ଭଦ୍ରକ : ଶ୍ୟାମପୁରରୁ ୧୨୬ ନାଗ ଛୁଆ ଉଦ୍ଧାର ଘଟଣା ନାଗ ନାଗୁଣୀ ସମେତ ଧରାଗଲା ଆଉ ଏକ ଗୋଖର

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଏହି ଜିଲାର ଧାମନଗର ଏନଏସିର ଅନ୍ତର୍ଗତ ଶ୍ୟାମପୁର ଗାଁରୁ ଗତକାଲି ଶତାଧିକ ନାଗ ସାପ ଛୁଆ ଧରାଯିବା ପରେ ଆଜି ଆଉ ତିନୋଟି ବଡ଼ ସାପ ଧରା ହୋଇଛି। ଆଜି ଧରାଯାଇଥିବା ତିନୋଟି ବଡ଼ ସାପ ମଧ୍ୟରୁ ଦୁଇଟି ନାଗ ନାଗୁଣୀ ଏବଂ ଗୋଟିଏ ଗୋଖର ସାପ ଥିବା ଜଣାଯାଇଛି। ପୁରା ଘଟଣା ରହସ୍ୟମୟ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ସନ୍ଧ୍ୟା ସୁଦ୍ଧା ସାପ ଧରା ଅଭିଯାନ ଜାରି ରହିଛି। ଦୁଇ ଦିନ ପୂର୍ବେ ଶ୍ୟାମପୁର ଗାଁର ବିଜୟ ଭୂୟାଁଙ୍କ ଘରେ କିଛି ସାପ ଛୁଆ ବୁଲୁଥିବା ଦେଖାଯାଇଥିଲା। ଏହି ଘଟଣା ଜଣାଯିବା ପରେ ସ୍ନେକ୍ ହେଲପ ଲାଇନ୍ର ସେକ୍ ମିର୍ଜା ଏବଂ ତାଙ୍କର ସହଯୋଗୀ ମାନେ ଗତକାଲି ଦିନ ତମାମ ବିଜୟ ଭୂୟାଁଙ୍କ ଘର ଓ ନିକଟ ବର୍ତ୍ତି ସ୍ଥାନରୁ ୧୨୬ ଟି ନାଗ ଛୁଆକୁ ଧରିଥିଲେ। ଉଦ୍ଧାର ହୋଇଥିବା ସମସ୍ତ ସାପ ଛୁଆଙ୍କୁ ଏକ ବଡ଼ ହାଣ୍ଡିରେ ସେହି ସ୍ଥାନରେ ରଖାଯାଇଥିଲା। ଆଜି ସକାଳୁ ପୁର୍ନବାର ସାପ ଧରା ଅଭିଯାନ ଆରମ୍ଭ ହୋଇଥିବା ବେଳେ ସାପ ଛୁଆ ରଖାଯାଇଥିବା ହାଣ୍ଡି ନିକଟରେ ଗୋଟିଏ ନାଗ ଓ ଗୋଟିଏ ନାଗୁଣୀ ରହିଥିବା ଦେଖିବାକୁ ମିଳିଥିଲା। ସାପ ଧରାଳି ମିର୍ଜା ପ୍ରାୟ ୬ ଫୁଟ ଲମ୍ବର ନାଗ ନାଗୁଣୀଙ୍କୁ ଧରିବାକୁ ସକ୍ଷମ ହୋଇଥିଲେ। ସେହି ସ୍ଥାନରୁ ଆଉ ଏକ ୬ ଫୁଟ ଲମ୍ବର ଗୋଖର ଧରା ହୋଇଛି। ଗୋଟିଏ ସ୍ଥାନରୁ ଏତେ ସଂଖ୍ୟକ ସାପ ବାହାରିବା ଘଟଣା ସବୁଠି ଚାଞ୍ଚଲ୍ୟ ଖେଳାଇ ଦେଇଛି। ସାପ ଭୟରେ ବିଜୟ ଭୂୟାଁଙ୍କ ପରିବାର ଘର ଛାଡ଼ିଥିବା ବେଳେ ଏହି ଘଟଣା ପୁରା ଅଞ୍ଚଳବାସୀଙ୍କୁ ୩ ଦିନ ଧରି ଭୟର ବାତାବରଣ ମଧ୍ୟରେ ରଖିଛି। ଧରା ହୋଇଥିବା ସାପକୁ ଦେଖିବା ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଘଟଣା ସ୍ଥଳରେ ବ୍ୟାରିକେଡ଼ କରାଯାଇ ପୋଲିସ ମୁତୟନ କରାଯାଇଛି। ଘଟଣା ସ୍ଥଳରେ ପୋଲିସ ସହିତ ବନବିଭାଗ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି। ସାଧାରଣତଃ ଗୋଟିଏ ସାପ ୨୦/୨୫ ଟି ଅଣ୍ଡା ଦେଉଥିବାରୁ ୧୨୬ ସାପ ଛୁଆ ଧରାଯିବା ପରେ ଅଧିକ ସଂଖ୍ୟାରେ ବଡ଼ ସାପ ଥିବା ଅନୁମାନ କରାଯାଉଛି।ଆସନ୍ତା କାଲି ମଧ୍ୟ ସାପ ଧରା କାର୍ଯ୍ୟ ଜାରି ରହିବ ବୋଲି ଜଣାଯାଇଛି।

Leave a Reply

Your email address will not be published. Required fields are marked *