ଭଦ୍ରକ ସୋସିଆଲ ସର୍ଭିସର ପ୍ରଥମ ବାର୍ଷିକ ଉତ୍ସବ ପାଳିତ

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକର ଅନନ୍ୟ ସ୍ୱେଚ୍ଛାସେବୀ ସଂଗଠନ ଭଦ୍ରକ ସୋସିଆଲ ସର୍ଭିସ ବିଏସ୍ଏସ୍ର ପ୍ରଥମ ବାର୍ଷିକ ଉତ୍ସବ ଭଦ୍ରକ ଟାଉନ ହଲରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବରେ ବିଏସ୍ଏସ୍ର ୫୨ ସପ୍ତାହର ସମସ୍ତ କାର୍ଯ୍ୟାବଳୀର ଉପସ୍ଥପାନା କରାଯାଇଥିଲା। ସଂଗଠନର ଦିଗ୍ଦର୍ଶକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଉଦ୍ଘାଟକ ଭାବେ ରାଜ୍ୟ ମହିଳା କମିଶନଙ୍କ ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି ଅନ୍ୟ ଅତିଥିମାନଙ୍କ ସହ ପ୍ରଦିପ ଜାଳି ଉତ୍ସବର ଉଦ୍ଘାଟନ କରିଥିଲେ। ବିଏସ୍ଏସ୍ର ଅଧ୍ୟକ୍ଷ ସଞ୍ଜିତ କୁମାର ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଗତବର୍ଷ ସେପ୍ଟେମ୍ବର ମାସରୁ ଜନ ସଚେତନତା, ଗରିବଙ୍କୁ ସହାୟତା, ରୋଗୀଙ୍କୁ ଚିକିତ୍ସା ସହଯୋଗ, ଅନାଥଙ୍କୁ ସାହାରା, ବୃକ୍ଷରୋପଣ କରି ପରିବେଶର ସୁରକ୍ଷା, ଯୋଗ ଶିକ୍ଷା ମାଧ୍ୟମରେ ନିରୋଗ ରହିବାର ମନ୍ତ୍ର ନେଇ ଆରମ୍ଭ ହୋଇଥିବା ସମ୍ପର୍କରେ ସୂଚନା ଦେଇଥିଲେ। ନିର୍ମଳ କୁମାର ବେହୁରିଆ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନିର୍ଦ୍ଦେଶକ ପ୍ରକାଶ ସ୍ୱାଇଁ ବିବରଣୀ ଉପସ୍ଥାପନ କରିଥିଲେ। ଏହି ବିବରଣୀରେ ବର୍ଷକର ବିଭିନ୍ନ କାର୍ଯ୍ୟକ୍ରମର ସ୍ଥିରଚିତ୍ର ଓ ଭିଡିଓ ପ୍ରଦର୍ଶନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା କମିଶନଙ୍କ ପୂର୍ବତନ ସଦସ୍ୟା ନମ୍ରତା ଚଢା, ମୁଖ୍ୟବକ୍ତା ଭାବେ ସମାଜସେବୀ ସଞ୍ଜିବ ମଲ୍ଲିକ, ସମ୍ମାନିତ ବକ୍ତା ଭାବେ ଭଦ୍ରକ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକାଶ ଦାଶ ପ୍ରମୁଖ ଯୋଗ ଦେଇ ବିଏସ୍ଏସ୍ର ବିଭିନ୍ନ ସାମାଜିକ କାର୍ଯ୍ୟର ଭୁୟସୀ ପ୍ରଶଂସା କରିଥିଲେ। ସଂଗଠନ ଆଗକୁ ଆହୁରି ଅଧିକ ଜନହିତକର କାର୍ଯ୍ୟ କରୁ ବୋଲି ଅତିଥିମାନେ ଆଶା ପ୍ରକଟ କରିଥିଲେ। ଏହି ଅବସରରେ ବାଲେଶ୍ୱର, ଭୁବନେଶ୍ୱର ଓ ଭଦ୍ରକ ଜିଲ୍ଲାର ୯ଟି ସାମାଜିକ ସଂଗଠନକୁ ସେମାନଙ୍କର ଉଲ୍ଲେଖନୀୟ ସମାଜସେବା ପାଇଁ ସମ୍ମାନିତ କରାଯାଇଥିଲା। ଏହା ବ୍ୟତୀତ ଆମନ୍ତ୍ରିତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବହୁ କୃତୀ ଛାତ୍ର ଛାତ୍ରୀ, ପ୍ରତିଭାଧାରୀ ବ୍ୟକ୍ତିତ୍ୱଙ୍କୁ ପ୍ରମାଣପତ୍ର ଦେଇ ସମ୍ମାନିତ କରାଯାଇଥିଲା। ବିଏସ୍ଏସ୍ର ସଦସ୍ୟ ସଦସ୍ୟାମାନେ ମଞ୍ଚ ପରିଚାଳନା କରିଥିଲେ। ପରେ ଶୁଭେନ୍ଦୁ ଲେଙ୍କାଙ୍କ ସଂଚାର ଗୃପ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *