ଭଦ୍ରକ : ବିବାହକୁ ମାତ୍ର ମାସେ ପୁରିଥିଲା, ଦାଦନ ଖଟିବାକୁ ଯାଇ ପ୍ରାଣ ଗଲା

ଭଦ୍ରକ, ୨୪ା୬ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଗୋଡରୁ ଛାଡିନି ବାହା ଅଳତା, କାନ୍ଥରୁ ଲିଭିନି ଝୋଟି। ବିବାହର ମାତ୍ର ମାସକ ପରେ ଟ୍ରେନ ଚକା ତଳେ ପ୍ରାଣ ଚାଲିଗଲା। ଦାଦନ ଖଟିବାକୁ ଯାଇଥିଲେ ଗୁଜୁରାଟ। ଟ୍ରେନ ଚକାତଳେ ପଡି ଘରର ଏକମାତ୍ର ରୋଜଗାରିଆ ପୁଅର ମୃତ୍ୟୁ ହେବା। ଏବେ ଶବ ପଡିଛି ଗୁଜୁରାଟରେ। ଶବ ଆଣିବା ପାଇଁ ପରିବାର ଲୋକଙ୍କ ପାଖରେ ଏବେ ଟଙ୍କା ନାହିଁ। ପ୍ରଶାସନ ଓ ସରକାରଙ୍କ ସହାୟତା ଲୋଡିଛନ୍ତି ଗରିବ ପରିବାର। ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଢୁଆଁ ଅଂଚଳର କମଳାକାନ୍ତ ବାଗୁଡେଇଙ୍କ ପୁତ୍ର ସମରେନ୍ଦ୍ର। ପରବାରର ଦୁଃଖ ଲାଘବ କରବା ପାଇଁ ଗୁଜୁରାଟ, ସୁରାଟର ଭିଲାଡରେ ଦାଦନ ଖଟିବା ପାଇଁ ଯାଇଥିଲେ। ପୂର୍ବରୁ ସେ ସେଠାରେ କାମ କରୁଥିଲା ବେଳେ ବାହାଘର ପାଇଁ ଅଢୁଆଁ ଆସିଥିଲେ। ବାହାଘରର ମାସକ ପରେ ପୁଣି ଭିଲାଡ ବାହାରିଥିଲେ। ତେବେ ଟ୍ରେନରେ ବସିଥିବା ବେଳେ ଆଖିକୁ ନିଦ ଲାଗି ଯାଇଥିଲା। ନିର୍ଦ୍ଧାରିତ ଭିଲାଡ ଷ୍ଟେସନ ଅତିକ୍ରମ କରି ଦମନରେ ଟ୍ରେନ ପହଞ୍ଚିବା ବେଳେ ନିଦ ଭାଙ୍ଗିଥିଲା ଓ ତରତର ହୋଇ ଟ୍ରେନର ଗତି କମ୍ ଥିବା ବେଳେ ଓହ୍ଲାଇ ପଡିଥିଲେ। ହେଲେ ଭାରସାମ୍ୟ ହରାଇ ତଳେ ପଡିଯିବା ପରେ ଅନ୍ୟ ଏକ ଟ୍ରେନ ଚକା ତଳେ ପଡିଯାଇଥିଲେ। ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘରେ ତାଙ୍କର ମାସକର ବିଧବା ପତ୍ନୀ ରହିଥିବା ବେଳେ ବୃଦ୍ଧ ବାପା ମା’ ପୁଅର ଦୁଃଖରେ ମ୍ରିୟମାଣ। ତେବେ ଏହି ସମୟରେ ପୁଅର ଶବ ଆଣିବା ପରିବାର ପାଇଁ ବଡ ସମସ୍ୟା ଭାବେ ଉଭା ହୋଇଛି। ଏନେଇ ସେଠାକାର ଓଡିଆ ଲୋକଙ୍କୁ ଯୋଗାଯୋଗ କରିବାରେ ସେମାନେ କହିଥିଲେ ଯେ, ଆମେ କିଛି ଅର୍ଥ ଦାନ କରି ଆମ୍ବୁଲାନ୍ସରେ ଶବ ପଠାଇ ଦେଇଛୁ। ସେଠାରେ ଅବଶିଷ୍ଟ ଟଙ୍କା ପରିବାର ଲୋକେ ପୈଠ କରିବେ। ରୋଜଗାରିଆ ପୁଅର ଶବକୁ ଅପେକ୍ଷା କରିଥିବା ପରିବାର ଲୋକଙ୍କ ପାଖରେ ଅର୍ଥ ସଙ୍କଟ ଥିବା ବେଳେ ପ୍ରଶାସନ ପକ୍ଷରୁ ସହାୟତା ଦେବା ପାଇଁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *