ଭଦ୍ରକ : ସରୁନି ଅଙ୍ଗନବାଡି ଗୃହ ନିର୍ମାଣ ଖରା, ବର୍ଷାରେ ପଢୁଛନ୍ତି ଓ ଖାଉଛନ୍ତି ପିଲା

ଭଦ୍ରକ,୨୩ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ)  : ଏହି ଜିଲାର ଚାନ୍ଦବାଲି ବ୍ଲକ୍ ପଞ୍ଚୁଟିକ୍ରି ପଞ୍ଚାୟତରେ ଥିବା ବଡ ଶାମୁକାବେଡି ଗ୍ରାମରେ ଖୋଲା ଆକାଶ ତଳେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । ଖରା ଦିନରେ ଡହ ଡହ ଖରା ତାତି ସାଙ୍ଗକୁ ବର୍ଷା ଦିନରେ ଓଦା ହେଉଛନ୍ତି ଛାତ୍ରଛାତ୍ରୀ । ଖୋଲା ପଡିଆରେ ପଢୁଛନ୍ତି ଏବଂ ସେହିଠାରେ ଖାଉଛନ୍ତି । ଏଥିପ୍ରତି ନାଁ ଅଛି ଜିଲା ପ୍ରଶାସନର ଆନ୍ତରିକତା, ନାଁ ଅଛି ଚାନ୍ଦବାଲି ଶିଶୁ ବିକାଶ ବିଭାଗର ନିଷ୍ଠାପରତା । ଏହି ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ ୫ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ୨୦୧୭ରେ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଶେଷ ହୋଇପାରୁନି । ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁ ଏହି ଗୃହ ନିର୍ମାଣରେ ଅହେତୁକ ବିଳମ୍ବ ହୋଇଛି ବୋଲି ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି ।  ଏହି କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩୦ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ନିଜସ୍ୱ ଘର ନ ଥିବାରୁ ଅଙ୍ଗନବାଡି ଶିକ୍ଷୟିତ୍ରୀ ସବୁ ସମୟରେ ବାରଦୁଆର ଶୁଣ୍ଢିପିଣ୍ଢ । ହେଉଛନ୍ତି । ଖରାଦିନେ ଖୋଲା ଆକାଶ ତଳେ ପାଠ ପଢା ହେଉଥିବା ବେଳେ ବର୍ଷା ହେଲେ ପିଲାଙ୍କ ବସିବା ପାଇଁ ସ୍ଥାନ ଖୋଜାହୁଏ । ଶିଶୁ ଏବଂ ମା’କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ସାଙ୍ଗକୁ ସୁରକ୍ଷିତ ପରିବେଶରେ ପାଠ ପଢା ଯୋଜାନାର ନଗ୍ନ ନମୂନା ଏଠାରେ ଦେଖିବାକୁ ମିଳିଛି ।  ରାସ୍ତା ଉପରେ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ପିଲାମାନେ ବିଭିନ୍ନ ସମୟରେ ରୋଗରେ ପୀଡିତ ହେଉଛନ୍ତି । ଏହି ସମସ୍ତ ଖବର ସିଡିପିଓଙ୍କ ପାଖରୁ ଆରମ୍ଭ କରି ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କ ପର୍ଯ୍ୟନ୍ତ ଅବଗତ ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରୁନି । ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ ଫଳ ଶୂନ । ତେବେ ଏନେଇ  ବିଭିନ୍ନ ଖବରକାଗଜରେ  ଖବର ପ୍ରକାଶ ପାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏହି କୋମଳମତି ଶିଶୁଙ୍କ ଯତ୍ନ ତଥା ସ୍ୱାସ୍ଥ୍ୟ ବିଷୟରେ ସୁପରଭାଇଜରଙ୍କୁ ପଚାରିଲେ ସେ ଏହି ବିଷୟରେ କିଛି କହିପାରିବେ ନାହିଁ ବୋଲି କହିଛନ୍ତି । ପ୍ରଶାସନ ନୂତନ ଗୃହ ନିର୍ମାଣ ଯଥାଶୀଘ୍ର ସାରିବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *