ଭଦ୍ରକ : ଯୌତୁକ ଜନିତ ବଧୂହତ୍ୟା ଅଭିଯୋଗରେ ସ୍ୱାମୀ, ଶାଶୁ ଓ ଶ୍ୱଶୁରଙ୍କୁ ଜେଲ୍ ଦଣ୍ଡ

ଭଦ୍ରକ, ୧୬ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆଜି ଭଦ୍ରକର ସ୍ପେଶାଲ ଟ୍ରାକ୍ ଜଜ୍ ଜନକ ରାଉତ ଏକ ବଧୂହତ୍ୟା ମକଦ୍ଦମାର ବିଚାର କରି ସ୍ୱାମୀକୁ ୭ ବର୍ଷ ଓ ଶାଶୁ-ଶ୍ୱଶୁରଙ୍କୁ ଦୁଇବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଜିଲାର ବନ୍ତ ଥାନା ଅଧୀନସ୍ଥ ଭଣ୍ଡାରଗଡିଆ ଗ୍ରାମନିବାସୀ କୃଷ୍ଣଚନ୍ଦ୍ର ମହାନ୍ତିଙ୍କ କନ୍ୟା ଯଶୋଦା ସହ ଦୋଳପଦୀ ଗ୍ରାମର ରବିନ୍ଦ୍ର ସାହୁଙ୍କ ପୁତ୍ର ଉତ୍ପଳର ୨୦୧୨ ମସିହାରେ ବୈଦିକ ମତେ ବିବାହ ହୋଇଥିଲା । ବିବାହ ସମୟରେ କନ୍ୟାଘର ପକ୍ଷରୁ ବରପକ୍ଷଙ୍କ ଦାବି ମୁତାବକ ଯୌତୁକ ବାବଦ ନଗଦ ୮୦ ହଜାର ଟଙ୍କା ଦେଇଥିଲେ । ମାତ୍ର ବିବାହଘର ପରେ ଯଶୋଦାର ସ୍ୱାମୀ, ଶ୍ୱଶୁର ଓ ଶାଶୁ ସ୍ୱର୍ଣ୍ଣଲତା ଏକ ଟିଭି ଓ ଫ୍ରିଜ୍ ଦାବି କରି ତା ପ୍ରତି ଯୌତୁକ ନିର୍ଯ୍ୟାତନା ଦେଇଆସୁଥିଲେ । ୨୦୧୪ ମସିହା ରଜ ପୂର୍ବଦିନ ଯଶୋଦାଙ୍କ ପିତା କୃଷ୍ଣଚନ୍ଦ୍ର କନ୍ୟାର ଶ୍ୱଶୁରଘରକୁ ଯାଇ ତା ପ୍ରତି ନିର୍ଯ୍ୟାତନା ନଦେବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ପହିଲି ରଜ ଜୁନ୍ ୧୬ ତାରିଖ ଦିନ ପିତା କୃଷ୍ଣଚନ୍ଦ୍ର ତାଙ୍କ କନ୍ୟା ଯଶୋଦା ବିଷ ଖାଇ ମୃତୁ୍ୟବରଣ କରିଥିବାର ଖବର ପାଇ ଭଦ୍ରକ ଡାକ୍ତରଖାନାରେ ପହଞ୍ଚô ତା ଯୌତୁକ ଜନିତ ବଧୂହତ୍ୟା ବୋଲି ବନ୍ତ ଥାନାରେ ଅଭିଯୋଗ କରିଥିଲେ । କୃଷ୍ଣଚନ୍ଦ୍ରଙ୍କ ଏତଲା ମୂଳେ ବନ୍ତ ଥାନା ପୁଲିସ୍ କେଶ୍ ନଂ ୫୬/୧, ତା ୧୭.୦୬.୧୪ ରିଖ ମୂଳେ ଏକ ମାମଲା ରୁଜୁ କରି ତଦନ୍ତ ପରେ ସ୍ୱାମୀ ଉତ୍ପଳ, ଶ୍ୱଶୁର ରବିନ୍ଦ୍ର ଓ ଶାଶୁ ସ୍ୱର୍ଣ୍ଣଲତାଙ୍କ ବିରୁଦ୍ଧରେ ଦଫା ୪୯୮ (କ) / ୩୦୪ (ଖ) / ୩୦୬ ଆଇପିସି ମୂଳେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ । ଆଜି ଭଦ୍ରକର ସ୍ପେଶାଲ ଟ୍ରାକ୍ ଜଜ୍ ଶ୍ରୀ ରାଉତ ୨୧ ଜଣଙ୍କ ସାକ୍ଷ୍ୟ ପ୍ରମାଣ ମୂଳେ କୋର୍ଟ କେଶ୍ ନଂ ଏସ୍.ଟି. ୨୮/୯୬/୨୦୧୫ ମୂଳେ ମକଦ୍ଦମାର ବିଚାର କରି ସ୍ୱାମୀକୁ  ବଧୂହତ୍ୟା ଅଭିଯୋଗରେ ୩୦୪ (କ) ଆଇପିସି ଦଫାରେ ୭ ବର୍ଷ ଓ ଶାଶୁ-ଶ୍ୱଶୁରଙ୍କୁ ଦଫା ୪୯୮ (କ) ଆଇପିସି ଦଫାରେ ପ୍ରତ୍ୟେକଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି । ଏହି ମକଦ୍ଦମାକୁ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ବସନ୍ତ କୁମାର ସ୍ୱାଇଁ ପରିଚାଳନା କରୁଥିଲେ ।

Leave a Reply

Your email address will not be published. Required fields are marked *