ଭଦ୍ରକ ବିଧାୟକଙ୍କୁ ଅଭିନବ ବିରୋଧ : ସରପଞ୍ଚଙ୍କ ଦ୍ୱାରା ଆରଡି ଛକରେ ତୋରଣ ଉଦ୍ଘାଟନ

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ସହର ଉପକଣ୍ଠ ଆରଡି ଛକରେ ନବନିର୍ମିତ ତୋରଣ ଏକ ରୋଚକ ସ୍ଥିତିରେ ଉଦଘାଟିତ ହୋଇଛି। ଭଦ୍ରକ ପୂର୍ତ୍ତ ବିଭାଗ ପକ୍ଷରୁ ଉକ୍ତ ତୋରଣ ରାସ୍ତା ଉପରେ ନିର୍ମାଣ କରାଯାଇଥିଲା। ଆଗନ୍ତୁକଙ୍କୁ ଆଖଣ୍ଡଳମଣିଙ୍କ ପୀଠକୁ ସ୍ୱାଗତ କରିବା ଲକ୍ଷ୍ୟରେ ରାସ୍ତା ଅତିକ୍ରମ କରୁଥିବା କଂକ୍ରିଟ ତୋରଣ ନିର୍ମାଣ କରିଥିଲା ପୂର୍ତ୍ତ ବିଭାଗ। ଏଥିପାଇଁ ବିଭାଗ ପାଖାପାଖି ୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା। ତୋରଣଟି ନିର୍ମାଣ ସରିଯିବା ପରେ ଆନୁଷ୍ଠାନିକ ଭାବେ ଉଦଘାଟନ ବାକି ଥିଲା। ଆସନ୍ତା ୨୬ ତାରିଖ ଭଦ୍ରକ ବିଧାୟକ ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ଆପାତତଃ ସ୍ଥିର ହୋଇଥିଲା। ଏଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ହଠାତ ଗେଲପୁର ସରପଞ୍ଚ ମାନସୀ ରାଉତଙ୍କ କରକମଳରେ ତୋରଣଟି ଉଦଘାଟିତ ହୋଇଯାଇଛି। ସରପଞ୍ଚଙ୍କ ସହିତ ସମିତିସଭ୍ୟ ଅଶୋକ ପରିଜା, ନାଏବ ସରପଞ୍ଚ ରଶ୍ମୀରଞ୍ଜନ ପଣ୍ଡା ଓ ୱାର୍ଡସଭ୍ୟଙ୍କ ସମେତ ୩ ଶହରୁ ଅଧିକ ସମର୍ଥକଙ୍କ ଗହଣରେ ଏକ ଶୋଭାଯାତ୍ରାରେ ଆସିଥିଲେ। ସକାଳ ୮ଟାରେ ବାହାରି ଥିବା ଶୋଭାଯାତ୍ରାରେ ବାଜା, ବାଣ ରୋଷଣୀ ବି ଥିଲା। ତୋରଣ ନିକଟରେ ପୂଜାପାଠ ହୋମ କରାଯାଇଥିଲା। ପରେ ସରପଞ୍ଚ ଫିତା କାଟି ତୋରଣକୁ ଉଦଘାଟନ କରିଥିଲେ। ତେବେ ଏହି ଉଦଘାଟନ ପର୍ବକୁ ନେଇ ଭଦ୍ରକ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି। ବିଶେଷ କରି ବିଧାୟକଙ୍କୁ ବିରୋଧ କରି ଏହା କରାଯାଇଛି ବୋଲି ଚର୍ଚ୍ଚା ହେଉଛି। ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମିତ ଏହି ତୋରଣଟି ଗେଲପୁର ପଞ୍ଚାୟତ ମଧ୍ୟରେ ରହୁଛି। ବିଧାୟକ କୁଆଡେ ବିଭିନ୍ନ କ୍ଷେତ୍ରରେ ଗେଲପୁର ପଞ୍ଚାୟତ ସମେତ ଲୋକ ପ୍ରତିନିଧିଙ୍କୁ ଅଣଦେଖା କରୁଥିବାରୁ ଏଭଳି ଉଦଘାଟନ ପର୍ବର ଆୟୋଜନ କରି ଅଭିନବ ପ୍ରତିବାଦ କରାଯାଇଛି। ତେବେ ଏ ସଂପର୍କରେ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Leave a Reply

Your email address will not be published. Required fields are marked *