ଭଦ୍ରକ : ମାଲିକଙ୍କ ଅଗୋଚରରେ ତିହିଡିରେ ଜମି ବିକି୍ର ପ୍ରସଙ୍ଗ ଥାନାରେ ଏତଲା ଦେଇ ଦୋଷ ଛଡାଇବାକୁ ଉଦ୍ୟମ

ଭଦ୍ରକ, ୨ା୭ (ଓଡ଼ିଆପୁଅ / ପ୍ରମୋଦ ରାୟ) : ମାଲିକଙ୍କ ଅଗୋଚରରେ ଏହି ଜିଲାର ତିହିଡି ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି ବିକ୍ରି ହୋଇଯିବା ଘଟଣା ସଂପର୍କରେ ବିଭିନ୍ନ ଖବରକାଗଜରେ ଖବର ପ୍ରକାଶ ପାଇବା ପରେ ତିହିଡିରେ ହଇଚଇ ସୃଷ୍ଟି ହୋଇଛି । ଖବର ପ୍ରକାଶ ପାଇବା ପରେ ପରେ ଜମି କ୍ରେତା, ବିକ୍ରେତା ଓ ସାକ୍ଷୀଙ୍କ ବିରୋଧରେ ତରବରିଆଭାବେ ଥାନାରେ ଏତାଲା ଦେଇ ଉପନିବନ୍ଧକ କାର୍ଯ୍ୟାଳୟ ଯେପରି ଭାବେ ନିଜ ମୁଣ୍ଡରୁ ଦୋଷ ଛଡାଇବାକୁ ଉଦ୍ୟମ କରିଛି ତାହାକୁ ନେଇ ବିଭିନ୍ନ ମହଲରେ ଗଭୀର ଅସନ୍ତୋଷ ସୃଷ୍ଟି ହୋଇଛି । ବାହାର ରାଜ୍ୟର କଂପାନୀଗୁଡିକୁ ଶାଗମାଛ ଦରରେ ତିହିଡି ୨ ହଜାରରୁ ଊଦ୍ଧ୍ୱର୍ ଏକର ଜମି କିଣି ସାରିଲେଣି । ଏତେ ପରିମାଣରେ ଜମି କିଏ କିଣୁଛି, କାହିଁକି କିଣୁଛି ଓ କେଉଁଥି ପାଇଁ କିଣୁଛି ସେ ସଂପର୍କରେ  ଅନୁସନ୍ଧାନ କରିବା ପରିବର୍ତ୍ତେ ଜମି କିଣିବାର ସମସ୍ତଙ୍କର ଅଧିକାର ଅଛି କହି ପ୍ରଶାସନ ନୀରବରେ ବସିଯାଇଛନ୍ତି । ଏହି ସମୟରେ ଏହିପରି ଏକ ସମ୍ବେଦନଶୀଳ ଜାଲିଆତି ଘଟଣା ଲୋକ ଲୋଚନକୁ ଆସିଥିବା କାରଣରୁ କଂପାନୀ କିମ୍ବା ସେମାନଙ୍କର ପ୍ରତିନିଧି ଆଜି ପର୍ଯ୍ୟନ୍ତ କିଣିଥିବା ସମସ୍ତ ଜମିର ଦଲିଲ ଆଦିର ଉଚ୍ଚସ୍ତରୀୟ ତଦନ୍ତ ହେଉ ବୋଲି କିଛି ବୁଦ୍ଧିଜୀବୀ ଦାବି କରିବା ଆରମ୍ଭ କରିଲେଣି । ମିଳିଥିବା ସୂଚନା ଅନୁଯାୟୀ; ତିହିଡି ଉପନିବନ୍ଧକ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ନାରାୟଣ କର  ସଂପୃକ୍ତ ଜାଲିଆତି ଜମି ଦଲିଲ ବାବଦରେ ଥାନାରେ ଅଭିଯୋଗ କରିଛନ୍ତି । ଜମି କ୍ରୟ କରିଥିବା କେନ୍ଦ୍ରାପଡା ଜିଲା କପିଳେଶ୍ୱର ଥାନା  ଅଧୀନ କପିଳେଶ୍ୱର ଗ୍ରାମର ସୁରେଶଚନ୍ଦ୍ର ସାହୁଙ୍କ ସମେତ ଜମି ମାଲିକ କହି ଜମି ବିକ୍ରୟ କରିଥିବା ଓ ପବନା ମଳକି କହି ସାକ୍ଷୀ ପଡିଥିବା ଦୁଇ ବ୍ୟକ୍ତିଙ୍କ ନାମରେ ଅଭିଯୋଗ କରାଯାଇଛି । ଏହି ଅଭିଯୋଗର ନକଲ ଜିଲା ରେଜିଷ୍ଟ୍ରାର ଓ ଜିଲା ସବ ରେଜିଷ୍ଟ୍ରାରଙ୍କ ନିକଟକୁ ପଠାଇ ଦିଆଯାଇଛି । ନିଜକୁ ଜମିର ମାଲିକ କହି ଦାଖଲ କରିଥିବା ଭୋଟ ପରିଚୟପତ୍ରଟି ଜାଲ ବୋଲି ତଦନ୍ତ ସମୟରେ ଜଣାପଡିଛି । ମାର ମାର ଭଣ୍ଡାରିଆକୁ ମାର ନ୍ୟାୟରେ ଏହି ଜାଲିଆତିରେ କ୍ରେତା, ବିକ୍ରେତା ଓ ସାକ୍ଷୀଙ୍କ ବିରୋଧରେ ଅଭିଯୋଗ କରାଯାଇଛି । ତେବେ ଉଚିତ୍ କାଗଜପତ୍ର ତନଖି କରି ପ୍ରକୃତ ଜମି ବିକ୍ରେତା ଓ କ୍ରେତାଙ୍କୁ ଚିହ୍ନଟ କରିବାର ଦାୟିତ୍ୱ ଗ୍ରହଣ କରିଥିବା ଉପନିବନ୍ଧକ କାର୍ଯ୍ୟାଳୟ ବିରୋଧରେ ଅଭିଯୋଗ କରା ନ ଯିବା ଘଟଣାକୁ ତିହିଡି ଉପନିବନ୍ଧକ କାର୍ଯ୍ୟାଳୟର କେତେକ ମୋହରିରଙ୍କ ସମେତ ବୁଦ୍ଧିଜୀବୀ ନାରାୟଣ ଚନ୍ଦ୍ର ବାରିକ କଟୁ ସମାଲୋଚନା କରିଛନ୍ତି । କିଛି ଦଲାଲଙ୍କୁ ହାତବାରିସି କରି ଜାଲିଆତିକୁ ପ୍ରଶୟ ଦିଆଯାଉଛି ବୋଲି ସେମାନେ କହିଛନ୍ତି । ଏ ସଂପର୍କରେ ପ୍ରତିକ୍ରିୟା ଜାଣିବା ପାଇଁ ଅତିରିକ୍ତ ତହସିଲଦାର ଶ୍ରୀ କରଙ୍କ ସହ ଯୋଗାଯୋଗ କରାଯାଇଥିଲା । ସେ ଗତ ବର୍ଷ ଜୁଲାଇ ୨ରେ ଉପନିବନ୍ଧକଭାବେ ଅତିରିକ୍ତ କାର୍ଯ୍ୟଭାର ଗ୍ରହଣ କରିଥିଲେ । କାର୍ଯ୍ୟାଳୟରେ କିଛି ଦିନ ଧରି କେହି ଉପନିବନ୍ଧକ ନ ଥିବାରୁ ବହୁ ଦଲିଲ ପଡିରହିଥିଲା । ଅନ୍ୟ ଦଲିଲ ସହ ଏହି ଦଲିଲ ତାଙ୍କୁ ଦିଆଯାଇଥିବା ବେଳେ ସେ ରେଜିଷ୍ଟରିଂ ଅଧିକାରୀଭାବେ ଦସ୍ତଖତ କରିଦେଇଥିଲେ ବୋଲି କହିଛନ୍ତି । ସୂଚନା ଯୋଗ୍ୟ, ତିହିଡି ଥାନା ଅଧୀନ କାଁପଡା ଗ୍ରାମର ରଙ୍ଗାଧର ମଳିକଙ୍କର ଏକ ଏକର ୩ ଡିସିମିଲ ଜମି ପ୍ରାୟ ବର୍ଷକ ତଳେ ତାଙ୍କ ଅଗୋଚରରେ ତିହିଡି ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ବିକି୍ର ହୋଇ ସାରିଛି । ରଙ୍ଗାଧର ଏ ସଂପର୍କରେ ଜାଣିବା ପରେ ଏଡିଏମଙ୍କୁ ଲିଖିତ ଭାବେ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *