ଭଦ୍ରକ : ସମସ୍ୟା ଘେରରେ ପ୍ରାଣୀଧନ ସୁରକ୍ଷା ବ୍ୟବସ୍ଥା

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏକ ସୁସ୍ଥ ଓ ନିରୋଗ ମାନବ ସମାଜ ଗଠନ ସହ ପରିବେଶରେର ଭାରସାମ୍ୟ ରକ୍ଷା ପାଇଁ ପଶୁପକ୍ଷୀଙ୍କ ଆବଶ୍ୟକତା ଅତ୍ୟନ୍ତ ଅପରିହର୍ଯ୍ୟ। ଏହି ଅତ୍ୟାବଶ୍ୟକତାକୁ ଉପଲବ୍ଧି କରି ସରକାର ପ୍ରାଣୀଧନ ବିକାଶ ପାଇଁ ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି। ବିଶେଷ କରି ଗ୍ରାମାଞ୍ଚଳର ଲୋକମାନେ ଗାଈ, ଛେଳି, ମେଣ୍ଢା, କୁକୁଡା, ଆଦି ରଖି ଆତ୍ମନିର୍ଭରଶୀଳ ହେବା ପାଇଁ ସରକାରୀ ବହୁମୁଖୀ ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରାଣୀ ସଂପାଦର ନାନାବିଧ ସମସ୍ୟା ପାଇଁ ପ୍ରାଣୀଧନ କେନ୍ଦ୍ର ଖୋଲାଯାଇଛି। ଏହି କେନ୍ଦ୍ରଗୁଡିକ ଅନ୍ୟୁନ ତିନୋଟି ପଞ୍ଚାୟତକୁ ନେଇ ଗଠନ କରିବାକୁ ଥିବାବେଳେ ଅନେକ କେନ୍ଦ୍ରର ଗୃହ ନିର୍ମାଣ ସରିପାରିନି। କେଉଁ କେନ୍ଦ୍ରରେ ଅଧିକାରୀ ନାହାନ୍ତି ତ କେଉଁଠି ନିର୍ମାଣାଧୀନ କେନ୍ଦ୍ର ଅଧପନ୍ତରିଆ ଭାବେ ବର୍ଷ ବର୍ଷ ଧରି ପଡିରହିଛି। ଏହି ଜିଲାର ବନ୍ତ ପଶୁ ଚିକିତ୍ସାକେନ୍ଦ୍ର ସହ ବସନ୍ତିଆ, ସେଣ୍ଡତିରା, କେନ୍ଦୁଆପଦା, ତୁଣ୍ଡା, ଗଣିଜାଙ୍ଗ ଆଦିରେ ଏଲଆଇ କେନ୍ଦ୍ରମାନ ରହିଛି। ବସନ୍ତିଆ, କେନ୍ଦୁଆପଦାରେ ଉକ୍ତ କେନ୍ଦ୍ର ଅଧପନ୍ତିରିଆ ଭାବେ ପଡିରହିଛି। ଉକ୍ତ ଦୁଇ କେନ୍ଦ୍ରରେ ଏଲଆଇ ନଥିବାରୁ ଗୃହପାଳିତ ପଶୁଙ୍କ ଉପଯୁକ୍ତ ଚିକିତ୍ସାରେ ନାନା ସମସ୍ୟା ଦେଖାଯାଇଛି। ସେହିପରି ଛୟାଳସିଂ ପଞ୍ଚାୟତ ପାଶ୍ୱର୍ରେ ନିର୍ମାଣ ହୋଇଥିବା ପ୍ରାଣୀଧନ ନିରୀକ୍ଷଣ କେନ୍ଦ୍ର ମଧ୍ୟ ସଚଳ ହୋଇନି। ଗୋରୁଗାଈଙ୍କ ସହ ଅନ୍ୟ ପଶୁକ୍ଷୀଙ୍କ ଚିକିତ୍ସ। ପାଇଁ ପ୍ରତି ପଞ୍ଚାୟତରେ ଥିବା ଗୋ’ମିତ୍ରମାନଙ୍କ ସଂଖ୍ୟା ଅତ୍ୟନ୍ତ ନ୍ୟୁନ। ଉକ୍ତ କେନ୍ଦ୍ରଗୁଡିକରେ ଗୃହ ଓ କର୍ମଚାରୀଙ୍କ ଅଭାବ ପଶୁ ଚିକିତ୍ସାରେ ପ୍ରତିବନ୍ଧକ ସାଜିଛି। ଅପରପକ୍ଷରେ ପ୍ରତି ଗ୍ରାମ ଓ ତହସିଲ ଅଧୀନରେ ଥିବା ଚାରଣଭୂମି ଦିନକୁ ଦିନ ଲୁପ୍ତ ହେବାକୁ ବସିଲାଣି। ସଂପ୍ରତି ଗୋଚର ଜମିଗୁଡିକୁ ସରକାରୀ ବାସଗୃହ ନିର୍ମାଣ ସହ କଂପାନୀ ଓ ବ୍ୟକ୍ତିବିଶେଷଙ୍କୁ ଲିଜ୍ ସୁତ୍ରରେ ପ୍ରଦାନ କରାଯାଉଛି। ବହୁ ସ୍ଥାନରେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଜବରଦଖଲରେ ରଖିଥିବା ଅଭିଯୋଗ ହୋଇଛି। ଚାରଣଭୂମି ସହ ଉପଯୁକ୍ତ ଚିକିତ୍ସା ଅଭାବ ପାଇଁ ଲୋକମାନେ ପାଳିଥିବା ପଶୁଙ୍କୁ ହ୍ରାସ କରିବା ଲାଗି ବାଧ୍ୟ ହେଉଥିବା ପ୍ରକାଶ କରିଛନ୍ତି। ତେବେ ପ୍ରାଣୀ ସଂପଦର ଅଭିବୃଦ୍ଧି ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ବ୍ୟାପକ ପ୍ରାଣୀଧନ କେନ୍ଦ୍ରମାନ ସ୍ଥାପନ କରି ସେଗୁଡିକୁ କାର୍ଯ୍ୟକ୍ଷମ କରିବା ସହ ଜବରଦଖଲକାରୀଙ୍କ କବଳରୁ ଚାରଣଭୂମିକୁ ରକ୍ଷା କରି ପାରିଲେ ଏହାର ସୁଫଳ ମିଳି ପାରିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଆଶାବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *