ଭଦ୍ରକ, ୧୦ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ମାସେ ନୁହେଁ କି ଦୁଇମାସ ନୁହେଁ; ବର୍ଷ ବର୍ଷ ଧରି ପଢୁଆଁ ମୋହନପୁର ମାଛଧରା ଜେଟିର ଅବସ୍ଥା ଶୋଚନୀୟ ହୋଇପଡିଛି। ବୋଟ ଲାଗୁଥିବା ଜେଟି ମୁହାଣର ପ୍ଲାଟଫର୍ମ ଭାଙ୍ଗିରୁଜି ଗଳି ଡିଥିବା ବେଳେ ନୂଆକରି ତିଆରି ହୋଇଥିବା ମାଛ ପ୍ୟାକିଂ ବେସ ବି କାମରେ ଲାଗୁନି। ଜେଟି ମୁହାଣରେ ବୋଟ ଭିଡିବା ପାଇଁ ଆବଶ୍ୟକ ସ୍ଥାନର ମଧ୍ୟ ଅଭାବ ଦେଖାଦେଇଛି। ଦୀର୍ଘବର୍ଷ ଧରି ଜେଟିରେ ମତ୍ସ୍ୟଜୀବୀ ଏହି ସମସ୍ୟାରେ ଘାଣ୍ଟି ହେଉଥିବା ବେଳେ ମତ୍ସ୍ୟ ବିଭାଗ(ସାମୁଦ୍ରିକ)ର ନଜର ନ ପଡିବା ଫଳରେ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ଜିଲାର ବାସୁଦେବପୁର ବ୍ଲକର ପଢୁଆଁ ପଞ୍ଚାୟତ ଶେଷ ସୀମାରେ ଅବସ୍ଥିତ ମୋହନପୁର ଜେଟି; ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ସହିତ ବାନ୍ଧି ହୋଇ ରହିଛି। ସରକାରୀ ଭାବେ ପ୍ରାୟ ଦଶଟି ମାଛଧରା ବୋଟ ଜେଟିରେ ଲାଗନ୍ତି। ବେସରକାରୀ ଭାବେ ଏହି ସଂଖ୍ୟା ଅଧିକ ହେବ ବୋଲି ମତ୍ସ୍ୟଜୀବୀ କହୁଛନ୍ତି। ବ୍ୟତିକ୍ରମ ଏହିକି; ବୋଟ ଲାଗୁଥିବା ଜେଟିର ପ୍ଲାଟଫର୍ମ ଦୀର୍ଘଦିନ ଧରି ଭାଙ୍ଗି ଡିଛି। ଜେଟିକୁ ଫେରୁଥିବା ବୋଟ କର୍ମଚାରୀ ମାଛ ଓ ଜାଲ କାଢିବା ଠାରୁ ଆରମ୍ଭକରି ସାମଗ୍ରୀ ନେବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତା’ସହିତ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ମତ୍ସ୍ୟଜୀବୀଙ୍କ ପାଇଁ ତିଆରି ହୋଇଥିବା ପ୍ୟାକିଂ ବେସ କାମରେ ଲାଗିପାରୁନି। ବେସରେ ପାଣିର ବ୍ୟବସ୍ଥା ବିପର୍ଯ୍ୟସ୍ତ। ପାଇପ ଲାଗିଛି; ହେଲେ ପାଣି ଆସୁନି। ମତ୍ସ୍ୟଜୀବୀଙ୍କ କାମରେ ଲାଗିବା ପୂର୍ବରୁ ଏହି ବେସ୍ କାନ୍ଥରେ କେତେକ ସ୍ଥାନରେ ପ୍ଲାଷ୍ଟର ଝଡିବା ଆରମ୍ଭ କଲାଣି। ନାନାବିଧ ସମସ୍ୟାରେ ଘାଣ୍ଟିି ହେଉଥିବା ମତ୍ସ୍ୟଜୀବୀ ଜେଟିରେ ବୋଟ ଲଗାଇବାକୁ ନାପସନ୍ଦ କରୁଛନ୍ତି। ଯେଉଁ ବୋଟ ଜେଟିରେ ଲାଗୁଛି; ଟିକସ ଦେଉଥିଲେ ବି ଆବଶ୍ୟକ ସେବା ମିଳୁ ନ ଥିବା କହୁଛନ୍ତି। ଯେଉଁମାନେ ଟିକସ ଆଦାୟ କରୁଛନ୍ତି; ସରକାରୀ ଧାର୍ଯ୍ୟଠାରୁ ଅଧିକ ଅର୍ଥ ମତ୍ସ୍ୟଜୀବୀଙ୍କ ଠାରୁ ଆଦାୟ କରୁଥିବା ଅଭିଯୋଗ ହେଉଛି। ଜେଟି ସମସ୍ୟା ନେଇ ବାସୁଦେବପୁର ମତ୍ସ୍ୟ ବିଭାଗ(ସାମୁଦ୍ରିକ)ସହକାରୀ ମତ୍ସ୍ୟ ଅଧିକାରୀ କୁହନ୍ତି; ପଢୁଆଁ ଜେଟି ଫିସପେଡ ଅଧୀନରେ ରହିଛି, ଆମେ କ’ଣ କରିପାରିବୁ। ଫିସ୍ପେଡର ଏହା ଏକ ସିଭିଲ୍ କାମ। ଏ ସଂପର୍କରେ ସିଭିଲ ବିଭାଗକୁ ଅବଗତ କରାଯିବ ବୋଲି ଫିସପେଡ୍ ଏମଡି ସୁବଳଚନ୍ଦ୍ର ମହାନ୍ତି କହିଛନ୍ତି। ସରକାରଙ୍କ ମତ୍ସ୍ୟ ବିଭାଗର କେବେ ପଢୁଆଁ ମୋହନପୁର ଜେଟି ଉପରେ ନଜର ପଡୁଛି ତାହା ଆଗାମୀ ଦିନରେ ଜଣାପଡିବ।
