ଭଦ୍ରକ : ସହିଦ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ପୁନଃ ନାମଲେଖା ଫି ବୃଦ୍ଧି ନେଇ ଗେଟ୍ରେ ତାଲା

ଭଦ୍ରକ, ତା୧୩ା୮ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଯୁକ୍ତଦୁଇ ବିଭାଗରେ ରିଆଡ୍ମିଶନ ଫି ବୃଦ୍ଧିକୁ ନେଇ  ଏହି ଜିଲାର ବାସୁଦେବପୁର ବ୍ଲକ୍ ବାରାପୁର ସହିଦ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି । ଫି ବୃଦ୍ଧିର ପ୍ରତ୍ୟାହାର ଦାବି କରି କେତେକ ଛାତ୍ର ମହାବିଦ୍ୟାଳୟର ଶ୍ରେଣୀଗୃହ ସମେତ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ । ଏହି ଘଟଣାକୁ ନେଇ ଦୁଇ ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ମହାବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଥିଲା । ସୂଚନା ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚô ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପିଲାଙ୍କୁ ନେଇ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରାଯାଇଥିଲା । ଯୁକ୍ତଦୁଇ ଦ୍ୱିତୀୟ ବର୍ଷରେ ୨୭୦ଜଣ ପିଲା ପାଠ ପଢନ୍ତି । ଏହି ପିଲାଙ୍କ ରିଆଡମିଶନ ଫି ପାଇଁ ମହାବିଦ୍ୟାଳୟ ପକ୍ଷରୁ ୧୮ଶହ ଟଙ୍କା ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆଉ ରିଆଡମିଶନ ଅବଧି ୧୦ରୁ ୨୦ତାରିଖ ରଖାଯାଇଥିଲା । ଏହି ଅର୍ଥକୁ ନେଇ ପିଲାଙ୍କ ଭିତରେ ଅସନ୍ତୋଷ ଦେଖାଦେଇଥିଲା । ପିଲାଙ୍କ କହିବା ଅନୁଯାୟୀ; ବସିବା ପାଇଁ ସାଧାରଣ କମନରୁମଟିଏ ନାହିଁ । କାହିଁକି ଏତେ ଟଙ୍କା ରିଆଡମିଶନ ଫି ନିଆଯାଉଛି । ଏହି ଟଙ୍କାକୁ କମାଇବାକୁ ପ୍ରଥମେ କେତେକ ପିଲା ଅଧ୍ୟକ୍ଷଙ୍କ ଠାରେ ଦାବି କରିଥିଲେ । ଏହି ପ୍ରସଙ୍ଗକୁ ନେଇ ଆଜି ଲିଖିତଭାବେ ଅଧ୍ୟକ୍ଷ ଶରତଚନ୍ଦ୍ର ପଣ୍ଡାଙ୍କୁ ଅବଗତ  କରାଇଥିଲେ । ହେଲେ କିଛି ଫଳ ନ ମିଳିବାରୁ କେତେକ ଛାତ୍ର ଶ୍ରେଣୀଗୃହ ସମେତ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ । ଏହି ଘଟଣାକୁ ନେଇ ମହାବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଥିବା ବେଳେ ଫାଟକ ବନ୍ଦ ରହିଥିବାରୁ ଯୁକ୍ତତିନି ଶ୍ରେଣୀର ପିଲାମାନେ ମହାବିଦ୍ୟାଳୟ ଭିତରକୁ ପ୍ରବେଶ କରି ନ ପାରିବାରୁ ଉତ୍ତେଜନା ଦ୍ୱିଗୁଣିତ ହୋଇଥିଲା । ବାଧ୍ୟହୋଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷ କର୍ମଚାରୀ ଲଗାଇ ଫାଟକ ସମେତ ଶ୍ରେୀଣୀ ଗୃହରରୁ ତାଲା ଭାଙ୍ଗିଥିଲେ । ଏହାକୁ କିଛିଛାତ୍ର ବିରୋଧ କରିବାରୁ ତାଲା ଭାଙ୍ଗୁଥିବା କର୍ମଚାରୀ ଛାତ୍ରଛାତ୍ରୀଙ୍କୁ ଗାଳି କରିଥିବା ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଅସ୍ୱିକାର କରିଛନ୍ତି । ଶ୍ରୀ ପଣ୍ଡା କହିଛନ୍ତି; ପିଲାମାନେ କରିଥିବା ଦାବିକୁ ଆମ କମିଟି ବସି ବିଚାର କରାଯାଇଥାନ୍ତା । ଏପଟେ ଦରଖାସ୍ତ ଦେଲେ ସେପଟେ ଚାବି ପକାଇଲେ । ପିଲାମାନେ ଆମକୁ ବୁଝିବାକୁ ସମୟ ଦେଲେନାହିଁ । ଏପଟେ ଫାଟକରେ ତାଲା ପଡିଥିବାରୁ ଯୁକ୍ତିନିତି ବିଭାଗର ପିଲାମାନେ ମହାବିଦ୍ୟାଳୟ ଭିତରକୁ ଆସିପାରୁ ନ ଥିଲେ । ଯାହାକୁ ନେଇ ପରିସ୍ଥିତିକୁ ଦେଖି ତାଲା ଭାଙ୍ଗିବାକୁ ଆମେ ବାଧ୍ୟହେଲୁ । ପିଲାଙ୍କୁ ଡକାଇ ଏହି ସମସ୍ୟାର ସମାଧାନ କରାଯାଇଥିବା ଅଧ୍ୟକ୍ଷ ଶ୍ରୀ ପଣ୍ଡା କହିଛନ୍ତି ।

Leave a Reply

Your email address will not be published. Required fields are marked *