ଭଦ୍ରକ : ରୋକ ଲଗାଇ ପାରୁନି ପ୍ରଶାସନ ବଢୁଛି କଳାହୀରାର ଚୋରା ବେପାର!

ଭଦ୍ରକ, ୧୪ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳରେ ବଢୁଛି କଳାହୀରାର ଚୋରା ବେପାର। ପ୍ରତିଦିନ ଟ୍ରିପ ଟ୍ରିପ ଚୋରା କୋଇଲା ଜିଲା ତଥା ଜିଲା ବାହାରକୁ ଚାଲାଣ ହେଉଛି। ଏହି କୋଇଲା ଚାଲାଣର ଚେର ଲମ୍ବିଛି; ମନ୍ତେଇ ନଈର ବିଭିନ୍ନ ଘାଟ ମୁହାଣରୁ ଜିଲା ବାହାରକୁ। ଦିନ ହେଉକି ରାତି; ଏହି ଚୋରା ବେପାର ଖୋଲାଖୋଲି ଚାଲିଛି। ଭଲ ଲାଭ ମିଳୁଥିବାରୁ କେତେକ ଯୁବଗୋଷ୍ଠୀ ଏହି ବେପାରକୁ ଆପଣାଇ ନେଇଛନ୍ତି। ବେପାରର ସ୍ଥିତି ଏପରି ହୋଇଛି; ରାତିରେ ଚୋରା କୋଇଲା କାରବାରର ଗାଡି ଶଦ୍ଦରେ ଲୋକ ଅତିଷ୍ଠ ହେଉଛନ୍ତି। କଳା ହିରାରର ଖୁଲମଖୁଲା ଚୋରା ବେପାର ଉପରେ ରୋକ୍ ଲଗାଇବାରେ ପ୍ରଶାସନ ବିଫଳ ହେଉଥିବା ଅଭିଯୋଗ ହେଉଛି। ଧାମରା ବନ୍ଦର କୋଇଲାକୁ କେତେକ ମାଫିଆ ସ୍ଥାନୀୟ ବେପାରୀଙ୍କ ଜରିଆରେ ଚଳନ୍ତା ରେଳଗାଡିରୁ ସଂଗ୍ରହ କରୁଛନ୍ତି। ଏହି କୋଇଲାକୁ ରାତିରେ ଜଳପଥ(ମନ୍ତେଇନଈ)ରେ ଭୁଟୁଭୁଟି ଜରିଆରେ ଆଣି ନଈର ବିଭିନ୍ନ ଘାଟରେ ଅନ୍ଲୋଡ କରୁଛନ୍ତି। ସେଠାରୁ ଗାଡିରେ ଜିଲା ତଥା ଜିଲା ବାହାରକୁ ଚାଲାଣ କରାଯାଇଉଛି। ଜଳ ପଥରେ କୋଇଲା ଚାଲାଣ ବେପାରୀଙ୍କୁ ଭଲସୁଆଉଥିବା ବେଳେ; ନଈରେ ମାଛ ଧରିବାକୁ ଜାଲ ବସାଇଥିବା ମତ୍ସ୍ୟଜୀବୀ ହଇରାଣ ହେଉଛନ୍ତି। ନଈରେ କୋଇଲା ଧରି ଆସୁଥିବା ଭୁଟୁଭୁଟିର ଶଦ୍ଦରେ ଜାଲରେ ମାଛ ପଡୁ ନ ଥିବା ମତ୍ସ ୍ୟଜୀବୀ କହୁଛନ୍ତି। ଏହି କଥାବି; ସରପଞ୍ଚଙ୍କ କାନକୁ ଗଲାଣି। କୋଇଲା ବେପାରୀ ଓ ଜାଲ ବସାଉଥିବା ଲୋକଙ୍କ ମଧ୍ୟରେ କଥା କଟାକଟି ହେଲାଣି। ତଥାପି ପ୍ରଶାସନ ଜାଣି ନ ଜାଣିବା ପରି ଚେଉଁ ଶୋଇଛି। ଏହାବାଦେ ପଦ୍ମପୁରଠାରୁ ବାଲିମୁଣ୍ଡା ଓ ରେଳଲାଇନ ଅଞ୍ଚଳ ଗୁଡିକର ନଈପଠା, ସାହିବସ୍ତିରେ କୋଇଲା ବେପାର ବଢିଚାଲିଛି। ବେପାରୀମାନେ ଏହି ଚୋରା କୋଇଲାକୁ ବିଭିନ୍ନ ସ୍ଥାନରୁ ସଂଗ୍ରହ କରି ମହଜୁଦ ରଖୁଛନ୍ତି। ସମୟ ସୁବିଧା ଦେଖି ବଡ ବେପାରୀଙ୍କୁ ମାପି ଦେଉଛନ୍ତି। ନିକଟରେ ନାୟକାଣିଡିହି ଥାନା ବିରଷ ଠାରେ ଏକ କୋଇଲା ବୋଝେଇ ଟ୍ରକକୁ ସ୍ଥାନୀୟ ଯୁବକ ଅଟକାଇଥିଲେ। ଖବରପାଇ ପୁଲିସ ଟ୍ରକକୁ ନିଜ ହେପାଜତକୁ ନେଇଥିଲେ ବି ବନ୍ଦର କୋଇଲା କହି ଛାଡି ଦେଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିଲା। ଅଟକ କୋଇଲା ବନ୍ଦର କଂପାନୀର; ବନ୍ଦର ଉପଦେଷ୍ଟାଙ୍କ ଲିଖିତ ରସିଦ୍ମୂଳେ ଜିମା ଦିଆଯାଇଥିବା ନାୟକାଣିଡିହି ଥାନା ଅଧିକାରୀ ମାନସ କୁମାର ଦେଓ କହିଛନ୍ତି। ତା’ଛଡା ଚୋରା କୋଇଲା କାରବାର ଉପରେ ଦୃଷି ଦିଆଯାଉଛି; ଦୁଇ ତିନିଟି ମାମଲା କରାଯାଇଛି ବୋଲି ସେ କହିଛନ୍ତି। ସେହିପରି ବାସୁଦେବପୁର ପୁଲିସ ନିକଟରେ ଏକ କୋଇଲା ବୋଝେଇ ପିକଅପ ଗାଡିକୁ ଜବତ କରିଛି। ତେବେ ମୋଟାମୋଟି ଭାବେ ବାସୁଦେବପୁର ଅଞ୍ଚଳରେ କଳା ହୀରାର କାରବାର ଉପରେ ଶତପ୍ରତିଶତ ରୋକ ଲଗାଇବାରେ ପ୍ରଶାସନ ବିଫଳ ହୋଇଛି।

Leave a Reply

Your email address will not be published. Required fields are marked *