ଭଦ୍ରକ : ବୈତରଣୀରେ ବାଳକର ସଲିଳ ସମାଧି

ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବନ୍ଦାଳୋ-ମଢିଆଳି ପଞ୍ଚାୟତ ବୈତରଣୀ ନଦୀ ଖପୁରିଆପଦା ଘାଟରେ ଜଣେ ୧୨ ବର୍ଷର ବାଳକ ଶନିବାର ସକାଳେ ଗାଧୋଇବା ବେଳେ ଗଭୀର ଜଳରେ ବୁଡିଯାଇ ମୃତ୍ୟୁବରଣ କରିଥିବା ଜଣାଯାଇଛି। ଘାଟର ଅପରପାର୍ଶ୍ୱ ଯାଜପୁର ଜିଲା କୋରୋଇ ଥାନା ବନ୍ଦାଳୋ ପଞ୍ଚାୟତ ଘନଶ୍ୟାମପୁର ଶାସନର ଶତ୍ରୁଘନ ପତିଙ୍କ ପତ୍ନୀ ମଞ୍ଜୁଲତା ଓ ତାଙ୍କ ପୁଅ ମନୀଷ ଓରଫ ସୋନୁ ସକାଳ ୮ଟାରେ ନଦୀକୁ ଗାଧୋଇବାକୁ ଆସିଥିଲେ। ପୁଅ ଅସାବଧାନତା ବଶତଃ ଗଭୀର ଜଳକୁ ଖସିଯାଉଥିବା ଦେଖି ମା’ ମଞ୍ଜୁ ମଧ୍ୟ ପୁଅ ସହ ଗଭୀର ଜଳକୁ ଯାଇଥିଲେ। ହେଲେ ମାଆ ନିଜ ପୁଅକୁ ରକ୍ଷା କରିବାରେ ବିଫଳ ହୋଇଥିଲେ। ମା’ର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଓ ବିଜୁ ଯୁବ ବାହିନୀର ସଦସ୍ୟମାନେ ମା’ଙ୍କୁ ଉଦ୍ଧାର କରିବା ସହ କୋରେଇ ଓ ଭଣ୍ଡାରିପୋଖରୀ ଦମକଳ ବାହିନୀକୁ ଖବର ଦେଇଥିଲେ। ଦୀର୍ଘ ୩ ଘଣ୍ଟାର ପରିଶ୍ରମ ପରେ ଦମକଳ ବାହିନୀ ମୋନୁକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଶିଶୁକୁ କୋରେଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଫଳରେ ମୃତଦେହକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ନିଆଯାଇଥିଲା। ଏନେଇ ଯାଜପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ମୃତ ଶିଶୁର ଜେଜେମା’ଙ୍କର ନିକଟରେ ମୃତ୍ୟୁ ଘଟିଥିଲା। ତାଙ୍କ ଏକାଦଶାହ ନପୂରୁଣୁ ନାତିର ମୃତ୍ୟୁରେ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *