ଭଦ୍ରକ ସହରର ଐତିହାସିକ ଶ୍ରୀରାମ ନବମୀ ଶୋଭାଯାତ୍ରା ଉପରେ ଅଂକୁଶ ନେଇ ପ୍ରତିକ୍ରିୟା ସହର ପରେ ଆଖପାଖ ଗ୍ରାମାଞ୍ଚଳରେ ଲାଗିଲା ୧୪୪ ଧାରା, ସମଗ୍ର ସହରରେ ପୁଲିସ୍ ଛାଉଣି

ଭଦ୍ରକ, ୨୨ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ସହରରେ ଅନୁଷ୍ଠିତ ହୋଇଆସୁଥିବା ଐତିହାସିକ ଶ୍ରୀରାମ ନବମୀ ମହୋତ୍ସବ ପାଳନ ଉପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଅଂକୁଶ ପରେ ଗତକାଲି ମହାଯଜ୍ଞ ସମିତି ପକ୍ଷରୁ ଭଦ୍ରକ ବ୍ଲକ୍କୁ ଛାଡି ଅନ୍ୟ ୬ଟି ବ୍ଲକ୍ର ଥାନା ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ତେବେ ଏହି ଉତ୍ସବ ପାଳନ ନିମନ୍ତେ ଆସନ୍ତାକାଲିର କଳସ ଶୋଭାଯାତ୍ରାରୁ ଆରମ୍ଭ କରି ୨୫ ତାରିଖର ନଗର ସଂକୀର୍ତ୍ତନକୁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇନାହିଁ। ଏହାକୁ କେନ୍ଦ୍ର କରି ଶ୍ରୀରାମ ମହାଯଜ୍ଞ ସମିତି ଓ ପ୍ରଶାସନ ମୁହାଁମୁହିଁ ହୋଇଥିବାବେଳେ ସମ୍ଭାବ୍ୟ ଆଇନ୍ ଶୃଙ୍ଖଳା ଭଂଗ ଆଶଙ୍କାରେ ପୁଲିସ୍ ପ୍ରଶାସନ ପକ୍ଷରୁ ଭଦ୍ରକ ସହର ସମେତ ଏହାର ଆଖପାଖ ଗ୍ରାମାଞ୍ଚଳରେ ଆଜିଠାରୁ ୧୪୪ ଧାରା ଜାରି କରାଯାଇଛି। ଯଦିଓ କେବଳ ସହରରେ ପ୍ରଶାସନ ପକ୍ଷରୁ ଏହି ୧୪୪ ଧାରା ବଳବତ୍ତର ରହିଥିଲା, ତେବେ ଆଜିଠାରୁ ଏହା ଆଖପାଖ ଅଂଚଳଗୁଡିକରେ ଲାଗୁ କରାଯାଇଛି। ଆଇନ୍ ଶୃଙ୍ଖଳା ଦୃଷ୍ଟିକୋଣରୁ ସହରର ବହୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବ୍ୟାପକ ପୁଲିସ୍ ମୁତୟନ ପୂର୍ବକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଜିଲା ଆରକ୍ଷୀ ଅଧିକ୍ଷକ ଅନୁପ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ୧୩ ତାରିଖ ସନ୍ଧ୍ୟାରୁ ସହରରେ ବଜ୍ର ଗାଡି ପରିଭ୍ରମଣ ସହ ରାତିଦିନ ପ୍ଲାଗମାର୍ଚ୍ଚ କରାଯାଉଛି। ପାରମ୍ପରିକ ରୀତିନୀତି ଅନୁସାରେ ସହରରେ ଶ୍ରୀରାମ ନବମୀ ମହାଯଜ୍ଞ ସମିତି ପକ୍ଷରୁ ପ୍ରତିବର୍ଷ ଯେଉଁ କଳସ ଶୋଭାଯାତ୍ରା ଓ ନଗର ସଂକୀର୍ତ୍ତନ ହୋଇଆସୁଥିଲା ତାହା ଉପରେ ପ୍ରଶାସନର ଏହି ଅଂକୁଶ ବହୁ ଶ୍ରଦ୍ଧାଳୁ ଭକ୍ତଙ୍କ ଭକ୍ତିଭାବନାକୁ ଆଘାତ ଦେଇଥିବାରୁ ମହାଯଜ୍ଞ ସମିତି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ୧୯୯୧ ମସିହା ଦଙ୍ଗାରେ ୧୩ ଜଣଙ୍କ ମୃତ୍ୟୁ ଓ ବହୁ ଧନଜୀବନ ନଷ୍ଟ ସହ ୨୦୧୭ ରେ ସଂଗଠିତ ହିଂସାକାଣ୍ଡ ଓ ପୋଡାଜଳାକୁ ନେଇ ପ୍ରଶାସନ ପକ୍ଷରୁ ଏହି ଉତ୍ସବକୁ ନିରାଡମ୍ବର ଭାବେ ପାଳନ କରିବାର ଯେଉଁ ନିଷ୍ପତ୍ତି ନିଆଯାଇଛି, ତାହା ବିରୁଦ୍ଧରେ ମହାଯଜ୍ଞ ସମିତି ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ କରିଥିବା ରିଟ୍ ପିଟିସନ୍ କାଏମ ପରେ ଏଭଳି ପଦକ୍ଷେପ ନିଆଯାଇଛି। ସହର ତମାମ୍ ସଶସ୍ତ୍ର ପୁଲିସ୍ ବାହିନୀ ପଇଁତରା ମାରୁଥିବାବେଳେ ସମୁଦାୟ ୪୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଏହି ପୁଲିସ୍ ବାହିନୀ ମଧ୍ୟରେ ୫ ପ୍ଲାଟୁନ୍ ମହିଳା ପୁଲିସ୍ ସହ ୨ କଂପାନୀ ଓଏସ୍ଏପି ଓ ୨ କଂପାନୀ ସିଆରପିଏଫ୍ ଯବାନଙ୍କୁ ମୁତୟନ କରାଯାଇଛି। ବିଶେଷକରି ଜିଲାପାଳଙ୍କ ନୂତନ ଓ ପୁରାତନ କାର୍ଯ୍ୟାଳୟ, ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ, ଥାନା ଛକ, ନୂଆବଜାର, କଚେରୀ ବଜାର, ଅପର୍ତ୍ତିବିନ୍ଧା ଛକ, ବନ୍ତ ଛକ, ରାଜଘାଟ, କୁଆଁସ, ରାନ୍ଦିଆ, ଚରମ୍ପା, ବରପଦା, ପୁରୁଣାବଜାର, ଚନ୍ଦନବଜାର ଭଳି ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କରେ ପୁଲିସ୍ର ଫ୍ଲାଗମାର୍ଚ୍ଚ ଚାଲୁରହିଛି। ଏଥିପାଇଁ ଜିଲା ଓ ଜିଲା ବାହାରୁ ଶତାଧିକ ବରିଷ୍ଠ ପୁଲିସ୍ ଅଧିକାରୀ ଯୋଗଦେଇ ଶାନ୍ତିଶୃଙ୍ଖଳା ରକ୍ଷା ଦାୟିତ୍ୱରେ ନିଯୁକ୍ତ ହୋଇଛନ୍ତି। ତେବେ ଏହି ମହୋତ୍ସବକୁ ଶାନ୍ତିଶୃଙ୍ଖଳା ସହ ପାଳନ କରିବା ପାଇଁ ଜିଲାପାଳ ଜ୍ଞାନରଂଜନ ଦାସ ଓ ଆରକ୍ଷୀ ଅଧିକ୍ଷକ ଅନୁପ ସାହୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *