ଭଦ୍ରକ ; ବିପଦଶଙ୍କୁଳ ଚୂଡାମଣି ମାଛଧରା ଜେଟି – ମତ୍ସ୍ୟଜୀବୀଙ୍କ ମୃତୁ୍ୟକୁ ଅପେକ୍ଷା କରିଛନ୍ତି ସରକାର!

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ପୁରୁଣା ଚୂଡାମଣି ମାଛଧରା ଜେଟି ଏବେ ବି ଦଶଙ୍କୁଳ ଅବସ୍ଥାରେ । ପ୍ରତି ମୁହୂର୍ତ୍ତରେ ଏଠି ମତ୍ସ୍ୟଜୀବୀଙ୍କ ପାଇଁ ମୁଣ୍ଡଉପରେ ଖଣ୍ଡା ଝୁଲୁଛି । କେତେବେଳେ ଯେ ଛାତ ଭୁଷୁଡି କେତେ ମତ୍ସ୍ୟଜୀବୀଙ୍କ ପ୍ରାଣ ନେବ ତାହା କହି ହେବ ନାହିଁ । ତଥାପି ନିତିଦିନିଆ ବ୍ୟବସାୟ କରୁଥିବା ମତ୍ସ୍ୟଜୀବୀ ନ ଆସି ରହିପାରୁ ନାହାନ୍ତି । ମତ୍ସ୍ୟଜୀବୀଙ୍କ ପାଇଁ ସରକାରୀ ଯୋଜନା କାହିଁରେ କେତେ । ହେଲେ ଦୀର୍ଘ ୬ ବର୍ଷ ହେଲା ଏହି ଜେଟିର ପୁନରୁଦ୍ଧାର ଯୋଜନା ପଡିରହିଛି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ । ବଙ୍ଗୋପସାଗର କୂଳରେ ଚୂଡାମଣି ମାଛଧରା ଜେଟି ଏବେ ମତ୍ସ୍ୟଜୀବୀଙ୍କ ପାଇଁ ବିପଦର କାରଣ ହୋଇଛି । ମୃତୁ୍ୟ କେତେବେଳେ ବି ଆସିପାରେ; ସେକଥା ଜାଣି ମଧ୍ୟ ବିପଦକୁ ମୁଣ୍ଡାଇ ମତ୍ସ୍ୟଜୀବୀମାନେ ପ୍ରତିଦିନ ସକାଳେ ଏଠି ମୁଣ୍ଡ ଗୁଞ୍ଜିଥାନ୍ତି । ରାତି ପାହୁ କି ନପାହୁ, ଡଙ୍ଗା ମାଲିକ ହେଉ କି ମାଛ ବ୍ୟବସାୟୀ ଏହି ଘରେ ଥାଇ ଅନାଇଥାନ୍ତି ସମୁଦ୍ର ଭିତରୁ କେତେବେଳେ ଫେରିବ ଡଙ୍ଗା । ପ୍ରତିଦିନ ୨୦୦ରୁ ଅଧିକ ଲଞ୍ଚ, ଭୁଟୁଭୁଟି, ଟ୍ରଲରଗୁଡିକ ଏହି ଜେଟିକୁ ମାଛ ଆଣିଥାନ୍ତି । ଏହି ଭଙ୍ଗା ଘର ହିଁ ସେମାନଙ୍କ ଏକମାତ୍ର ଭରସା । ଯେଉଁଠି ମାଛ ସଫା କରିବା ସହିତ ପ୍ୟାକିଂ କରି ବାହାରକୁ ପଠାଯାଇଥାଏ । ଭୋର ୪ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ଏହି ମୁହାଣ ଜନ ସମୁଦ୍ରରେ ପରିଣତ ହୋଇଯାଇଥାଏ । ଅନେକ ସମୟରେ ମତ୍ସ୍ୟଜୀବୀଙ୍କ ମୁଣ୍ଡ ଉପରେ ସିମେଣ୍ଟ କଙ୍କି୍ରଟ ଖସି ବି ଆହତ ହୋଇଛନ୍ତି । ତଥାପି ନାଚାର । କାରଣ ଅନ୍ୟ କେଉଁ ସ୍ଥାନରେ ଡଙ୍ଗା ଲଗାଇ ପାରିବେ ନାହିଁ । ସତୁରି ଦଶକରେ ନିର୍ମାଣ ହୋଇଥିବା ଏହି ଜେଟି ୧୯୯୯ ମହାବାତ୍ୟା ପରେ କେବଳ ମାତ୍ର ମରାମତି ହୋଇଥଲା । ୨୦୦୨ରେ ମରାମତି ଶେଷ ହୋଇଥିଲା । ମରାମତି ଶେଷ ପରେ ଫିସଫେଡକୁ ହସ୍ତାନ୍ତର କରାଯାଇଥିଲା । ଫିସଫେଡଙ୍କର କୌଣସି ଅଧିକାରୀଙ୍କ ଦୃଷ୍ଟି ଏହି ଘର ଉପରେ ବୋଧହୁଏ ପଡି ନାହିଁ । ଛାତ ତଳର କଂକି୍ରଟ୍ ସବୁ ଛଡି ରଡ୍ ଦେଖାଗଲାଣି । ତେବେ  ଖାଲି ଆଖିରେ ଦେଖିଲେ ତ’ ଦେଖାଯାଉଛି ବିପଦଶଙ୍କୁଳ ଘର ତେବେ ସରକାରୀଭାବେ ଏହାକୁ ବିପଦ ଶଙ୍କୁଳ ବୋଲି ଘୋଷଣା କରାଯାଇ ନାହିଁ । ଯଦି ବିପଦ ଶଙ୍କୁଳ ନୁହେଁ, ତେବେ ମରାମତି କାହିଁକି କରାଯାଉ ନାହିଁ ବୋଲି ମତ୍ସ୍ୟଜୀବୀ ମାନେ ପ୍ରଶ୍ନ କରିଛନ୍ତି । ସତୁରୀ ଦଶକରେ ଯେତେବେଳେ ଏହି ଜେଟି ନିର୍ମାଣ କରାଯାଇଥିଲା ସେତେବେଳର ଡଙ୍ଗା ମାଲିକଙ୍କ ସଂଖ୍ୟା ତୁଳନାରେ ଏବେ ତିନିଗୁଣ ଡଙ୍ଗା ମାଲିକ ହେଲେଣି । ପୁରୁଣା ଘର  ସଂପ୍ରସାରଣ କରାଯାଉ ନାହିଁ । ୨୦୧୦-୧୧ରେ ବାଙ୍ଗାଲୋରର ସିଆଇସିଇଏଫ୍ (ସେଣ୍ଟ୍ରାଲ ଇନଷ୍ଟିଚୁ୍ୟଟ ଅଫ କୋଷ୍ଟାଲ ଇଞ୍ଜିନିୟରିଂ ଫେଡେରେସନର ଅନୁଧ୍ୟାନକାରୀ ଟିମ୍ ଆସି ଚୁଡାମଣି ଜେଟି ସର୍ଭେ କରିଥିଲେ ଓ ଉନ୍ନତମାନର ମତ୍ସ୍ୟ ପୋତାଶ୍ରୟ ଭାବେ ଏହାକୁ ପୁନଃ ନିର୍ମାଣ କରିବା ପାଇଁ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇ ଯାଇଥିଲେ । ସେହି ସର୍ଭେ ରିପୋର୍ଟ ମୂଳେ ୨୦୧୧/ ୧୨ରେ ରାଜ୍ୟ ସରକାରଙ୍କ ମତ୍ସ ୍ୟ ବିଭାଗ ୨୩କୋଟି ୩୦ ଲକ୍ଷ ଟଙ୍କାର ଏଷ୍ଟିମେଟ ଯାଇଥିଲା କେନ୍ଦ୍ର ସରକାରଙ୍କ ନିକଟକୁ । ତେବେ ସେହିଦିନରୁ କେନ୍ଦ୍ର ସରକାରଙ୍କ ପାଖରେ ରିପୋର୍ଟ ପଡିରହିଛି । କୌଣସି ସୂଚନା ଆସିନାହିଁ । ଫଳରେ ପୁରୁଣା ଘର ମରାମତି କରାଯାଇପାରୁ ନାହିଁ କି ନୂଆ ଘର ବି ତିଆରି ହୋଇ ପାରୁ ନାହିଁ । ଅତ୍ୟାଧୁନିକ ମତ୍ସ୍ୟ ପୋତାଶ୍ରୟ ହେବା ସହ ହାଇଜେନିକ କଣ୍ଡିସନରେ ମାଛ ପ୍ୟାକିଂ ଓ ରପ୍ତାନି ପାଇଁ ବିଭିନ୍ନ ଘର, ଜାଲ ବୁଣିବା ପାଇଁ ନେଟ ୟାର୍ଡ ମଧ୍ୟ ରହିବ । ବରଫ  ପ୍ୟାକିଂଠାରୁ ଆରମ୍ଭ କରି ଶୁଖୁଆ ପ୍ରସ୍ତୁତ କରିବା ପାଇଁ ଶୁଖୁଆ ଖଳାର ବ୍ୟବସ୍ଥା ରହିବ ବୋଲି ସର୍ଭେ ରିପୋର୍ଟ ଯାଇଥିଲା । ୬ ବର୍ଷ ବିତି ଯାଇଥିଲେ ବି ରାଜ୍ୟ କେନ୍ଦ୍ରକୁ କିଛି କହୁ ନାହିଁ କି କେନ୍ଦ୍ର ଏଥିରେ ମୁଣ୍ଡ ଖେଳାଉ ନାହିଁ ।  ତେବେ ଯେମିତି ମତ୍ସ୍ୟଜୀବୀଙ୍କ ମୃତୁ୍ୟକୁ ଅପେକ୍ଷା କରିଛନ୍ତି ସରକାର । କିଛି ବଡ ଧରଣର ଅଘଟଣ ଘଟିଲେ ହିଁ ସରକାର ଏଥିପ୍ରତି ଦୃଷ୍ଟି ଦେବେ ।

Leave a Reply

Your email address will not be published. Required fields are marked *