ଭଦ୍ରକ : ମତ୍ସ୍ୟଜୀବୀ ସୁରକ୍ଷା ବିମା ଯୋଜନା, ବିଳମ୍ବତାକୁ ନେଇ ବଢୁଛି ଅସନ୍ତୋଷ

ଭଦ୍ରକ,୧୪/୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ବିମାଭୁକ୍ତ ହେବେ ମତ୍ସ୍ୟଜୀବୀ। ଜଳପଥରେ ହେଉ ଅବା ସ୍ଥଳପଥରେ ଆକଷ୍ମିକ ମୃତ୍ୟୁଘଟିଲେ ବିମା ଯୋଜନାରେ ଦୁଇ ଲକ୍ଷ ଟଙ୍କା ସହାୟତା ମିଳିବ। ସେଥିପାଇଁ ସରକାରଙ୍କ ମତ୍ସ୍ୟ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ମତ୍ସ୍ୟଜୀବୀ ସୁରକ୍ଷା ବିମା ଯୋଜନା କାର୍ଯ୍ୟକାରୀ କରାଯାଇଛି। ସବୁ ମତ୍ସ୍ୟଜୀବୀ ଏହି ବିମା ଯୋଜନାରେ ସାମିଲ ହେବେ। ହେଲେ ବ୍ୟତିକ୍ରମ ଏହିକି; ଏହି ଯୋଜନା ଆରମ୍ଭ ହେବାର ତିନି ମାସ ଛୁଇଁଲାଣି, ଆଜିଯାଏ ବ୍ଲକର ସବୁ ପଞ୍ଚାୟତରେ ପହଞ୍ଚିପାରିନି। ଏହି ବିଳମ୍ବତାକୁ ନେଇ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ବୋଟ ନବୀକରଣ ପାଇଁ ବିମା ଯୋଜନା ସାମାନ୍ୟ ବିଳମ୍ବ ଘଟିଛି। ତଥାପି ସାତଶହ ଲୋକଙ୍କ ବିମାଭୁକ୍ତ କରାଯାଇଥିବା ବାସୁଦେବପୁର ସହକାରୀ ମତ୍ସ୍ୟ ଅଧିକାରୀ(ସାମୁଦ୍ରିକ) କହିଛନ୍ତି। ବାସୁଦେବପୁର ବ୍ଲକଟି ସମୁଦ୍ରର ଅତି ନିକଟରେ ଅବସ୍ଥିତ। ବ୍ଲକର ରହିଛି ଚୂଡାମଣି, କଶିଆ ଓ ଅଢୁଆଁ ମାଛଧରା ଜେଠି। ଶହଶହ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଉଥିବା ବେଳେ ମାଛ ଉପରେ ପରୋକ୍ଷ୍ୟ ଓ ପ୍ରତ୍ୟେକ୍ଷଭାବେ ନିର୍ଭର କରି ଚଳୁଥିବା ମତ୍ସ୍ୟଜୀବୀଙ୍କ ସଂଖ୍ୟା ମଧ୍ୟ କମ୍ ନୁହେଁ। ମାଛଧରା ସମୟରେ ହେଉ ଅବା କୁଳରେ ମତ୍ସ୍ୟଜୀବୀମାନେ ବିପଦକୁ ବହୁ ସମୟରେ ସାମ୍ନା କରିଥାନ୍ତି। ତେଣୁ ସରକାରଙ୍କ ପକ୍ଷରୁ ମତ୍ସ୍ୟଜୀବୀଙ୍କ ଆକଷ୍ମିକ ମୃତ୍ୟୁପାଇଁ ପ୍ରଥମେ ଜିଏଆଇଏସ ବିମା ଯୋଜନା କାର୍ଯ୍ୟାକାରୀ ହୋଇଥିଲା। ଏବେ ନୂତନଭାବେ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ମତ୍ସ୍ୟଜୀବୀ ସୁରକ୍ଷା ବିମା ଯୋଜନା। ଏହି ଯୋଜନା ଚଳିତବର୍ଷ ଜୁନ ପହିଲାରୁ ଆରମ୍ଭ ହୋଇଥିଲା। ସବୁ ମତ୍ସ୍ୟଜୀବୀଙ୍କୁ ଏହି ବିମାରେ ସାମିଲ କରାଯିବ। ମତ୍ସ୍ୟଜୀବୀ ନିଜର ସମସ୍ତ ତଥ୍ୟ ଦେଇ ବିମାଭୁକ୍ତ ହେବା ସହିତ ଆଧାରକାର୍ଡ ଓ ବ୍ୟାଙ୍କ ଜମାବହିର ନମ୍ବରଦେବାକୁ ନିୟମ ରହିଛି। ବ୍ଲକ ସାମୁଦ୍ରିକ ମତ୍ସ୍ୟ ବିଭାଗ (ସାମୁଦ୍ରିକ) ମତ୍ସ୍ୟଜୀବୀଙ୍କ ତଥ୍ୟ ସଂଗ୍ରହକରି ବିମାଭୁକ୍ତ କରିବ। ହେଲେ ଏହି ଯୋଜନା କାର୍ଯ୍ୟକାରୀ ହେବାର ତିନିମାସ ଛୁଇଁଲାଣି ଆଜିଯାଏ ବାସୁଦେବପୁର ବ୍ଲକର ଏହି ଯୋଜନା ସବୁ ମତ୍ସ୍ୟଜୀବୀଙ୍କ ପାଖରେ ପହଞ୍ଚି ପାରିନି। କାର୍ଯ୍ୟଳୟର ମାତ୍ର ଛଅ କିମି ଦୂରତାରେ ଥିବା ଚୂଡାମଣି ଅଞ୍ଚଳର ମତ୍ସ୍ୟଜୀବୀଙ୍କ ପାଖରେ ଏହି ଯୋଜନା ଅପହଞ୍ଚ ହୋଇଛି। ତିନିମାସ ହେଲା କାର୍ଯ୍ୟକାରୀ ହୋଇଥିବା ସରକାରଙ୍କ ଏହି ସୁରକ୍ଷା ଯୋଜନା ପହଞ୍ଚି ନ ଥିବାରୁ ଚୂଡାମଣି ଟ୍ରଲର ମାଲିକ ସଂଘ ଅସନ୍ତୋଷ ବ୍ୟକ୍ତ କରିଛି। ସଂଘର ସଭାପତି ଶଶିକାନ୍ତ ନାୟକ କହନ୍ତି, ଆମକୁ ଦୁଇମାସ ତଳେ ବିଭାଗୀୟ ଅଧିକାରୀ କହୁଥିଲେ ବିମା ଯୋଜନା ଆସିଛି। ଆଜିଯାଏ ଆମ ଅଞ୍ଚଳରେ କାହାରି ବିମା କରାଯାଇନି ବୋଲି କହିଛନ୍ତି। ବାସୁଦେବପୁର ସାମୁଦ୍ରିକ ମତ୍ସ୍ୟ କାର୍ଯ୍ୟାଳୟର ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ପ୍ରଫୁଲକୁମାର ମଲିକ କହିଛନ୍ତି; ଆମର ପଦ୍ମପୁର, କଶିଆ, ଲୁଙ୍ଗା ଆଦି ଅଞ୍ଚଳର ସାତଶହରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀଙ୍କ ବିମାଭୁକ୍ତ ହୋଇସାରିଛି। ବାକି ରହିଥିବା ମତ୍ସ୍ୟଜୀବୀଙ୍କୁ ତୁରନ୍ତ ବିମାଭୁକ୍ତ କରାଯିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *