାସ ଦାସ, ଛାତ୍ରୀ ବିବିଧା ଦାସ, ଶୁଭଦର୍ଶୀ ନାୟକ, ତୃତୀୟ ବର୍ଷର ଅମିତ ଭାରତୀଙ୍କ ଭଳି ବହୁ ଛାତ୍ର କରିଥିବା ଅଭିଯୋଗ ମୂଳେ  ଶ୍ରୀ ପତି ବିଗତ ୭/୮ ବର୍ଷ ଧରି ଏହି ବିଭାଗରେ ଅତିଥି ଅଧ୍ୟାପକ ଭାବେ ପ୍ରତିବର୍ଷ ନିଯୁକ୍ତି ପାଇଆସୁଛନ୍ତି । ସେ ମହାବିଦ୍ୟାଳୟର ଅନତି ଦୂରରେ “ପତି କ୍ଲାସେସ୍” ନାମକ ଏକ ଟୁ୍ୟଟୋରିଆଲ ସେଣ୍ଟର ଖୋଲିଛନ୍ତି । ସେ ନିଜ ବିଭାଗର ସଂଖ୍ୟାଧିକ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରି ନିଜ ଟୁ୍ୟଟୋରିଆଲରେ ପଢାଇ ବେଶ୍ ଅର୍ଥ ଉପାର୍ଜନ କରନ୍ତି । ତେବେ ଯେଉଁ କେତେକ ଦରିଦ୍ର ଛାତ୍ରଛାତ୍ରୀ ଅର୍ଥାଭାବରୁ ତାଙ୍କ ନିକଟରେ ପଢିପାରନ୍ତି ନାହିଁ, ସେ ସେମାନଙ୍କୁ କ୍ରମାଗତ ଭାବେ ଶ୍ରେଣୀରେ ମାନସିକ ନିର୍ଯ୍ୟାତନା (ମେଣ୍ଟାଲ ହାରାସମେଣ୍ଟ) ଦେବା ସହ ପରୀକ୍ଷାରେ ଫେଲ୍ କରାଇବାର ଧମକ ଦିଅନ୍ତି ବୋଲି ବହୁ ଛାତ୍ରଛାତ୍ରୀ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ଏପରିକି ଏ ବିଷୟରେ ପୂର୍ବରୁ ଥିବା ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଆସୁଥିଲେ ମଧ୍ୟ ତାଙ୍କର ପ୍ରଭାବ ଯୋଗୁଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିଲା ବୋଲି ଛାତ୍ରଛାତ୍ରୀ ଉପସ୍ଥିତ ଗଣମାଧ୍ୟମକୁ କହିଛନ୍ତି । ମାତ୍ର ଆଜି ସଂପୃକ୍ତ ଅଧ୍ୟାପକଙ୍କ ନିର୍ଯ୍ୟାତନାର ସମ୍ମୁଖୀନ ହୋଇଆସୁଥିବା ଛାତ୍ରୀମାନଙ୍କ ମଧ୍ୟରେ ବିବିଧା ଓ ଶୁଭଦର୍ଶିନୀଙ୍କ ସମେତ ବହୁ ଛାତ୍ର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଶ୍ରୀ ପତିଙ୍କ ଯେଉଁ ବାର୍ତ୍ତାଳପର ଅଡିଓ ରେକର୍ଡିଂ ଶୁଣାଇଥିଲେ, ସେଥିରେ ଶ୍ରୀ ପତି ଯେଭଳି ଭାବେ ଛାତ୍ରଛାତ୍ରୀଙ୍କୁ ପ୍ରକାଶ୍ୟରେ ମାନସିକ ନିର୍ଯ୍ୟାତନା ଦିଅନ୍ତି, ତାହା ତାଙ୍କର ହୀନ ତଥା ଘୃଣ୍ୟ ଚିନ୍ତାଧାରାର ପରିପ୍ରକାଶକୁ ପଦାରେ ପକାଇଛି । ଏହି ଘଟଣାକୁ ନେଇ ଆଜି ସଂପୃକ୍ତ ଅଧ୍ୟାପକଙ୍କ ଉପସ୍ଥିତିରେ ବିଭାଗର ପାଠପଢା ସମୟରେ ଦୁଇଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ତୁମୁଳ ଗଣ୍ଡଗୋଳ ଘଟିଥିଲା । ଅଧ୍ୟାପକଙ୍କ ସମର୍ଥକ କୁହାଯାଉଥିବା କେତେକ ଛାତ୍ର ତାଙ୍କ ଦ୍ୱାରା ପ୍ରଭାବିତ ହୋଇ ଅପର ଗୋଷ୍ଠୀର ଅର୍ଥାତ୍ ନିର୍ଯ୍ୟାତନାର ସମ୍ମୁଖୀନ ହୋଇଆସୁଥିବା ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଶ୍ରୀ ନିବାସ ଦାସ ନାମକ ଦ୍ୱିତୀୟ ବର୍ଷର ଛାତ୍ର ଆହତ ହୋଇଥିବାବେଳେ ଜନୈକା ଛାତ୍ରୀ ଉକ୍ତ ଅବସ୍ଥା ଦେଖି ଗୁରୁତର ହୋଇପଡିଥିଲା । ଯାହାକୁ ଡାକ୍ତରଖାନାରେ ଚିକିସôା ପରେ ଘରକୁ ପଠାଇଦିଆଯାଇଥିଲା । ତେବେ ଆଜିର ଏହି ଗଣ୍ଡଗୋଳ ଅଧିକ ହିଂସ୍ର ରୂପ ନେବା ପୂର୍ବରୁ ଉକ୍ତ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଡ. ପଦ୍ମନାଭ ପତ୍ରି ଓ ରସାୟନ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଲକ୍ଷ୍ମୀକାନ୍ତ ନାୟକ, ଗଣିତ ବିଭାଗର ଦେବେନ୍ଦ୍ର ରାଉତ, କମ୍ପୁ୍ୟଟର ବିଭାଗର ଡେମୋନଷ୍ଟ୍ରେଟର ଅନୀଲ କୁମାର ପାଣିଗ୍ରାହୀ, ପୁଲକ ଚନ୍ଦନ ବିହାରୀ, ଦୀପାଞ୍ଜଳି ମହାନ୍ତି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚô ସିକୁ୍ୟରିଟି ଗାର୍ଡଙ୍କ ଉପସ୍ଥିତିରେ ପରିସ୍ଥିତିକୁ ଆୟତ୍ତାଧୀନ କରିଥିଲେ । ତେବେ ସଂପୃକ୍ତ ଅଧ୍ୟାପକଙ୍କ ଦ୍ୱାରା ନିର୍ଯ୍ୟାତିତ ହୋଇଆସୁଥିବା ସଂଖ୍ୟାଧିକ ଛାତ୍ରଛାତ୍ରୀ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘେରିବା ପରେ ସେ ଆକ୍ରମଣ କରିଥିବା ୩ ଜଣ ଛାତ୍ରଙ୍କ ଠାରୁ ସେମାନେ ଭବିଷ୍ୟତରେ ଆଉ ଗଣ୍ଡଗୋଳ କରିବେ ନାହିଁ ବୋଲି ଏକ ଅଣ୍ଡରଟେକିଂ ଲେଖିଥିବାର କହିଥିଲେ । ମାତ୍ର ମାଡ ଖାଇଥିବା ଛାତ୍ର ଓ ଅନ୍ୟମାନେ ଏହି ଘଟଣାରେ ସଂପୃକ୍ତ ଅଧ୍ୟାପକଙ୍କ ବହିଷ୍କାର ସହ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଜିଦ୍ ଧରି ବସିଥିଲେ । ଫଳରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ନାୟକ ଏ ବିଷୟରେ ପରିଚାଳନା କମିଟିର କର୍ମକର୍ତ୍ତା ଓ ଅଧ୍ୟାପକଙ୍କ ସହ ବିଚାର ବିମର୍ଶ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆହତ ହୋଇଥିବା ଚାତ୍ର ଶ୍ରୀନିବାସ ପକ୍ଷରୁ ସହରାଞ୍ଚଳ ଥାନାରେ ଆକ୍ରମଣକାରୀ ଛାତ୍ର ଓ ସଂପୃକ୍ତ ଅଧ୍ୟାପକ ଅଭିଳାଷଙ୍କ ବିରୁଦ୍ଧରେ ଅଭିଯୋଗ ପତ୍ର ଦିଆଯାଇଥିବାର ଜଣାପଡିଛି । ଏବଂ ଏ ବିଷୟରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରସ୍ତୁତି ଆରମ୍ଭ ହେଉଥିବାର ଶୁଣାଯାଉଛି ।

Leave a Reply

Your email address will not be published. Required fields are marked *