ଜିଲ୍ଲା ପରିକ୍ରମା

ଭଦ୍ରକ : ଷାଠିବାଙ୍କୁଡା ବୈତରଣୀ ନଦୀବନ୍ଧରେ ଫାଟ ଜଳସେଚନ ବିଭାଗ ବୈଷୟିକ ଟିମ୍ର କ୍ଷେତ୍ର ପରିଦର୍ଶନ

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଚାନ୍ଦବାଲି ବ୍ଲକ ଓଳଗ ପଞ୍ଚାୟତ ଅଧୀନ ଷାଠିବାଙ୍କୁଡା ଗାଁ ପଛ ଭାଗ ଦେଇ ପ୍ରବାହିତ ବୈତରଣୀ ନଦୀ ବନ୍ଧରେ ଫାଟ ଦେଖାଦେଇଛି। ଯାହାକୁ ନଇ ସ୍ଥାନୀୟ ଲୋକ ଭୟଭୀତ ଅଛନ୍ତି। ବିଶେଷ କରି ଏହି ନଦୀବନ୍ଧର ସୁଦୃଢୀକରଣ ନିମନ୍ତେ ବର୍ତ୍ତମାନ କାର୍ଯ୍ୟ ଚାଲୁ ଥିବାରୁ କିରି ବନ୍ଧରେ ଫାଟ ସୃଷ୍ଟି ହେଲା ବୋଲି ପୂର୍ବତନ ଜିଲାପରିଷଦ ସଭ୍ୟ ଅଜୟ ନାୟକ ସିଧାସଳଖ ଜଳସେଚନ ବିଭାଗକୁ ପ୍ରଶ୍ନ କରିଛନ୍ତି। ଉକ୍ତ ଅଞ୍ଚଳ ବନ୍ୟାପ୍ଲାବିତ ହୋଇଥିବାରୁ ପ୍ରବାହିତ ବୈତରଣୀ ଓ ସାଳନ୍ଦୀ ନଦୀ ବନ୍ଧର ସୁଦୃଢୀକରଣ ପାଇଁ ଗତ ୫ ବର୍ଷ ତଳେ ରାଜ୍ୟ ଜଳସେଚନ ବିଭାଗ ମନ୍ତ୍ରୀ ଓ ଯନ୍ତ୍ରୀଙ୍କୁ ଭେଟିବା ସହ ତୁରନ୍ତ କାର୍ଯ୍ୟ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବୋଲି ଶ୍ରୀ ନାୟକ ପ୍ରକାଶ କରିଥିଲେ। ଗତ ୨୦୧୪-୧୫ରେ ସୁନ୍ଦରପୁରଠାରୁ ଷାଠିବାଙ୍କୁଡା ଓ ବୋଡକଠାରୁ ତିନିତର ପର୍ଯ୍ୟନ୍ତ ଉଭୟ ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ଧ ସୁଦୃଢୀକରଣ ଓ ପଥର ପେଚିଂ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଇଥିଲେ ମଧ୍ୟ ଠିକ ଭାବେ କାର୍ଯ୍ୟ ହେଉ ନଥିବାରୁ ପୂର୍ବ ପରି ସମସ୍ୟା ଉପୁଜି ଥିବା ଶ୍ରୀ ନାୟକ ପ୍ରକାଶ କରିଥିଲେ। ଏପରିକି ବିଗତ ୫ ବର୍ଷ ମଧ୍ୟରେ ଏହି ନଦୀବନ୍ଧର ସୁଦୃଢୀକରଣ ଓ ପଥର ପେଚିଂ ବାବଦରେ ଜଳସେଚନ ବିଭାଗ ସାଧାରଣ ଲୋକଙ୍କୁ ଅନ୍ଧାରରେ ରଖିଛି ବୋଲି ଶ୍ରୀ ନାୟକ ପ୍ରକାଶ କରିବା ସହ ଏହା ଭିଜିଲାନ୍ସ ପରିସରକୁ ଆସିବା ଦରକାର ବୋଲି ଦାବି କରିଛନ୍ତି। ଏହାର ଅନୁଧ୍ୟାନ ନିମନ୍ତେ ଗୁରୁବାର ଏକ ବୈଷୟିକ ଟିମ ଉକ୍ତ ଅଞ୍ଚଳରେ ପହଞ୍ଚି କ୍ଷେତ୍ର ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ଧାମନଗର ଡିଭିଜନ ଏସଡିଓ ଭୁବନାନନ୍ଦ ମହାନ୍ତିଙ୍କ ନେତୃତ୍ୱରେ ବିଭାଗୀୟ କ୍ୱାଲିଟ କଣ୍ଟ୍ରୋଲ୍ର ମୁଖ୍ୟ ଉପଦଷ୍ଟା ନରେଶ ନାରାୟଣ ନାୟକ, କଟକସ୍ଥିତ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ସେଠୀ, ଏସଡିଓ ସୁବାସଚନ୍ଦ୍ର ସାହୁ ପ୍ରମୁଖ ଘଟଣାସ୍ଥଳକୁ ଯାଇ ଚାଲିଥିବା ମାଟି ବନ୍ଧ ଓ ପଥର ପେଚିଂ କାର୍ଯ୍ୟର ସମୀକ୍ଷା କରିଥିଲେ। ଷାଠିବାଙ୍କୁଡା ଠାରେ ବୈତରଣୀ ନଦୀବନ୍ଧ ବାରମ୍ବାର ଅବକ୍ଷୟ ହେବା ସାଙ୍ଗକୁ ବନ୍ଧରେ ଫାଟ ସୃଷ୍ଟି ହେବା ଏବଂ ଧସିବା ସଂପର୍କରେ ସ୍ଥାନୀୟ ଲୋକଙ୍କଠାରୁ ପଚାରି ବୁଝିବା ପରେ ଉକ୍ତ ସ୍ଥାନରେ ସ୍ଥାୟୀ ପ୍ରତିକାର ପାଇଁ ୪ ଥାକିଆ ସ୍ପର ନିର୍ମାଣ ସହ ସୁଦୃଢ ପଥର ପେଚିଂର ଆବଶ୍ୟକ ଥିବା ଟିମ୍ ପ୍ରକାଶ କରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top