ଭଦ୍ରକ ସମେତ ୫ଟି ଜିଲାବାସୀଙ୍କ ପାଇଁ ଖୁସିର ଖବର ରୋଟାରୀ କ୍ଲବ ଦ୍ୱାରା ଡ଼ାଏଲିସିସ୍ କେନ୍ଦ୍ର ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

ଭଦ୍ରକ, ୪ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏବେ ବାଲେଶ୍ୱର, ଭଦ୍ରକ, ମୟୁରଭଂଜ, କେନ୍ଦୁଝର ଓ ଯାଜପୁର ଭଳି ଜିଲାର ଗରିବ ଶ୍ରେଣୀର ରୋଗୀଙ୍କୁ ରକ୍ତ ପରିବର୍ତ୍ତନ (ଡାଏଲିସିସ୍) ପାଇଁ ଖର୍ଚ୍ଚାନ୍ତ ହୋଇ କଟକ, ଭୁବନେଶ୍ୱରରେ ଥିବା ବ୍ୟୟବହୁଳ ଡାକ୍ତରଖାନାଗୁଡିକୁ ଯିବାକୁ ପଡିବନାହିଁ, ଅନ୍ୟତ୍ର ୨୫ ଶହ ଟଙ୍କା ଉକ୍ତ ଚିକିତ୍ସା କରାଯାଉଥିବାବେଳେ ଏହି କେନ୍ଦ୍ରରେ ମାତ୍ର ୧୨ ଶହ ଟଙ୍କାରେ ଯୋଗାଇଦିଆଯିବ ବୋଲି ଆଜି ଭଦ୍ରକର ବ୍ୟାସଦେବ ପ୍ୟାଲେସ ଠାରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ରୋଟାରୀ ଜିଲା ଗଭର୍ଣ୍ଣର ଅଜୟ ଅଗ୍ରୱାଲ ପ୍ରକାଶ କରିଛନ୍ତି। ଏଥିନେଇ ଭଦ୍ରକ ରୋଟାରୀ କ୍ଲବ୍ ଓ ମିଡ୍ଟାଉନ୍ କ୍ଲବ୍ର ମିଳିତ ପ୍ରୟାସରେ ଶ୍ରୀରାମ ଦାସ ମେମୋରିଆଲ ରୋଟାରୀ ଡାଏଲିସିସ୍ ସେଣ୍ଟର ପ୍ରତିଷ୍ଠା ହେବା ନେଇ ସାଳନ୍ଦୀ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପୂର୍ବତନ ସାଂସଦ ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଶ୍ରୀ ରାମଦାସ ଅଗ୍ରୱାଲଙ୍କ ସ୍ମୃତିରେ ପ୍ରତିଷ୍ଠିତ ହେବାକୁ ଯାଉଥିବା ଏହି ପ୍ରକଳ୍ପରେ ମୋଟ ୨୧ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ରୋଟାରୀ ଡ଼ିଜି ଅଜୟ ଅଗୱାଲ ଏହି ପ୍ରକଳ୍ପ ପାଇଁ ୧୭ଲକ୍ଷଟଙ୍କା ପ୍ରଦାନ କରିଥିବାବେଳେ ଉଭୟ ରୋଟାରୀ ଓ ରୋଟାାରୀ ମିଡ଼ଟାଉନ ଅବଶିଷ୍ଟ ଅର୍ଥ ପ୍ରଦାନ କରିଛନ୍ତି। ଆସନ୍ତା ମଇ ମାସ ପ୍ରଥମ ସପ୍ତାହରେ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହେବ ଓ ଏହା ଦ୍ୱାରା ଜିଲ୍ଲାର ସମସ୍ତ ଡ଼ାଏଲିସିସ ଆବଶ୍ୟକ କରୁଥିବା ରୋଗୀ ଉପକୃତ ହେବେ। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଓ ଅନ୍ୟମାନଙ୍କୁ ନାମମାତ୍ର ଅର୍ଥ ବିନିମୟରେ ଡ଼ାଏଲିସିସ୍ ସେବା ଯେଗାଇ ଦିଆଯିବ ବୋଲି ରୋଟାରୀ କ୍ଳବର ସଭାପତି ଅମ୍ବିକା ବଲ୍ଲଭ ସ୍ୱାଇଁ ଓ ମିଡ଼ଟାଉନର ସଭାପତି ପ୍ରମୋଦ ଲଖାନୀ ସୂଚନା ଦେଇଛନ୍ତି। ଏହି କେନ୍ଦ୍ର ପ୍ରତିଷ୍ଠା ହେବାରେ ଭଦ୍ରକ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ପର୍ଯ୍ୟାୟକ୍ରମେ ଏଭଳି କେନ୍ଦ୍ର ବରହମପୁର ଓ ପାରାଦ୍ୱୀପରେ ପ୍ରତିଷ୍ଠା ହେବ ବୋଲି ଡିଜି ଶ୍ରୀ ଅଗ୍ରୱାଲ ସୂଚନା ଦେଇଛନ୍ତି। ଏହି ଉପଲକ୍ଷେ ଆଜି ଏକ ବୈଠକ ଜିଲ୍ଲା ସଭାପତି ରୋ. ଶ୍ରୀ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଡ଼ା. ରବୀନ୍ଦ୍ର କୁମାର ନାୟକ, ଡ଼ା. ପ୍ରଭାସ କୁମାର ମହାନ୍ତି, ଡ଼ା. ଦୁର୍ଯେ୍ୟାଧନ ଦାସ ଡ଼ାଏଲିସିସର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ଅତିଥି ଭାବେ ରୋଟାରୀ ଡ଼ିଜି ଶ୍ରୀ ଅଗ୍ରୱାଲ ଦୁଇଟି କ୍ଳବର ଏହି ପ୍ରଚେଷ୍ଟା ସମୟୋପଯୋଗୀ ବୋଲି କହିଥିଲେ। ବୈରାଗୀ ଚରଣ ଧଳ ଅତିଥିମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିବା ପରେ ଇନ୍ଦ୍ରଜିତ୍ ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରକଳ୍ପର ଆଭିମୁଖ୍ୟ ସମ୍ପର୍କରେ ସୀତାକାନ୍ତ ଦାସ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଖାଲ ଚନ୍ଦ୍ର ଦାସ, ପ୍ରକାଶ ଚନ୍ଦ୍ର ଦାସ, ଶିଶିର ମିଶ୍ର, ସଂଜୀବ ମଲ୍ଲିକ, ଅତିଶ ବେହେରା, ସୁଧିର ନାୟକ, ବସନ୍ତ ପାଣିଗ୍ରାହୀ, ଶରତ ପୁହାଣ, ପ୍ରମୋଦ ଜେନାଙ୍କ ସମେତ ବହୁ ରୋଟାରିଆନ ଉପସ୍ଥିତ ଥିଲେ। ଶେଷରେ ବିଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *