ଭଦ୍ରକ : ରୋକି ହେଉନି ଚୋରା କୋଇଲା କାରବାର ଫିଲ୍ମ ଷ୍ଟାଇଲରେ ପୁଣି ଏକ ହାଇୱା ଜବତ କଲା ପୁଲିସ

ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ବିନା ପୁଞ୍ଜିରେ ଚାଲିଛି ଚୋରା କଳାହୀରା ଚୋରି। ଗୋଟିଏ ରାତିରେ ଲକ୍ଷ ଲକ୍ଷ ଟଙ୍କାର ଆୟ। ଏହି ଜିଲାର ତିହିଡି ପୁଲିସ ଆନ୍ତରିକ ଭାବେ ଉଦ୍ୟମ କରୁଥିଲେ ବି ଏହାକୁ ରୋକି ପାରୁନାହିଁ। ଏପରିକି କଡା ଆଇନ କୁହାଯାଉଥିବା ‘ମାଇନିଂ ଏଫ ମିନେରାଲ ଆକ୍ଟ (ଏମଏମଆରଏ)ରେ ଗାଡିଗୁଡିକ ଜବତ କରାଯାଉଥିଲେ ବି ସଚେତନତା ଅଭାବରୁ ଏହାର ପ୍ରଭାବ ଗାଡି ମାଲିକଙ୍କ ଉପରେ ପଡୁନାହିଁ। ତିହିଡି ଥାନା ପରିସରରେ ଏତେ ସଂଖ୍ୟାରେ ଚୋରା କୋଇଲା ବୋଝେଇ ଗାଡି ଭର୍ତ୍ତି ହୋଇଗଲାଣି, ଆଉ ଅଧିକ ଗାଡି ରଖିବାକୁ ଜାଗା ନାହିଁ। ପୁଲିସ ଯେଉଁଭଳି ଚଢଉ ଜାରି ରଖିଛି, ଏହାର ଆଖପାଖ ଫାଣ୍ଡିିଗୁଡିକର ପୁଲିସ ଯଦି ସେତିକି ସକ୍ରିୟ ହୁଅନ୍ତେ, ତେବେ ଚୋରା କୋଇଲା ଚୋରି ଠପ୍ ହୋଇଯାଆନ୍ତା। ମାତ୍ର ୫ ଦିନ ତଳେ ତିହିଡି ପୁଲିସ ଏକ ଚୋରା କୋଇଲା ବୋଝେଇ ପିକ୍ଅପକୁ ଜବତ କରିଥିଲା। ପୁଣି ପୁଲିସ ସିନେମା ଷ୍ଟାଇଲରେ ଆଉ ଏକ ଚୋରା କୋଇଲା ବୋଝେଇ ୧୦ ଚକିଆ ଟ୍ରକକୁ ଜବତ କରିଛି। ଘଣ୍ଟେଶ୍ୱର ଅଞ୍ଚଳରୁ ଏକ କୋଇଲା ବୋଝେଇ ହାଇୱା ଭଦ୍ରକ ଅଭିମୁଖେ ଆସୁଥିବା ଖବର ପାଇ ପୁଲିସ ଥାନା ସମ୍ମୁଖରେ ଜଗି ରହିଥିଲା। ରାତି ପ୍ରାୟ ସାଢେ ୧୧ଟାରେ ଟ୍ରକ୍ଟି ତିହିଡିରେ ପହଞ୍ଚିଥିଲା ଓ ପୁଲିସ ଏହାକୁ ଅଟକାଇବାକୁ ଚେଷ୍ଟା କରିଥିଲା। ତେବେ ଧରା ପଡିଯିବା ଭୟରେ ଡ୍ରାଇଭର ଗାଡିର ଗତି ବଢାଇ ପୁଲିସ ନିକଟରୁ ଖସିଯିବାକୁ ସକ୍ଷମ ହୋଇଥିଲା। ତିହିଡି ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ଏହାକୁ ଅଟକାଇବା ପାଇଁ ଭଦ୍ରକ ଗ୍ରାମାଞ୍ଚଳ ଥାନା ଓ ସାବରଙ୍ଗ ଫାଣ୍ଡିକୁ ଖବର ଦେବା ସହ ଗାଡିଟିକୁ ସିନେମା ଷ୍ଟାଇଲ୍ରେ ପଛରୁ ଗୋଡାଇଥିଲେ। ନନ୍ଦପୁର ବଜାର ନିକଟ ଅଚକ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗାଡିଟିକୁ ଛାଡି ଦେଇ ଡ୍ରାଇଭର ଅନ୍ଧାରରେ ଖସିଯିବାକୁ ସକ୍ଷମ ହୋଇଥିଲା। ପୁଲିସ ଘଟଣାସ୍ଥଳରୁ ସଂପୃକ୍ତ ଗାଡିଟିକୁ ଜବତ କରି ଥାନାକୁ ଆଣିଛି। ଗାଡିରେ ୨୫୦ ବସ୍ତା ଚୋରା କୋଇଲା ରହିଥିବା ତଦନ୍ତ ସମୟରେ ଜଣାପଡିଛି। ଚୋରା କୋଇଲା ବ୍ୟବସାୟ ରୋକିବା ପାଇଁ ତିହିଡି ପୁଲିସ ମାଇନିଂ ଏଣ୍ଡ ମିନେରାଲ ରେଗୁଲେସନ ଆକ୍ଟ ଲଗାଇ ମାମଲା ରୁଜୁ କରୁଛି। ଏହା ପରେ ବି ବହୁ ମାଲିକ ଅଧିକ ଭଡା ଆଶାରେ ଗାଡିଗୁଡିକୁ ଚୋରା କୋଇଲା ବ୍ୟବସାୟରେ ଲଗାଉଛନ୍ତି। ପୂର୍ବପରି ସହଜରେ ଗାଡିଗୁଡିକ ମୁକୁଳି ପାରୁଥିଲା। ସଂପ୍ରତି ଏହି ଦଫା ପରେ ମାଲିକମାନେ ଗାଡିଗୁଡିକୁ ସହଜରେ ମୁକୁଳି ପାରୁନାହାନ୍ତି। ତା’ ସତ୍ୱେ ବି କୋଇଲା ମାଫିଆଙ୍କ ପ୍ରଲୋଭନରେ ପଡି ମାଲିକମାନେ କ୍ଷତିଗ୍ରସ୍ତ ହେଉଛନ୍ତି।

Leave a Reply

Your email address will not be published. Required fields are marked *