ଓଡ଼ିଶା

ଭଦ୍ରକ ରେଳଷ୍ଟେସନ ଠାରେ ନୂତନ ଷ୍ଟେସନ ଭବନ ଓ ଫୁଟ୍ ଓଭର ବ୍ରିଜ୍ ର ଶୁଭଉଦ୍ଘାଟନ, ଜନସାଧାରଣଙ୍କ ଦୀର୍ଘଦିନର ଦାବିକୁ କେନ୍ଦ୍ର ସରକାର ପୂରଣ କରିଛି – କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଆଜି ନିର୍ଦ୍ଧାରିତ ସମୟର ପ୍ରାୟ ଏକଘଣ୍ଟା ବିଳମ୍ବରେ ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ୍ ମଣ୍ଡଳ ଅଧୀନରେ ଥିବା ଭଦ୍ରକ ରେଳଷ୍ଟେସନ ଠାରେ ନୂତନ ଷ୍ଟେସନ ଭବନ ଓ ଫୁଟ୍ ଓଭର ବ୍ରିଜ୍ର ଶୁଭ୍ ଉଦ୍ଘାଟନ କରିଛନ୍ତି କେନ୍ଦ୍ର ଜନଜାତୀୟ ବ୍ୟାପର ମନ୍ତ୍ରୀ ଜୁଏଲ ଓରାମ୍। ଆଜିର ଏହି ଶୁଭ ଉଦ୍ଘାଟନ ଅପରାହ୍ନ ୩ ଘଟିକା ସମୟରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ହେବାକୁ ଥିବାବେଳେ ଶେଷ ମୁହୂର୍ତ୍ତରେ ତାଙ୍କର ଗସ୍ତକ୍ରମ ବାତିଲ କରାଯାଇ ମନ୍ତ୍ରୀ ଶ୍ରୀ ଓରାମ୍ଙ୍କ କର କମଳରେ କରାଯାଇଥିଲା। ତେବେ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଭଦ୍ରକ ଲୋକସଭା ସାଂସଦ ଅର୍ଜୁନ ଚରଣ ସେଠୀ ଓ ଭଦ୍ରକ ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ଅନୁପସ୍ଥିତି ଦେଖାଯାଇଥିଲା। ମନ୍ତ୍ରୀ ଶ୍ରୀ ଓରାମ୍ ଅପରାହ୍ନ ପ୍ରାୟ ୪ଟାରେ ଟ୍ରେନ୍ ଯୋଗେ ଭଦ୍ରକରେ ପହଞ୍ଚିବା ପରେ ଷ୍ଟେସନ ପରିସରରେ ଆୟୋଜିତ ଜନସଭାରେ ଯୋଗଦେଇଥିଲେ। ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ମଣ୍ଡଳର ମହାପ୍ରବନ୍ଧକ ଉମେଶ ସିଂ ପ୍ରାରମ୍ଭରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେବାପରେ ମନ୍ତ୍ରୀ ଶ୍ରୀ ଓରାମ୍ ନିଜ ବକ୍ତବ୍ୟରେ ନୂତନ ପ୍ଲାଟ୍ଫର୍ମ ଓ ଏହାର ପାାରିପାର୍ଶ୍ୱିକ ସ୍ଥାନ ନିର୍ମାଣ ବାବଦକୁ ପ୍ରାୟ ୬ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟ ହୋଇଥିବାବେଳେ ନୂତନ ଷ୍ଟେସନ ବିଲ୍ଡିଂଟି ୪ କୋଟି ୧୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବାର ସୂଚନା ଦେଇ ଏଥିରେ ବୁକିଂ ଅଫିସ୍, ପିଆରଏସ୍ କାଉଣ୍ଟର, ଯାତ୍ରୀମାନଙ୍କ ପ୍ରତୀକ୍ଷାଳୟ, ଷ୍ଟେସନ ମ୍ୟାନେଜରଙ୍କ କାର୍ଯ୍ୟାଳୟ, ଭିଆଇପି ବିଶ୍ରାମକକ୍ଷ, ଟିସିଆଇ ଓ ଡିଟିଆଇ ଅଫିସ୍, ଷ୍ଟେସନ ପ୍ଲାଟଫର୍ମ ଓ ବାରିକେଡ୍ ସହ ସାର୍କୁଲେଟ୍କିଂ ଏରିଆ ରହିଛି ବୋଲି କହିଥିଲେ। ଏଥିସହ ୨ଟି ସ୍ପାନ ସହ ୮ଟି ଗି୍ରଡରଯୁକ୍ତ ୬୫.୩୦ ମିଟର ଲମ୍ବ ଓ ୬.୨୦ ମିଟର ପ୍ରସ୍ଥ ଯୁକ୍ତ ନୂତନ ଦ୍ୱିତୀୟ ଫୁଟ୍ ଓଭର ବ୍ରିଜ୍ଟି ୩ କୋଟି ୨୦ ଲକ୍ଷ ଟଙ୍କା ଅଟକଳରେ ନିର୍ମିତ ହୋଇଥିବାର ସୂଚନା ଦେଇଥିଲେ। ଏବଂ ଏହା ସ୍ଥାନୀୟ ଜନସାଧାରଣଙ୍କର ଦୀର୍ଘଦିନର ଦାବିକୁ ପୂରଣ କରିପାରିଛି ବୋଲି କହି ଅତ୍ୟାଧୁନିକ ଯାତ୍ରୀ ସୁବିଧା ଥିବା ଏହି ନୂତନ ଷ୍ଟେସନ ଭବନ ଓ ନୂତନ ଫୁଟ୍ଓଭର ବ୍ରିଜ୍ଟି ସବୁଶ୍ରେଣୀର ଯାତ୍ରୀମାନଙ୍କ ସମସ୍ୟା ଓ ନିରାପତ୍ତା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଥିବାର ସୂଚାଇଥିଲେ। ତେବେ ଆଜିର ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସାଂସଦ ଓ ବିଧାୟକଙ୍କ ଅନୁପସ୍ଥିତିକୁ ଦୃଷ୍ଟିରେ ରଖି ସେ ଏହା କୌଣସି ଦଳୀୟ କାର୍ଯ୍ୟକ୍ରମ ନଥାଇ ସରକାରୀ କାର୍ଯ୍ୟକ୍ରମ ହୋଇଥିବାରୁ ସେମାନେ ଦଳୀୟ ମନୋଭାବ ରଖି ନଆସିବା ଠିକ୍ ନୁହେଁ ବୋଲି ମନ୍ତ୍ରୀ ଶ୍ରୀ ଓରାମ୍ ନିଜ ଭାଷଣ ଛଳରେ କହିଥିଲେ। ଏହି ଅବସରରେ ବିଭିନ୍ନ ସମାଜସେବୀ ସଂଗଠନ ଓ ଅନୁଷ୍ଠାନ ପକ୍ଷରୁ ମନ୍ତ୍ରୀ ଶ୍ରୀ ଓରାମ୍ଙ୍କୁ ଭଦ୍ରକରେ ଏକ ସରକାରୀ ମେଡିକାଲ କଲେଜ ଓ ମଡେଲ ଷ୍ଟେସନ ସ୍ଥାପନାକୁ ନେଇ ଦାବିପତ୍ର ପ୍ରଦାନ କରାଯାଇଥିଲା। ଆଜିର ଏହି ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ପୂର୍ବତନ ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲ, ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ, ବଦ୍ରୀ ନାରାୟଣ ଧଳ, ଡ. ପ୍ରଦୀପ ନାୟକ, ମନସ୍ମିତା ଖୁଣ୍ଟିଆ, ଶରତ ଦାସ ଓ ପ୍ରଭାତ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରବନ୍ଧକ ବ୍ରଜମୋହନ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top