ଭଦ୍ରକ : ବିଭାଗୀୟ ମନ୍ତ୍ରୀଙ୍କ ଜିଲାରେ ଫେଲ ମାରିଛି ଆସିଡିଏସ କାର୍ଯ୍ୟକ୍ରମ

ଭଦ୍ରକ, ୧୭ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ରାଜ୍ୟରେ ମହିଳା ଓ ଶିଶୁ ମୃତ୍ୟୁହାର ରୋକିବା, ଶିଶୁଙ୍କୁ ଅପପୁଷ୍ଟିରୁ ରକ୍ଷା କରିବା ଓ ଜନନୀ ସୁରକ୍ଷା ଆଦି କାର୍ଯ୍ୟର ସୁରିଚାଳନା ପାଇଁ ୯୦ ଦଶକରେ ପ୍ରତ୍ୟେକ ବ୍ଲକରେ ସମନ୍ୱିତ ମହିଳା ଓ ଶିଶୁ ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ହେଲେ ଭିତ୍ତିଭୂମି ଅଭାବରୁ ଦୀର୍ଘବର୍ଷ ପରେ ବି ଯୋଜନାର ସଫଳ ରୂପାୟନ ହୋଇପାରିନାହିଁ। ଯାହା ରାଜ୍ୟ ସରକାରଙ୍କ ଏହି ବିଭାଗର ମନ୍ତ୍ରୀଙ୍କ ଜିଲା ଚାନ୍ଦବାଲି ବ୍ଲକର ଚାନ୍ଦବାଲି-୧ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟକୁ ଦେଖିଲେ ଜଣାପଡେ। ପୂର୍ବରୁ ଏହି ବ୍ଲକରେ ମୋଟ ୪ ଶହରୁ ଅଧିକ ଅଙ୍ଗନବାଡି କେନ୍ଦ୍ର ଥିଲା। ୨୦୧୨ ମସିହାରେ ବ୍ଲକରେ ୨ଟି ଆଇସିଡିଏସ୍ କାର୍ଯ୍ୟଳୟ ପାଇଁ ସରକାର ଅନୁମତି ଦେଲେ। ଚାନ୍ଦବାଲି-୧ ଓ ଚାନ୍ଦବାଲି-୨ ନାମରେ ୨ଟି କାର୍ଯ୍ୟାଳୟ ଏବେ କାର୍ଯ୍ୟକ୍ଷମ। ବ୍ଲକର ମୋଟ ୩୬ ପଞ୍ଚାୟତ ଓ ବିଜ୍ଞପିତ ଅଞ୍ଚଳକୁ ୨ ଭାଗରେ ବିଭକ୍ତ କରାଯାଇଛି। ଚାନ୍ଦବାଲି-୧ ଅଧୀନରେ ୨୦୨ଟି ଅଙ୍ଗନବାଡି କେନ୍ଦ୍ର ଥିବାବେଳେ ୧୮ଟି ମିନି କେନ୍ଦ୍ର ରହିଛି। ଗୁରୁତ୍ୱପୂଣ୍ଣ ର୍ କଥା ହେଲା, ଏହି ଆଇସିଡିଏସ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ପିଅନଠାରୁ ଆରମ୍ଭ କରି ବରିଷ୍ଠ କିରାଣି ପର୍ଯ୍ୟନ୍ତ ବହୁ ପଦବୀ ଖାଲି ପଡିଛି। ପରିସ୍ଥିତି ଏପରି ହୋଇଛି ଯେ କାର୍ଯ୍ୟାଳୟକୁ ସଫା କରିବା ପାଇଁ କେହି ନାହାନ୍ତି। ଅଙ୍ଗନବାଡି କେନ୍ଦ୍ରଗୁଡିକୁ କ୍ଷେତ୍ରୀୟ ପରିଦର୍ଶନ ପାଇଁ ଗାଡିଟିଏ ବି ନାହିଁ। ନୟାଗଡ ଦୁର୍ଘଟଣା ପରେ ସାରା ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ରଗୁଡିକର ନିଜସ୍ୱ ଗୃହ ପାଇଁ ସରକାର ଘୋଷଣା କରିଥିଲେ। ହେଲେ ଘୋଷଣାର ଦୀର୍ଘଦିନ ପରେ ବି ମୋଟ ୨୨୦ କେନ୍ଦ୍ର ମଧ୍ୟରୁ ୮୫ଟି ଗୃହ ସଂପୂର୍ଣ ହୋଇଛି। ଏବେ ବି ୧୩୫ଟି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ। ଦୀର୍ଘ ୩ ବର୍ଷ ପରେ ଏବେ ନିକଟରେ ଏହି କେନ୍ଦ୍ରର ସିଡିପିଓ ପଦବୀ ପୂରଣ ହୋଇଛି। ନୂଆକରି ୬ ଜଣ ସୁପରଭାଇଜର ଯୋଗ ଦେଇଛନ୍ତି। ଅଭିଯୋଗ ସମ୍ବନ୍ଧରେ ଭଦ୍ରକ ଉପଜିଲାପାଳ ସୁଚାରୁ କୁମାର ବଳଙ୍କୁ ପଚାରିବାରୁ ସେ ନୂଆକରି କାର୍ଯ୍ୟରେ ଯୋଗ ଦେଇଥିବା କହିଛନ୍ତି। ତେବେ ଚାନ୍ଦବାଲି ସିଡିପିଓ କାର୍ଯ୍ୟାଳୟରେ ବିଭିନ୍ନ ପଦବୀ ଖାଲି ପଡିଥିବା ଓ ଗାଡି ନଥିବା ସଂପର୍କରେ ତାଙ୍କୁ କେହି ଜଣାଇ ନାହାନ୍ତି। ଜଣାଇଲେ ସେ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *