ଭଦ୍ରକ ରେଳ ଷ୍ଟେସନ ସାଇନବୋର୍ଡରେ ସୀମିତ ଫ୍ଲାଇଓଭର ସେତୁ ନିର୍ମାଣ

ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ରେଳ ଷ୍ଟେସନର ଦକ୍ଷିଣ ପାଶ୍ୱର୍ରେ ଥିବା ଲେବଲ କ୍ରସିଂ (ଗେଟ ନଂ ୧୧୯) ନିକଟରେ ଏକ ଫ୍ଲାଇ ଓଭର ସେତୁ ନିର୍ମାଣ ପ୍ରସ୍ତାବ ରହିଛି। ଏଥିପାଇଁ ରେଳ ବଜେଟରେ ଅର୍ଥ ମଞ୍ଜୁର ହୋଇଥିଲେ ବି ନିର୍ମାଣ କାର୍ଯ୍ୟ କେବଳ ସାଇନବୋର୍ଡରେ ସୀମିତ ରହିଛି। ଫଳତଃ ଦୁଇ ଜିଲାର ଲକ୍ଷାଧିକ ବାସିନ୍ଦାଙ୍କ ବହୁବର୍ଷର ଦାବି ପୂରଣ ନେଇ ସଂଶୟ ସୃଷ୍ଟି ହୋଇଛି। ବାଲେଶ୍ୱର ଜିଲାର କୁପାରୀ, ଅନ୍ତରା, ଗରସଙ୍ଗ, କନ୍ଦଡା, ବାଲିପୋଖରୀ, ବରଦା ଆଦି ଅଂଚଳ ସହିତ ଭଦ୍ରକ ସହରକୁ ସିଧା ସଂଯୋଗରେ ବାଧକ ରହିଛି ଏହି ଲେବଲ କ୍ରସିଂ। ଦୁଇଟି ଜିଲାର ହଜାର ହଜାର ବାସିନ୍ଦା ଦୈନିକ ଏହି ଲେବଲ କ୍ରସିଂ ପାର ହୁଅନ୍ତି। ମାଲବାହୀ ଟ୍ରକ ହେଉ କି ପାସେଞ୍ଜର ଗାଡି ଅଥବା ଶହଶହ ବାଇକ ଆରୋହୀଙ୍କ ଆତଯାତ ରାସ୍ତାରେ ପଡୁଛି ଲେବଲ କ୍ରସିଂ। ଭଦ୍ରକ ମ୍ୟୁନ୍ସିପାଲିଟିର ୫ଟି ୱାର୍ଡ ଲେବଲ କ୍ରସିଂ ଆରପାରିରେ ରହୁଛି। ଭଦ୍ରକ ଏକ ବ୍ୟସ୍ତବହୁଳ ଷ୍ଟେସନ ହୋଇଥିବାରୁ ଏଠାରେ ପ୍ରତି ୫ ମିନିଟରେ ଲେବଲ କ୍ରସିଂର ଗେଟ୍ ପଡିବା ନଜିର ରହିଛି। ବିଭିନ୍ନ କାରଣରୁ ଥରେ ଗେଟ ପଡିଲେ ୧୦ ମିନିଟରୁ ୨୫ ମିନିଟ ଯାଏ ଦୁଇ ପାଶ୍ୱର୍ରେ ଗାଡି ଅଟକି ରହୁଥିବା ଦେଖିବାକୁ ମିଳେ। ଜରୁରୀ ପରିସ୍ଥିତିରେ ଆମ୍ବୁଲାନସ ଓ ଦମକଳ ଗାଡି ବି ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବାରେ ବିଳମ୍ବ ହୁଏ। ଏହି ସମସ୍ୟା ନିୟମିତ ଓ ଦୀର୍ଘବର୍ଷର। ଏହାର ସମାଧାନ ଦାବିରେ ସ୍ଥାନୀୟ ଲୋକେ ବାରମ୍ବାର ରେଳବାଇ କର୍ତ୍ତୃକ୍ଷ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଗତ ୨୦୧୬ ବର୍ଷରୁ ଉକ୍ତ ସ୍ଥାନରେ ଏକ ଫ୍ଲାଇଓଭର ସେତୁ ନିର୍ମାଣ ଲାଗି ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବିଧାନସଭା ଷ୍ଟାଣ୍ଡିଂ କମିଟିର ସୁପାରିଶ ଅନୁଯାୟୀ ରାଜ୍ୟ ସରକାର ରାଜ୍ୟର ୧୭ଟି ସ୍ଥାନରେ ଲେବଲ କ୍ରସିଂକୁ ଫ୍ଲାଇଓଭର ସେତୁ କରିବା ଲାଗି ନିଷ୍ପତି ନେଇଥିଲେ। ଏଥିଲାଗି ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଓ ରେଳ ବିଭାଗ ୫୦:୫୦ ଅନୁଦାନ ଖର୍ଚ୍ଚ କରିବାକୁ ସହମତ ହୋଇଥିଲେ। ଭଦ୍ରକ ରେଳ ଷ୍ଟେସନର ଏହି ୧୧୯ ନଂ ଲେବଲ କ୍ରସିଂ ମଧ୍ୟ ଏଥିରେ ସ୍ଥାନିତ ହୋଇଥିଲା। ପୂର୍ବତଟ ରେଳବାଇ ମୁଖ୍ୟ ଦପ୍ତରରୁ ଏ ବାବଦ ଚିଠି ମଧ୍ୟ ପୂର୍ତ୍ତ ବିଭାଗ ତଥା ଭଦ୍ରକ ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଥିଲା। ୨୦୧୭-୧୮ ରେଳ ବଜେଟରେ ଉକ୍ତ ଫ୍ଲାଇଓଭର ନିର୍ମାଣ ଲାଗି ୧୩ କୋଟି ୫୪ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିବା ବିଜ୍ଞାପନ କରାଯାଇଛି। ଷ୍ଟେସନ ପରିସରରେ ରେଳ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ପଟୋ ଥିବା ଏକ ବିଜ୍ଞାପନ ବୋର୍ଡ (ସାଇନ୍ ବୋର୍ଡ) ମରାଯାଇଛି। ତହିଁରେ ନିର୍ମାଣ କାର୍ଯ୍ୟ ୨ବର୍ଷ ମଧ୍ୟରେ ସରିବ ବୋଲି ଦର୍ଶାଯାଇଛି। ଇତିମଧ୍ୟରେ ବର୍ଷକରୁ ଅଧିକ ସମୟ ଗଲାଣି। କିନ୍ତୁ ଆଜି ବି ନିର୍ମାଣ କାର୍ଯ୍ୟ ସେମିତି ସାଇନ ବୋର୍ଡ ସୀମିତ ରହିଛି। ଏ ପର୍ଯ୍ୟନ୍ତ ଫ୍ଲାଇଓଭର ପାଇଁ ସର୍ବନିମ୍ନ କ୍ଷେତ୍ରୀୟ କାର୍ଯ୍ୟ ବି ଆରମ୍ଭ ହୋଇନାହିଁ। କେବଳ କାଗଜପତ୍ରରେ ଯାହା ଚାଲିଛି ବୋଲି କୁହାଯାଉଛି। ଏ ସଂପର୍କରେ ଆମ ପ୍ରତିନିଧି ଭଦ୍ରକସ୍ଥ ରେଳ ବିଭାଗର ସିନିୟର ସେକ୍ସନ ଇଞ୍ଜିନିୟର ଭାଗବତ ଦଳେଇଙ୍କୁ ଭେଟିବା ପରେ ବ୍ରିଜ୍ ନିର୍ମାଣ ବାବଦରେ ତାଙ୍କ ପାଖେ କୋ÷ଣସି ତଥ୍ୟ ନଥିବା ଦର୍ଶାଇ ଥିଲେ। କେବଳ କିଛିମାସ ତଳେ ଏକ ସର୍ଭେ ଟିମ୍ ପହଞ୍ଚି ଥିଲା ବୋଲି ସେକ୍ସନ ଇଞ୍ଜିନିୟର ଶ୍ରୀ ଦଳେଇ କହିଥିଲେ। ରେଲୱେ ତରଫରୁ ଏ ବାବଦରେ ଅଧିକ କିଛି ତତ୍ପରତା ସଂପର୍କରେ ତାଙ୍କ ପାଖେ ଖବର ନାହିଁ ବୋଲି ସେ କହିଛନ୍ତି। ଅପରପକ୍ଷରେ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଅମୀୟ ନାୟକଙ୍କୁ ଏ ସଂପର୍କରେ ଯୋଗାଯୋଗ କରିବା ପରେ ରାଜ୍ୟ ସରକାର ଓ ରେଳ ବିଭାଗର ଭାଗିଦାରୀ ଅନୁଦାନରେ ଫ୍ଲାଇଓଭର ବ୍ରିଜ୍ ନିର୍ମାଣ ହେବ ବୋଲି ସେ ସୂଚନା ଦେଇଥିଲେ। ରାଜ୍ୟ ସରକାର ମଧ୍ୟ ଉକ୍ତ ଫ୍ଲାଇଓଭର ବାବଦ ଆଂଶିକ ଅନୁଦାନ ମଞ୍ଜୁର କରିଛନ୍ତି। ଏଥିପାଇଁ ସର୍ଭେ ମଧ୍ୟ ସରିଛି। ‘ଜେନେରାଲ ଏଲାଇନମେଣ୍ଟ ଡ୍ରଇଁ’ ଚାଲିଛି। ପରେ ଏଷ୍ଟିମେଟ ଓ ଡିଜାଇନିଂ ପ୍ରସ୍ତୁତ କରି ଟେଣ୍ଡର ହେବ ବୋଲି କହିଛନ୍ତି ନିର୍ବାହୀ ଯନ୍ତ୍ରୀ।

Leave a Reply

Your email address will not be published. Required fields are marked *