ଜିଲ୍ଲା ପରିକ୍ରମା

ଭଦ୍ରକ : ଭରା ନଈରେ ଅସୁରକ୍ଷିତ ଜଳଯାତ୍ରା, କେବେ ଚେତିବ ପ୍ରଶାସନ? ଯାତ୍ରୀଙ୍କ ପାଇଁ ଭଙ୍ଗା ଯନ୍ତ୍ରଚାଳିତ ଡଙ୍ଗା ଭରସା, ୨ଖଣ୍ଡ ବାଉଁଶ, ଖଣ୍ଡେ ଦଉଡି

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭରା ନଈରେ ଯାତ୍ରୀଙ୍କ ପରିବହନ ଲାଗି ଡଙ୍ଗା ଅଛି, ନାଉରିଆ ମଧ୍ୟ ଅଛି। ହେଲେ ଯାତ୍ରୀଙ୍କ ସୁରକ୍ଷା ପାଇଁ ନା ଅଛି ଲାଇଫ ଜାକେଟ ନା ଅଛନ୍ତି ସ୍ୱୀକୃତ୍ରିପାପ୍ତ ଚାଳକ। କେଉଁଠି ଭଙ୍ଗା ଯନ୍ତ୍ରଚାଳିତ ଡଙ୍ଗାରେ ଯାତ୍ରୀ ପରିବହନ ଚାଲିଛି ତ ଆଉ କେଉଁଠି ଡଙ୍ଗାକୁ ସାହାରା ଦେବା ପାଇଁ ୨ ଖଣ୍ଡ ବାଉଁଶ ଓ ଖଣ୍ଡେ ଦଉଡି ସାହାଯ୍ୟରେ ଚାଲିଛି ଯାତ୍ରୀ ପରିବହନ। ଏପରିକି ଅନେକ ସମୟରେ ଯାତ୍ରୀଙ୍କୁ ଧରି ଡଙ୍ଗା ଗୋଟିଏ ଘାଟ ଛାଡି ଅନ୍ୟ ଘାଟ କୂଳରେ ପହଞ୍ଚାଇବା ପୂର୍ବରୁ ଘଟିଥାଏ ଦୁର୍ଘଟଣା। କେତେବେଳେ ଡଙ୍ଗାରେ ଲାଗିଥିବା ମଟର ମଝି ନଈରେ ଅକାମୀ ହୋଇପଡେ ତ ଆଉ କେତେବେଳେ ଭାରସାମ୍ୟ ହରାଇ ନଦୀ ଗର୍ଭକୁ ଓଲଟି ପଡେ ଡଙ୍ଗା। ଯାହାଫଳରେ ଭରା ନଈରେ ଭାସି ଯାଆନ୍ତି ଯାତ୍ରୀ। ଏପରି ଘଟଣା ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ବୈତରଣୀ, ସାଳନ୍ଦୀ ଓ ମନ୍ତେଈ ନଦୀରେ ବାରମ୍ବାର ଘଟୁଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନନେବା ସାଧାରଣରେ ନାନା ପ୍ରଶ୍ନ ଉଙ୍କି ମାରିଛି। ନିକଟରେ ଚିଳିକା ଡଙ୍ଗାବୁଡି ଘଟଣା ଘଟିଥିଲେ ବି ଏହି ଅଞ୍ଚଳରେ ଅସୁରକ୍ଷିତ ଜଳଯାତ୍ରା ପ୍ରତି ପ୍ରଶାସନର ଚେତା ପଶୁନି। ରାଜ୍ୟର ପୁରାତନ ବନ୍ଦର ତଥା ଭଦ୍ରକ ଜିଲାର ଜଳଦେଶ ଭାବେ ପରିଚିତ ଚାନ୍ଦବାଲି ସଦର ମହକୁମା ଅଧୀନରେ ଥିବା ଅନେକ ଗାଁ ଏବେବି ବିଛିନ୍ନାଞ୍ଚଳ ଭାବେ ରହିଛି। ଗାଁ ଗାଁକୁ ସଂଯୋଗୀକରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନଦୀଗୁଡିକରେ ସେତୁ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଉଛି। ହେଲେ ଏପରି ଯୋଜନା ଏହି ଅଞ୍ଚଳରେ ପହଞ୍ଚି ପାରିନାହିଁ। ଯାହାକିଛି ସେତୁ ନିର୍ମାଣ ପାଇଁ ଅନୁଦାନ ମିଳିଛି, ତାହା ପର୍ଯ୍ୟାପ୍ତ ନଥିବାରୁ ସେତୁ ନିର୍ମାଣରେ ବାଧକ ସାଜିଛି। ବିଶେଷକରି ପ୍ରସିଦ୍ଧ ଶୈବପୀଠ ଆରଡିଧାମ ସମେତ ଧାମରା ବନ୍ଦରକୁ ଜିଲା ସଦର ମହକୁମାରୁ ସ୍ଥଳପଥ ରହିଥିବାବେଳେ ବ୍ଲକ ଓ ତହସିଲ ପାଇଁ ଜଳପଥ ଏକମାତ୍ର ଭରସା। ଫଳରେ ବ୍ଲକ ଓ ତହସିଲି ଅଧୀନ ଦେଇ ପ୍ରତିଦିନ ଯାତତାୟତ କରୁଥିବା ପ୍ରାୟ ୭୦ପ୍ରତିଶତ ପର୍ଯ୍ୟଟକ ପ୍ରସିଦ୍ଧ ଶୈବକ୍ଷେତ୍ର, ଧାମରା ବନ୍ଦର ଓ ପଡୋଶୀ ଜିଲାକୁ ବୈତରଣୀର ମୁଆଁ ଘାଟ, ସାଳନ୍ଦୀ ନଦୀର ତିନିତର, ଧାନଖଣିଆ ଓ ମନ୍ତେଇ ନଦୀର ଚୌଧୁରୀ ଘାଟରେ ଜଳଯାତ୍ରା କରିଥାନ୍ତି। ଏଥିସହ ସ୍ଥାନୀୟ ଅଞ୍ଚଳର ପ୍ରାୟ ୧୨ରୁ ୧୪ ପଞ୍ଚାୟତର ଲୋକେ ବ୍ଲକ ଓ ତହସିଲ କାର୍ଯ୍ୟାଳୟକୁ ବିଭିନ୍ନ କାମ ପାଇଁ ନଦୀ ପାରି ହୋଇ ଆସିଥାନ୍ତି। ହେଲେ ନଦୀଘାଟ ନିଲାମ ନେଇ ଚଳାଉଥିବା ମାଲିକମାନେ ଆବଶ୍ୟକ ଅନୁଯାୟୀ ମଟରଚାଳିତ ଡଙ୍ଗା ଚଲାଉ ନଥିବା ବେଳେ ଗୋଟିଏ ଡଙ୍ଗାରେ ଆବଶ୍ୟକତାରୁ ଅଧିକ ଯାତ୍ରୀଙ୍କ ସହ ୨ ଚକିଆ ଯାନ ପାରି କରୁଛନ୍ତି। ଏଥିସହ ଡଙ୍ଗାରେ ଲୋକ ଦେଖାଣିଆ ଭାବେ ଗୋଟିଏ ଲାଇଫ ଜାକେଟ ଥିବାବେଳେ ପୁରୁଣା ଓ ଅକାମୀ ଯନ୍ତ୍ରଚାଳିତ ଡଙ୍ଗା ନିୟୋଜିତ ହୋଇଥାଏ ବୋଲି ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ଏପରିକି ଚାଳକଙ୍କ ବେପରୁଆ ମନଭାବ ଯୋଗୁଁ ଅନେକ ସମୟରେ ଛୋଟବଡ ଦୁର୍ଘଟଣା ମଧ୍ୟ ଘଟୁଥିଲେ ମଧ୍ୟ କାହାରୀ ନଜର ପଡୁ ନଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଏହି ଅଞ୍ଚଳ ସମୁଦ୍ର ମୁହାଣର ନିକଟବର୍ତ୍ତୀ ହୋଇଥିବାରୁ ବୈତରଣୀ, ସାଳନ୍ଦୀ ଓ ମନ୍ତେଈ ନଦୀରେ ଜୁଆର ପ୍ରଭାବ ରହିଥାଏ। ତାହାସହ ଏହି ନଦୀଗୁଡିକରେ ହିଂସ୍ର କୁମ୍ଭୀର ମଧ୍ୟ ଯାତାୟତ କରିଥାନ୍ତି। ଏପରି ସ୍ଥଳେ ନିଲାମଧାରୀ ଡଙ୍ଗା ମାଲିକଙ୍କ ସହ ନଦୀ ପାରି ହୋଇ ପ୍ରତିଦିନ ଆସୁଥିବା ଅଗଣିତ ଯାତ୍ରୀଙ୍କ ସଚେତନତା ପାଇଁ ଏପର୍ଯ୍ୟନ୍ତ ସ୍ଥାୟୀ ପଦକ୍ଷପ ନିଆଯାଇ ପାରିନାହିଁ। ଏବେ ମୌସୁମୀ ପ୍ରଭାବରେ ଝଡବର୍ଷା ଲାଗି ରହିଥିବାରୁ ନଈଗୁଡିକ ଫୁଲି ରହିଛି। ତାହାସହ ଅନେକ ସମୟରେ ମଧ୍ୟ ପବନ ବେଗ ମଧ୍ୟ ବଢୁଛି। ହେଲେ ପ୍ରତିଦିନ ନଦୀ ଘାଟରେ ଅସୁରିକ୍ଷିତ ଭାବେ ଚାଲିଛି ଯାତ୍ରୀ ପରିବହନ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top