ଭଦ୍ରକ : ବୋଡକ ପଞ୍ଚାୟତ ସରପଞ୍ଚ ନିର୍ବାଚନ ମାମଲା ବାଲଟ ବାକ୍ସ କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ତିହିଡି ବ୍ଲକ ଅଧୀନ ବୋଡକ ପଞ୍ଚାୟତ ସରପଞ୍ଚ ନିର୍ବାଚନରେ ପରାଜିତ ପ୍ରାର୍ଥୀ ପ୍ରମୋଦ କୁମାର ଦାସ ଭୋଟ ପୁନଃ ଗଣିତ ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲା କୋର୍ଟରେ ବିଚାରାଧୀନ ରହିଛି। ସଂପ୍ରତି କୋର୍ଟ ଚାହିଁବାରୁ ଆବଶ୍ୟକ ନିର୍ବାଚନ କାଗଜପତ୍ର ଦାଖଲ କରିବାକୁ ଜିଲାପାଳ ତିହିଡି ବିଡିଓଙ୍କୁ ଚିଠିରେ ଅନୁମତି ପ୍ରଦାନ କରିଛନ୍ତି। ଚିଠି ସଂଖ୍ୟା ୧୭୭/୧୨.୪.୧୮ ଅନୁଯାୟୀ ବ୍ଲକରେ ଥିବା ୨୦୧୭ ପଞ୍ଚାୟତ ନିର୍ବାଚନର ବାଲଟ ଥିବା ଷ୍ଟ୍ରଙ୍ଗରୁମ ଖୋଲି ଏହାକୁ ଭଦ୍ରକ ସିଭିଲ କୋର୍ଟ(ଜୁନିୟର) ଡିଭିଜନରେ ଦେବାକୁ କୁହାଯାଇଛି। ସୂଚନା ଯୋଗ୍ୟ, ବୋଡକ ପଞ୍ଚାୟତରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ଉଭୟ ପ୍ରାର୍ଥୀଙ୍କ ଭୋଟ ସଂଖ୍ୟା ସମାନ ବୋଲି ଦର୍ଶାଇ ଲଟେରୀ କରାଯାଇଥିଲା। ଏଥିରେ ଶଶଧର ସାମଲ ସରପଞ୍ଚ ବୋଲି ବିଜୟୀ ଓ ପ୍ରମୋଦ ଦାସ ପରାଜିତ ହୋଇଥିବା କର୍ତ୍ତୃପକ୍ଷ ଘୋଷଣା କରିଥିଲେ। ଏହି ଘୋଷଣା ପରେ ତିହିଡି ବ୍ଳକ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।

Leave a Reply

Your email address will not be published. Required fields are marked *