ଭଦ୍ରକ : ବେଆଇନ ଗୋରୁ ଚାଲାଣକୁ କେନ୍ଦ୍ର କରି ଉତ୍ତେଜନା, ରାସ୍ତାରୋକ

ଭଦ୍ରକ, ୬ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏକ ଟାଟା ମାକ୍ସିମା ଗାଡିରେ ୬ଟି ଗୋରୁ ଚାଲାଣ ହେଉଥିବା ଘଟଣାକୁ କେନ୍ଦ୍ର କରି ଭଦ୍ରକ-ଚାନ୍ଦବାଲି ରାସ୍ତାର ଫତେପୁର ନିକଟରେ ଉତ୍ତେଜନା ପ୍ରକାଶ ପାଇବା ସହ ଅଧଘଣ୍ଟାଏ ଧରି ରାସ୍ତାରୋକ କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ; ଏକ ଟାଟା ମାକ୍ସମା ଗାଡିରେ ଅତି ଦୟନୀୟ ଭାବେ ୬ଟି ଗୋରୁଙ୍କୁ ଲଦି ଅଣାଯାଉଥିଲା। କେତେକ ଗୋରୁ ଉପରେ କେତେକ ଗୋରୁ ଲଦା ହୋଇଥିବା ଦେଖିବାକୁ ମିଳିଥିଲା। ଏହାକୁ କେତେକ ବ୍ୟକ୍ତି ବିରୋଧ କରିବା ସହ ଗାଡିକୁ ଅଟକାଇଥିଲେ। ଏପରିକି ଗୋରୁ ଗୁଡିକ ସେମାନେ ଖୋଲିଦେଇଥିଲେ। ଏ ସଂପର୍କରେ ମଧ୍ୟ ତିହିଡି ଥାନାକୁ ଖବର ଦିଆଯାଇଥିଲା। ତେବେ ପୁଲିସ ପ୍ରଥମେ ଘଟଣା ସ୍ଥଳକୁ ଆସି ନ ଥିବା ବେଳେ ରାସ୍ତାରୋକ ହେବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା। ଲୋକଙ୍କୁ ବୁଝାସୁଝା କରି ରାସ୍ତାରୋକ ପ୍ରତ୍ୟାହାର କରିବା ସହ ଗାଡିଟିକୁ ମଧ୍ୟ ଛାଡିଦେଇଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଅପରପକ୍ଷରେ ଗାଡିରେ ଥିବା ବ୍ୟକ୍ତିଙ୍କ ଉପରେ ଆକ୍ରମଣ ହୋଇଛି ଓ ସେମାନଙ୍କ ଟଙ୍କା ଲୁଟ ହୋଇଛି ବୋଲି ଏକ ଲିଖିତ ଅଭିଯୋଗ ହୋଇଛି। ସେମାନଙ୍କର ୩ଟି ମୋବାଇଲ ଫୋନ ମଧ୍ୟ ଭାଙ୍ଗି ଦିଆଯାଇଛି ବୋଲି ଅଭିଯୋଗ କରାଯାଇଛି।

Leave a Reply

Your email address will not be published. Required fields are marked *