ଜିଲ୍ଲା ପରିକ୍ରମା

ଭଦ୍ରକ ସହରର ଏଲଖା ଗାଁ, ଘରୁ ବାହାରିଲେ ପାଣି

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ପୌରାଞ୍ଚଳ ୧୩ ନଂ ୱାର୍ଡରେ ଅପର୍ତିବିନ୍ଧାର ଏଲଖା ଗାଁ ଅବସ୍ଥିତ। ମୌସୁମୀ ଆଗମନ ପରେ ଗାଁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଯାଇଛି। ଗାଁ ରାସ୍ତାଟି ସିଧା ଭଦ୍ରକ ସହରର ମୁଖ୍ୟ ରାସ୍ତାକୁ ସଂଯୋଗ କରୁଛି। ଏହି ରାସ୍ତା ଦେଇ ଯେନାସାହି, ଶୁଦ୍ରସାହି, ଶୁଣ୍ଢିସାହିର ସ୍କୁଲ, କଲେଜ ପିଲାଙ୍କଠାରୁ ଆରମ୍ଭ କରି ଦୈନିକ ସହସ୍ରାଧିକ ଲୋକ ଯାତାୟତ କରନ୍ତି। ଗାଁରେ ଶହେରୁ ଊର୍ଦ୍ଧ୍ୱ ପରିବାରର ୯ ଶହ ଭୋଟର ଅଛନ୍ତି। ୨୦ ବର୍ଷ ତଳେ ମରାମତି ହୋଇଥିବା ରାସ୍ତାଟି ଏବେ ଗମନାଗମନ ଅନୁପଯୋଗୀ ହୋଇପଡିଛି। ପରିସ୍ଥିତି ଏମିତି ହୋଇଛି ଯେ, ଅନ୍ୟ ଗ୍ରାମର ଲୋକ କିମ୍ବା ବନ୍ଧୁବାନ୍ଧବ ଗାଁକୁ ଆସିବାକୁ ଅରାଜି ହେଉଛନ୍ତି ବୋଲି ଗ୍ରାମର ନବକିଶୋର ସାହୁ କହନ୍ତି। ଗାଁ ରାସ୍ତାରେ ଲହଡି ମାରୁଛି ଅଳିଆ, ଆବର୍ଜନା ମିଶା ପାଣି। ପାଣିରେ ପଶି ଚାଲୁଥିବା ଲୋକେ ଚର୍ମ ରୋଗରେ ପଡୁଛନ୍ତି ବୋଲି ପ୍ରକାଶ ବେହେରା କହନ୍ତି। ରାସ୍ତା ପାର୍ଶ୍ୱ ଡ୍ରେନଗୁଡିକ ମଧ୍ୟ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ପୋତି ହୋଇଯାଇଛି। ଫଳରେ ଘରୋଇ ବ୍ୟବହୃତ ଅପରିଷ୍କାର ପାଣି ଗ୍ରାମ ରାସ୍ତାରେ ବନ୍ୟାଜଳ ପରି ଲହଡି ସୃଷ୍ଟି କରୁଛି। ଏହା ଛଡା ବର୍ଷାପାଣି ଡ୍ରେନେଜ ଅଭାବରୁ ନିଷ୍କାସନ ହୋଇ ନପାରି ଦୀର୍ଘକାଳ ରାସ୍ତାରେ ଜମି ରହୁଛି। ଗ୍ରାମର ମୁଖ୍ୟ ଡ୍ରେନଟି ଗ୍ରାମର ଦକ୍ଷିଣ ପାର୍ଶ୍ୱ ଚାଷ ଜମିରୁ ବାହାରି ଗ୍ରାମ ମଧ୍ୟ ଦେଇ ସାଳନ୍ଦୀ ନଦୀକୁ ସଂଯୋଗ କରେ। କିନ୍ତୁ ଉକ୍ତ ମାଟି ନାଳଟି ୨୫ ବର୍ଷ ଧରି ରକ୍ଷଣାବେକ୍ଷଣ ଅଭାବରୁ ସଂପୂର୍ଣ୍ଣ ପୋତି ଯାଇଛି। ଫଳରେ ଦୀର୍ଘଦିନ ହେବ ବର୍ଷା ଜଳ ସାଳନ୍ଦୀ ନଦୀକୁ ଅଥବା ଚାଷ ଜମିକୁ ନିଷ୍କାସିତ ହୋଇପାରୁନାହିଁ। ଯାହାର କୁପରିଣତି ଭୋଗୁଛନ୍ତି ଗ୍ରାମବାସୀ। ଗ୍ରାମର ଘରୋଇ ବର୍ଜ୍ୟବସ୍ତୁ ପକାଇବା ପାଇଁ ମ୍ୟୁନସିପାଲିଟି ବ୍ୟବସ୍ଥା କରିନାହିଁ। ଯାହା ଫଳରେ ବଜ୍ୟବସ୍ତୁଗୁଡିକ ରାସ୍ତାରେ ଏଣେତେଣେ ପଡି ଅପରିଷ୍କାର ପରିବେଶ ସୃଷ୍ଟି କରୁଛି। ରାଜନୈତିକ କାରଣରୁ ଏହି ୱାର୍ଡଟି ସମ୍ବେଦନଶୀଳ ହୋଇଥିଲେ ବି ୱାର୍ଡର ଏଲଖା ଗାଁ ପ୍ରତି ପୌର ପ୍ରଶାସନର ଆଡ ନଜର ବାସ୍ତବିକ ଦୁଃଖର ବିଷୟ ବୋଲି ସେଠାକାର ବାସିନ୍ଦା ମତବ୍ୟକ୍ତ କରିଛନ୍ତି। ଦୀର୍ଘଦିନ ହେବ ଲୋକଙ୍କ ଭିତରେ ପୁଞ୍ଜିଭୂତ ଅସନ୍ତୋଷ ଦିନେ ଆନ୍ଦୋଳନର ରୂପ ନେବ ବୋଲି ଚେତାଇ ଦିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top